କୋରାପୁଟ ବି.ନି.ଓ. ୧୪/୧୨ : ଘଟଣା ଟି ଘଟିଛି ୨୬ନଂ ଜାତୀୟ ରାଜପଥ ସେମିଳିଗୁଡାର ସୀତାରାମ ନଗର ରାମ ମନ୍ଦିର ସମ୍ମୁଖରେ ଥିବା କିଶୋରୀନନ୍ଦନ ଏଣ୍ଟରପ୍ରାଇଜର୍ସ ଇଲେକ୍ଟ୍ରୋନିକ୍ ଦୋକାନରେ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ସାଢେ ୯ଟା ସମୟରେ ଦୋକାନ ମାଲିକ ଆଦିତ୍ଯ ପରିଚ୍ଛା ପ୍ରତିଦିନ ଭଳି ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ପ୍ରାୟ ୧୧ଟା ସମୟରେ ଦୋକାନରୁ ଧୂଆଁ ବାହାରୁଥିବା ଦେଖି କିଛି ସ୍ଥାନୀୟ ବାସିନ୍ଦା ଶ୍ରୀ ପରିଚ୍ଛାଙ୍କୁ ଖବର ଦେବା ସହ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଦୋକାନ ମାଲିକ ପହଞ୍ଚିବା ବେଳକୁ ସମ୍ପୂର୍ଣ୍ଣ ଦୋକାନ ହୁ ହୁ ହୋଇ ଜଳୁଥିବା ଦେଖିବାକୁ ପାଇଥିଲେ । ତେବେ ନିଆଁର ମାତ୍ରା ଏଭଳି ଥିଲା ଯେ, ଗୋଟିଏ ଦମକଳ ଯଥେଷ୍ଟ ନଥିଲା। ତେଣୁ ତୁରନ୍ତ HAL ର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ମିଗ୍ କାରଖାନାର ଦୁଇଟି ଦମକଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଦୀର୍ଘ ଚାରି ରୁ ପାଞ୍ଚ ଘଣ୍ଟାର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ନିଆଁ ଲିଭାଇବାକୁ ଚେଷ୍ଟା ସମୟରେ ଆଉ ଏକ ଅଘଟଣ ଘଟିଥିବା କହିଛନ୍ତି କିଛି ପ୍ରତ୍ଯକ୍ଷଦର୍ଶୀ । ସେମାନଙ୍କ କହିବା ଅନୁଯାୟୀ ନିଆଁ ଲାଗିଥିବା ଦେଖି ଅଗ୍ନିଶମ ବିଭାଗ ପ୍ରଥମେ ବିଦ୍ଯୁତ ବିଭାଗକୁ ବିଦ୍ଯୁତ ସରବରାହ ବିଚ୍ଛିନ୍ନ କରିବାକୁ କହିଥିଲେ । ତେବେ ଏହାକୁ ବିଭାଗ କାର୍ଯ୍ୟକାରୀ ମଧ୍ୟ କରିଥିଲେ। କିନ୍ତୁ ନିଆଁ ଲିଭାଇବା ସମୟରେ ହଠାତ୍ ବିଦ୍ଯୁତ ସରବରାହ ପୁନଃ ଚାଲୁ ହୋଇଯାଇଥିଲା। ଫଳରେ ନିଆଁ ଲିଭା କାର୍ଯ୍ୟରେ ଲିପ୍ତ ଥିବା ୩ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ଦୋକାନ ମାଲିକ ଆଦିତ୍ଯ ପରିଚ୍ଛା ଓ ସ୍ଥାନୀୟ ଅଞ୍ଚଳର ୨ ଜଣ ବିଦ୍ଯୁତ ଆଘାତରେ ଛିଟିକି ପଡିଥିଲେ। ଯାହାକି ନିଶ୍ଚିତ ମୃତ୍ୟୁ ମୂଖରୁ ବଞ୍ଚିଯାଇଥିଲେ ବୋଲି ଚର୍ଚ୍ଚା ହେଉଛି। ତେବେ ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ ବିଦ୍ଯୁତ୍ ସର୍ଟ ସର୍କିଟ୍ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ହାବିଲଦାର ଶ୍ରୀ ବାରିକଙ୍କ କହିବା ଅନୁଯାୟୀ ପ୍ରାୟ କୋଡିଏ ରୁ ପଚିଶି ଲକ୍ଷ ଟଙ୍କାର ଟିଭି,ଫ୍ରିଜ୍,ୱାସିଙ୍ଗ୍ ମେସିନ୍ ତଥା ବହୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉଦ୍ଧାର କରାଯାଇ ପାରିଥିବା ବେଳେ ଆନୁମାନିକ ପ୍ରାୟ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ।ସେମିଳିଗୁଡା ଅଗ୍ନିଶମ କେନ୍ଦ୍ର ଅଧିକାରୀ ଦେବୀପ୍ରସାଦ ଦାସଙ୍କ ନେତୃତ୍ୱରେ ହାବିଲଦାର ରଶ୍ମି ରଞ୍ଜନ ବାରିକ୍ ଓ ଅନ୍ୟ କର୍ମଚାରୀ ଏସ୍.ବୀରା, ପି.ପ୍ରଧାନ,ପି.ସୁରେଶ୍ ,ଏନ.ସି.ନାହାକ, ଜେ.ଏନ୍.ସ୍ବାଇଁ ଙ୍କ ସହ HAL ଅଗ୍ନିଶମ ମ୍ଯାନେଜର ବସନ୍ତ ପାତ୍ର, ଅଶୋକ ସ୍ବାଇଁ, ସାନ୍ତନୁ ରାୟ, ବିଶ୍ବର୍ ଖୋସଲା, ଶରତ ଚନ୍ଦ୍ର ପରିଡା, ରାଜେଶ ଖରା, ଅନିଲ୍ ଖିଲ, ଡମ୍ବରୁ କୁଲଦୀପ୍ ଓ କିଛି ସ୍ଥାନୀୟ ବାସିନ୍ଦା ନିଆଁକୁ ଆୟତ୍ତ କରିବାରେ ସହାୟତା କରିଥିଲେ ।