{} ଆଇଆଇଏମ୍ସିରେ ଜାତୀୟ ପ୍ରେସ୍ ଦିବସ ପାଳିତ
“ଗଣମାଧ୍ୟମ ସାକ୍ଷରତା ନିହାତି ଲୋଡ଼ା”।
() ସାମ୍ବାଦିକତା ଯଦି ଠିକ୍ ଭାବେ କାର୍ଯ୍ୟ କରିବ, ତେବେ ଭାରତୀୟ ପ୍ରେସ୍ ପରିଷଦ (ପିସିଆଇ)ର ବିଶେଷ ଭୂମିକା ରହିବ ନାହିଁ । କାରଣ, ପିସିଆଇ ପକ୍ଷରୁ ପୂର୍ବରୁ ସାମ୍ବାଦିକଙ୍କ ପାଇଁ କେତୋଟି ନିୟମାବଳୀ ରହିଛି । କିନ୍ତୁ ଦୁଃଖର କଥା ସେଥିପ୍ରତି ଅନେକ କାର୍ଯ୍ୟରତ ସାମ୍ବାଦିକ ତଥା ଗଣମାଧ୍ୟମ ସଂସ୍ଥା ସଚେତନ ନୁହନ୍ତି । ତେବେ ଗଣମାଧ୍ୟମ ସଂସ୍ଥା ନିଜର ସମସ୍ତ ସାମ୍ବାଦିକଙ୍କୁ ପିସିଆଇର ‘ସାମ୍ବାଦିକତା ନିୟମାବଳୀ’ ନେଇ ସଚେତନ କରାଇବା ଜରୁରୀ ବୋଲି କହିଛନ୍ତି ଆଇଆଇଏମ୍ସି, ଜମ୍ମୁର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ରାକେଶ ଗୋସ୍ୱାମୀ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି । ଏହି ଅବସରରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଯୋଗଦେଇ ପ୍ରଫେସର ଗୋସ୍ୱାମୀ କହିଛନ୍ତି, କେବଳ ମୁଦ୍ରିତ ଗଣମାଧ୍ୟମ ନୁହେଁ, ବରଂ ଟେଲିଭିଜନ୍ ଓ ସାମାଜିକ ଗଣମାଧ୍ୟମ ପାଇଁ ମଧ୍ୟ ଭିନ୍ନ ଭିନ୍ନ ନିୟମ ରହିଛି । କିନ୍ତୁ, ସାମାଜିକ ଗଣମାଧ୍ୟମରେ ଆଜିକାଲି ଅନେକ ଭୁଲ ତଥ୍ୟ ଆସୁଛି । ତେବେ ଏଥିପାଇଁ ଗଣମାଧ୍ୟମ ସାକ୍ଷରତା, ସୂଚନାର ସାକ୍ଷରତା ତଥା ଡିଜିଟାଲ ସାକ୍ଷରତାର ଆବଶ୍ୟକତା ରହିଛି । ଏହାଦ୍ୱାରା ଉଭୟ ବିଷୟବସ୍ତୁ ପ୍ରସ୍ତୁତକାରୀ ଏବଂ ଦର୍ଶକ ସଚେତନ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସେହିପରି ରାଜସ୍ଥାନର ବରିଷ୍ଠ ସାମ୍ବାଦିକ ଅଶୋକ ଚତୁର୍ବେଦୀ କହିଛନ୍ତି, ଗଣମାଧ୍ୟମର ସ୍ୱାଧୀନତା ତଥା ଏହାର ସୁରକ୍ଷା ନେଇ ପିସିଆଇ ଅନେକ କ୍ଷେତ୍ରରେ କୋର୍ଟ ପରି କାର୍ଯ୍ୟ କରୁଛି । ତେବେ ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଦ୍ରୁତ ବ୍ୟବହାର ଓ ପ୍ରସାର ଫଳରେ ପିସିଆଇର ସ୍ୱରୂପ ଏବଂ ତା’ର ପ୍ରକୃତ କ୍ଷମତା କ’ଣ ହେବା ଉଚିତ ତାହା ସ୍ଥିର ହେବା ଦରକାର । ଏହାସହ ଗଣମାଧ୍ୟମର ନିଜସ୍ୱ ନିୟମାବଳୀ ମଡେଲ୍ ବି ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ଆଲୋଚନାଚକ୍ରରେ ସମ୍ମାନିତ ବକ୍ତାଭାବେ ଯୋଗଦେଇ ସୁଲେଖକ ତଥା ଶିକ୍ଷାବିତ ସୁବୀର ଘୋଷ କହିଛନ୍ତି, ଦେଶ ଗଠନରେ ଗଣମାଧ୍ୟମର ଏକ ବିଶେଷ ଭୂମିକା ରହିଛି, ତାହା ଭାରତୀୟ ଗଣମାଧ୍ୟମର ଇତିହାସ ପ୍ରମାଣିତ କରିଛି । ଭାରତୀୟ ଗଣମାଧ୍ୟମ ବିଶେଷକରି ଖବରକାଗଜ ଲୋକଙ୍କୁ ଶିକ୍ଷିତ କରିବା, ପ୍ରେରଣା ଯୋଗାଇବା ତଥା ଭୁଲ ଠିକ୍ର ନିଷ୍ପତ୍ତି ନେବାର କ୍ଷମତା ଆଦି ଦେଇଆସିଛି । ଭାରତର ସ୍ୱାଧୀନତା ସମୟରେ ସାମ୍ବାଦିକତା ଏକ ପ୍ରମୁଖ ଭୂମିକା ନେଇଥିଲା । ସେସମୟରେ କିଛି ଖବରକାଗଜକୁ ବ୍ରିଟିଶ ସରକାର ବନ୍ଦ କରିଦେଇଥିଲେ, କିଛି ଖବରକାଗଜର ସମ୍ପାଦକ ଓ ସାମ୍ବାଦିକଙ୍କୁ ଜେଲପଠାଇଥିଲେ।
ଏହା ସତ୍ତ୍ୱେ ଗଣମାଧ୍ୟମ ନିଜର କର୍ତ୍ତବ୍ୟ ପଥରୁ ନ ଓହରି କାର୍ଯ୍ୟ କରିଆସିଛି । କେବଳ ସ୍ୱାଧୀନତା କ୍ଷେତ୍ରରେ ନୁହେଁ, ବରଂ ଲୋକଙ୍କ ମନରେ ଥିବା ଅନ୍ଧକାରକୁ ଦୂରେଇ ଆଲୋକ ଦେଖାଉଛି ସାମ୍ବାଦିକତା । ଏସବୁ ଦୃଷ୍ଟିରୁ ଭାରତୀୟ ସାମ୍ବାଦିକତା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି ସେ କହିଛନ୍ତି । ପ୍ରାରମ୍ଭିକ ବକ୍ତବ୍ୟରେ ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଆଜିର ଦିନରେ ପିସିଆଇକୁ ନେଇ କେତୋଟି ପ୍ରସଙ୍ଗର ଆଲୋଚନା ପ୍ରାସଙ୍ଗିକ । ଏଥିମଧ୍ୟରୁ ପ୍ରଥମେ କୁହାଯାଇପାରେ, ପିସିଆଇ ପରିସରରେ କେବଳ ମୁଦ୍ରିତ ଗଣମାଧ୍ୟମ ଓ ନିଉଜ୍ ଏଜେନ୍ସୀ ଆସୁଛି ।
ଏହାର ପରିସରକୁ ଟେଲିଭିଜନ୍ ଓ ସାମାଜିକ ଗଣମାଧ୍ୟମ ଆସିପାରିବ କି । ଯଦି ଆସିବ ତେବେ ମିଡିଆ କାଉନ୍ସିଲ ଗଠନ ଓ ତା’ର କାର୍ଯ୍ୟାବଳୀ କ’ଣ ରହିବ । ଦ୍ୱିତୀୟ ପ୍ରସଙ୍ଗ ହେଉଛି, ପିସିଆଇକୁ ଅନେକ ସମୟରେ ‘ଦାନ୍ତ ବିହୀନ ବାଘ’ ବୋଲି ଅନେକେ ଆଖ୍ୟା ଦେଉଛନ୍ତି । ଏହାର କାରଣ, ଗଣମାଧ୍ୟମ ଉପରେ ଓ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ପିସିଆଇର ଏତେଟା ନିୟନ୍ତ୍ରଣ ରହୁନି । ତୃତୀୟ ପ୍ରସଙ୍ଗ ପୁଞ୍ଜି ଏବଂ ଚତୁର୍ଥ ପିସିଆଇର ସାମ୍ବିଧାନିକ ବ୍ୟବସ୍ଥା । ଏସବୁ ଉପରେ ଆଲୋଚନା ହେବା ଦରକାର ବୋଲି ସେ କହିଛନ୍ତି ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ‘ଡିଜିଟାଲ ଯୁଗରେ ଭାରତୀୟ ପ୍ରେସ୍ ପରିଷଦ’ ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇଂରାଜୀ ସାମ୍ବାଦିକତାର ସୃଷ୍ଟି ପାଣ୍ଡେ ଏବଂ ଓଡ଼ିଆ ସାମ୍ବାଦିକତାର ରୁପାଲି ଓଝାଙ୍କୁ ପୁରସ୍କୃତ କରାଯାଇଛି । ଏହାସହ ଦ୍ୱିତୀୟ ସ୍ଥାନରେ ରହିଥିବା ଆଦ୍ୟା ଝା ଏବଂ ମାନସ ରଞ୍ଜନ ପ୍ରଧାନ ଓ ତୃତୀୟ ସ୍ଥାନରେ ରହିଥିବା ସମ୍ବୁଦ୍ଧ ବିଶ୍ୱାସ ଓ ବିଶ୍ୱଜିତ ଗାଈଗାରିଆ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଆଇଆଇଏମ୍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରେସ୍ ଦିବସର ଆଭିମୁଖ୍ୟ ତଥା ଏହାର ଇତିହାସ ଉପରେ ଆଲୋଚନା କରିଛନ୍ତି ସହକାରୀ ପ୍ରଫେସର ଡ. ହରି କୃଷ୍ଣ ବେହେରା ।