ବ୍ଯାସନଗର ( ବି.ନି.ଓ ) ୧୭/୧୨ : ଆସନ୍ତା କାଲି ଯାଜପୁର ରୋଡ ବ୍ୟାସନଗର ଏନସି ହାଇସ୍କୁଲ ପଡିଆରେ ଆୟୋଜିତ ହେବାକୁ ଯାଉଛି ଦୁଇ ଦିବସୀୟ ପ୍ରଥମ ଆନ୍ତଜିଲ୍ଲା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ। କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭିସା ଗ୍ରୁପ୍ ଓ ଭିନ୍ନକ୍ଷମ ସଶକ୍ତୀକରଣ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ”ଆଶା ଅଭିଳାଷା” ମିଳିତ ଆନୁକୂଲ୍ୟରେ ଏହି ଚମକପ୍ରଦ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି। ଆସନ୍ତା କାଲି ଏହାକୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ଏସପି ରାହୁଲ ପିଆର୍ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଦ୍ବିତୀୟ ଦିବସର ଉଦଯାପନୀ ଉତ୍ସବରେ ମୁଖ୍ଯଅତିଥି ରୂପେ ଯୋଗଦେବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ। ସ୍ଥାନୀୟ କୋରାଇ ବିଧାୟକ ଅଶୋକ କୁମାର ବଳ ମୁଖ୍ଯବକ୍ତା ରୂପେ ଯୋଗଦେବେ । ଉଭୟ ଉଦଘାଟନ ଓ ଉଦଯାପନ ଉତ୍ସବରେ ସ୍ବତନ୍ତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେବେ କଳିଙ୍ଗନଗର ଭିସାଷ୍ଟିଲ କାରଖାନାର ନିର୍ଦ୍ଦେଶକ ମନୋଜ କୁମାର ଓ ଓଡିଶା ଦୃଷ୍ଟିବାଧିତ କ୍ରିକେଟ ଆସୋସିଏସନର ଜାତୀୟ ସ୍ତରର କର୍ମକର୍ତ୍ତା। ଏହି ଦୁଇଦିନର କାର୍ଯ୍ୟକ୍ରମରେ ବହୁ କ୍ରିଡାପ୍ରେମୀ ବ୍ୟକ୍ତିବିଶେଷ ଅନ୍ୟତମ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ୪ଟି ଜିଲ୍ଲାରୁ ଖେଳାଳୀମାନେ ଅଂଶଗ୍ରହଣ କରିବେ । ପ୍ରଥମ ଦିବସର ପ୍ରଥମ ମ୍ୟାଚ ବାଲେଶ୍ବର ଓ ଅନୁଗୁଳ ଜିଲ୍ଲା ମଧ୍ଯରେ ଅନୁଷ୍ଠିତ ହେବ ଓ ୨ୟ ମ୍ୟାଚ ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲା ମଧ୍ଯରେ ଅନୁଷ୍ଠିତ ହେବ।୨ୟ ଦିନ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଉଭୟ ବିଜେତା ଏବଂ ରନର୍ସ ଦଳଙ୍କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ଦୃଷ୍ଟିବାଧିତ କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଆଶା ଅଭିଳାଷା ସଂଗଠନ ପକ୍ଷରୁ ନିବେଦନ କରାଯାଇଛି। ପ୍ରଥମ କରି ଜିଲ୍ଲାରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସଂଗଠନ ପକ୍ଷରୁ ଏପରି ପଦକ୍ଷେପକୁ ସ୍ବାଗତ କରିବାସହ ଭିନ୍ନ ଏକ ପଦକ୍ଷେପ ଲାଗି ପ୍ରଶଂସା କରିଛନ୍ତି।