ସୁକିନ୍ଦା : ବିଗତ କିଛି ଦିନ ଧରି ସୁକିନ୍ଦା ଖଣି ଅଞ୍ଚଳରେ କଞ୍ଚାମାଲ ପରିବହନକୁ ନେଇ ଚାଲିଥିବା ବିଶୃଙ୍ଖଳା ଦିନକୁ ଦିନ କ୍ରମଶଃ ଉଗ୍ର ହେବାରେ ଲାଗିଛି । ସୁକିନ୍ଦା ଖଣି ଅଞ୍ଚଳର ଟ୍ରକ୍ ମାଲିକ ସଂଘ ପ୍ରଶାସନର କୌଣସି ନିଷ୍ପତ୍ତିକୁ ନ ମାନିବାକୁ ଲାଗୁଛି ଯେପରି ସଂକଳ୍ପ ବଦ୍ଧ । ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହଁନ୍ତି । ନ୍ଯାୟାଳୟଙ୍କ ଆଦେଶ ଅନୁସାରେ ଫାଷ୍ଟ୍ କମ୍ ଫାଷ୍ଟ୍ ଲୋଡିଂ ବେସିସ୍ କୁ ଖଣି ଉପତ୍ୟକାର ଟ୍ରକ୍ ଓ ଟିପର୍ ମାଲିକ ମାନଙ୍କ ଦାଦାଗିରି ଯୋଗୁଁ ପ୍ରଣୟଣ କରାଯାଉ ନାହିଁ । ଏହି ଅଭିଯୋଗ ନେଇ ଯାଜପୁର ରୋଡ୍ ଟ୍ରକ୍ ମାଲିକ ସଂଘ ଯାଜପୁର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଏ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଚେତାବନି ଦେଇଥିଲେ । ଜିଲ୍ଲାପାଳ କହିଥିଲେ ପରିବହନ କ୍ଷେତ୍ରରେ କୌଣସି ପ୍ରକାରର ଅସାମାଜିକ ତତ୍ତ୍ୱକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ଚ୍ଯାଲେଞ୍ଜ କରି ସୁକିନ୍ଦା ମିନେରାଲ୍ ଟ୍ରକ୍ ଆସୋସିଏସନ୍ ପ୍ରଶାସନ ବିରୁଦ୍ଧରେ ଗତ୧୯ ତାରିଖରେ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି ।ଏଠାରେ ଉଲ୍ଲେଖ କରାଯାଇପାରେ କି କିଛି ରାଜନୈତିକ ବ୍ଯକ୍ତିଙ୍କ ପ୍ରଚ୍ଛଦପଟ ଇଙ୍ଗିତ ଯୋଗୁଁ ଖଣି ଅଞ୍ଚଳରେ ପରିବହନକୁ ନେଇ ଅଶାନ୍ତି ଦେଖାଦେଇଛି । ଆଗାମୀ ଦିନରେ ଏହାର କୌଣସି ସ୍ଥାୟୀ ସମାଧାନ ନ ହେଲେ ହୁଏତ ଏହା ଉଗ୍ର ରୂପ ଧାରଣ କରିପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି ।