() ୨୦୨୪ ସାଧାରଣ ନିର୍ବାଚନର ୧୦ ମାସ ପରେ ଓଡିଶା ରାଜନୀତି ଅସ୍ଥିର ଆଡକୁ ଗତି କରିବାରେ ଲାଗିଛି । ଶାସକ ଓ ବିରୋଧୀ କ୍ୟାମ୍ପରେ ଯାହା ଘଟୁଛି ତାହା ଏବେ ଚର୍ଚ୍ଚାର ବିଷୟ । ବିଶେଷ କରି ମୁଖ୍ୟ ବିରୋଧୀ ବିଜେଡିରେ ପ୍ରତ୍ୟେକ ଦିନ ନେତାଙ୍କ ବିଶୃଙ୍ଖଳା ଦଳର ସଂଗଠନକୁ ହଲଚଲ କରିଥିବା ବେଳେ ନେତୃତ୍ବକୁ ନେଇ ଶାସକ ଦଳରେ ବିବାଦ ବି କିଛି କମ ନୁହେଁ । ଅନ୍ୟପଟେ ଦ୍ବିତୀୟ ବିରୋଧୀ କଂଗ୍ରେସ ଶିବିର ଯେତିକି ଉତ୍ସାହ ସେତିକି ଧୀମା ମଧ୍ୟ। ଏପରି ସ୍ଥିତିରେ ଚାଲିଛି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନ ।
ବିଜେଡି-
ବିଜେଡି କ୍ଷମତାରୁ ଯିବାର ୧୦ ମାସ ମଧ୍ୟରେ ବିଜେଡିରେ ବିଶୃଙ୍ଖଳା ଏବେ ଉଗ୍ରରୂପ ନେଇଛି। ମନ୍ତ୍ରୀ ଓ ବିଭିନ୍ନ ପଦ ପଦବୀରେ ଥିବା ବେଳେ ଯେଉଁନେତାମାନେ ନିଜ ବିଭାଗର କଥାରେ ଟିକେ ମୁହଁ ଖୋଲୁନଥିଲେ , ଏବେ ଦଳ ବିରୋଧରେ କେମିତି ଗଣମାଧ୍ୟମରେ କିଛି କହିବେ ସେହି ନେତାମାନଙ୍କୁ ନିଦ ନାହିଁ । ଯେମିତି ନାଲିରଙ୍ଗ ଦେଖିଲେ ଷଣ୍ଢ ଉତପାତ ଆରମ୍ଭ କରେ ଠିକ ସେହିଭଳି ଗଣମାଧ୍ୟମ ବୁମ ଦେଖିଲେ ବିଜେଡି ନେତାମାନେ ବିଜେଡି ବିରୋଧରେ କହିବାକୁ ଆଗଭର ହେଉଛନ୍ତି । ନିର୍ବାଚନ ହାରିବା ପରେ ବି ନେତାଏ ୨୦୨୯ରେ କିପରି ପୂର୍ଣ୍ଣବାର ଜିତିକି ଆସିବେ ସେ ଚିନ୍ତା ନକରି , ଦଳର ନେତୃତ୍ବ ଓ ନେତାଙ୍କ ସମାଲୋଚନା କରିବାରେ ଲାଗିଛନ୍ତି । କାରଣ ୨୪ ବର୍ଷ ଧରି ଯେଉଁ ଦିନ ନିର୍ବାଚନ ସରେ ସେହିଦିନ ଠାରୁ ପରବର୍ତ୍ତୀ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତି ଆରମ୍ଭ କରେ l ହେଲେ ଏଥର ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ସବୁଠାରୁ ବଡ଼ କଥା ହେଉଛି ବିଜେଡି ରାଜନୀତିରେ ଏପରି ହଲଚଲ ସମୟରେ ଦଳର ନେତା ଓ ମଙ୍ଗୁଆଳ ପରସ୍ପର ବିରୋଧରେ କଥା କଟାକଟି ବାକଯୁଦ୍ଧରେ ଲାଗିପଡିଛନ୍ତି l ଯାହା ବିଭିନ୍ନ ଗଣମାଧ୍ୟମରେ ରାଜନୀତିର ବାଦିପାଲା ପରି ଓଡିଶାବାସୀ ଦେଖୁଛନ୍ତି । ୨୦୨୪ ସର୍ବାଧିକ ଭୋଟ ପାଇଁ ମୁଖ୍ୟ ବିରୋଧୀ ଦଳ ଭୂମିକା ଲିଭାଉଥିବା ବିଜେଡି ନେତାମାନେ ସରକାରଙ୍କ ବିରୋଧରେ ଲଢିବେ କଣ ନିଜ ବିରୋଧରେ ଲଢିବାକୁ ପସନ୍ଦ କରୁଛନ୍ତି ନେତାଏ। ପ୍ରଥମଥର ଲାଗି ଦେଖାଦେଉଛି ନବୀନଙ୍କ ନିଷ୍ପତି ଉପରେ ମଧ୍ୟ ନେତାଏ ପ୍ରଶ୍ନ ଉଠାଉଛନ୍ତି । ଏପରି ସ୍ଥିତିରେ ବିଜେଡିର ଭବିଷ୍ୟତ କଣ ହେବ ତାହାକୁ ନେଇ ଚା ଖଟିରୁ ପାନ ଦୋକାନୀ ଓ ଗାଁ ଗାଁରେ ଆଲୋଚନା ବିଷୟ ହୋଇଛି । ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରୁ ଯେପରି ବିଜେଡି ନେତାମାନେ ଧୀରେଧୀରେ ବାହାରି ଯାଉଛନ୍ତି ତାହା ଏବେ ଜଳଜଳ କରି ଦିଶୁଛି । ବିଜେଡିର ଏପରି ସମୟରେ ଦଳ କିପରି ସଂଗଠିତ ହୋଇ ୨୦୨୭ ପଂଚାୟତ ଓ ପୌର ନିର୍ବାଚନକୁ ସାମ୍ନା କରିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଜ ।
ବିଜେପି-
ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି । ୧୦ ମାସ ଭିତରେ ଦଳ ଓଡିଶାବାସୀଙ୍କ ଯେମିତି ବିଶ୍ବାସ ଭାଜନ ହେବା କଥା ତାହା ହୋଇପାରିନାହିଁ । ବିରୋଧୀ ଅଭିଯୋଗ କରୁଛନ୍ତି ଯେ ବିଜେପିକୁ ସରକାର ଚଳାଇବା ଜଣାନାହିଁ । ୧୦ ମାସ ଭିତରେ ଯାହା ସବୁ ଘଟୁଛି ତାହାକୁ ଦେଖି ଲୋକଙ୍କ ମଧ୍ୟରେ ବିରୋଧୀଙ୍କ ଏପରି ଅଭିଯୋଗ ଧୀରେ ଧୀରେ ବିଶ୍ବାସ ଆଡକୁ ଗତି କରୁଛି । ସରକାର ନିଜର ଭାବମୃର୍ତ୍ତି ତିଆରି କରିବା ପରିବର୍ତ୍ତେ ରଙ୍ଗ , ନାଁ ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ସରକାର ଗଠନର ୧୦ ମାସ ପରେ ଅଧାଗଢା ମନ୍ତ୍ରୀମଣ୍ଡଳ ହୋଇରହିଛି । ଏବେ ବି ୬ଟି ମନ୍ତ୍ରୀ ପଦ ଖାଲି ପଡିଛି । ସେହିପରି ବିଜେପି ସରକାର ଗଠନ ହେବାର ୧୦ ମାସ ପରେ ବି ନିଗମ ବଣ୍ଟନ କରିପାରୁନାହିଁ । ମନ୍ତ୍ରୀମାନେ ମଧ୍ୟ ନିଗ ବିଭାଗ କଥା ଛାଡ଼ି ଅନ୍ୟ ବିଭାଗ ବିଷୟରେ କହି ଗଣମାଧ୍ୟମର ଚର୍ଚ୍ଚାରେ ରହିଛନ୍ତି । ସୁଭଦ୍ରା, ଆୟୁଷ୍ମାନ ଯୋଜନା ଲାଗୁ କରି ବିଜେପି ନିଜର କଥା ରଖିଥିବା ବେଳେ ଚିଟଫଣ୍ଡ ଟଙ୍କା ଫେରସ୍ତ, ୩୦୦ ୟୁନିଟ ମାଗଣା ବିଜୁଳି ଆଦି ପରି ଅନେକ ପ୍ରତିଶୃତି ଏବେ ବି ପୂରଣ କରିନାହିଁ । ଏତ ଥିଲା ସରକାର କଥା । ଏବେ ବିଜେପି ଦଳ କଥା । ଡେଡଲାଉନ ପୁରିବା ପରେ ମଧ୍ୟ ରାଜ୍ୟ ବିଜେପି ସଭାପତି ଚୟନ କରିପାରୁନାହିଁ। ଯାହାକୁ ନେଇ ଦଳ ଭିତରେ ବିଭିନ୍ନ ଗୋଷ୍ଠୀ ମୁହାମୁହିଁ ହେଉଛନ୍ତି । କିଏ ପରବର୍ତ୍ତୀ ସଭାପତି ହେବ ତାହା ବି ଦଳ ସ୍ଥିର କରିପାରୁନାହିଁ । ସେହିପରି ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ଓଡିଶା ଶାସନ ବ୍ୟବସ୍ଥାରୁ ଦୂରେଇ ରଖିବାକୁ ବିଜେପିର ଗୋଟେ ଗୋଷ୍ଠି ସକ୍ରୀୟ ଭାବେ କେନ୍ଦ୍ର ନେତୃତ୍ବ ପାଖରେ ଜିଦ ଧରି ସଫଳ ହୋଇଛନ୍ତି । ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରିବାରେ ମୁଖ୍ୟ ବିନ୍ଧାଣୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ତାଙ୍କୁ ଏକ ଘରିଆ କରାଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଧୂଆଁ ନଥିଲେ ନିଆଁ ଆସେ ନାହିଁ ପରି ଏ ଚର୍ଚ୍ଚା । ଏସବୁ ଛାଡ଼ି ବିଜେପି ୨୦୨୭ ପଂଚାୟତ ଓ ପେୌର ନିର୍ବାଚନରେ କିପରି ଭଲ ପ୍ରଦର୍ଶନ କରିବ ତାହା ଦଳ ପାଇଁ ବଡ଼ ଚ୍ୟାଲେଜ ।
କଂଗ୍ରେସ-
ନିର୍ବାଚନର ୧୦ ମାସ ପରେ କଂଗ୍ରେସ ସ୍ଥିତି ଟିକେ ଭିନ୍ନ । ୮ ମାସ ମୁଖିଆ ବିନା ଦଳର ସଂଗଠନ ରସାତଳକୁ ଯିବା ପରେ ଫେବୃଆରୀ ୧୧ ତାରିଖରେ ଭକ୍ତ ଚରଣ ଦାସ ଓଡିଶା ପିସିସିର ସଭାପତି ଭାବେ ନିଯୁକ୍ତ ହେଲେ । ଏହାପରେ କଂଗ୍ରେସ ଶିବିର ବେଶ ଚଳଚଞ୍ଚଳ ହୋଇଛି। ଭକ୍ତଙ୍କ ନେତୃତ୍ବରେ ଦଳ ଆଗକୁ ବଢୁଥିବା ବେଳେ ଦଳର ଦିଗ ଓ ଦିଶା କଣ ହେବ ତାହା ବି ସନ୍ଦେହରେ । କାରଣ ପ୍ରଥମ ଥର ଲାଗି କଂଗ୍ରେସ ବିଧାନସଭାରେ କୌଣସି ରେକର୍ଡ଼ ଠିକ ସେ କରି ପାରିଲା ନାହିଁ କି ବିଜେପି ଓ ବିଜେଡିକୁ ଶାଣିତ ଆକ୍ରମଣ କରିପାରିନାହିଁ । ବଂର ଦଳର ୧୪ ଜଣ ବିଧାୟକ ବିଧାନସଭାରୁ ନିଲମ୍ବନ ହେଲେ । ଗୃହ ବାହାରେ ମାର୍ଚ୍ଚ ୨୭ ତାରିଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରି ଯେଉଁ ଗଣ୍ଡଗୋଳ କଲା ତାହା ବିରୋଧରେ ଶାସକ ଦଳ ବଡ଼ ଆକ୍ସନ ନେଇଛି । ସମସ୍ତ ବିଧାୟକ , ଜଣେ ସାଂସଦ ଓ ୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ପିସିସି ସଭାପତି ହେବାର ୨ ମାସ ପରେ ବି ପିସିସି ସଭାପତି ନିଜର ଟିମ ଗଠନ କରିପାରିନାହାନ୍ତି । କାହିକିଁ ଟିମ ଗଠନ କରିପାରୁନାହାନ୍ତି ତାହାକୁ ନେଇ କଂଗ୍ରେସରେ ସବୁ କିଛି ଠିକ ଠାକ ଚାଲିନାହିଁ । ବ୍କକ, ଜିଲ୍ଲା ସଭାପତି ଘୋଷଣା ହୋଇନଥିଲେ ମଧ୍ୟ ପିସିସି ସଭାପତି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଘୋଷଣା କରିଚାଲିଛନ୍ତି । ଯାହାକୁ କଂଗ୍ରେସ କର୍ମୀ ଓ ନେତାମାନେ ନାପସନ୍ଦ କରୁଛନ୍ତି । ଏହସହ ଭକ୍ତଙ୍କ କାର୍ଯ୍ୟକ୍ରମକୁ ନେଇ କଂଗ୍ରେସର ଗୋଟିଏ ଗୋଷ୍ଠୀ ଅସନ୍ତୋଷ ହୋଇଛନ୍ତି। ଯାହା ଆଗକୁ ଉଗ୍ରରୂପ ନେବାର ସମ୍ଭାବନା ରହିଛି।ବିଶେଷ କରି କଂଗ୍ରେସ ନେତା ମହମ୍ମଦ ମୋକିମ ଭକ୍ତଙ୍କୁ ପିସିସି ସଭାପତି ଭାବେ କେତେ ସହଯୋଗ କରିବେ ଓ ତାଙ୍କ ସହ ଅନ୍ୟ କିଛି ନେତା ଏବେ ସାମିଲ ହୋଇ ଭକ୍ତଙ୍କ ବିରୋଧରେ ଭିତିରିଆ ମେଳି ବାନ୍ଧିଥିବା ଚର୍ଚ୍ଚା ହେଉଛି ।