{} ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା।
ଯୋଗ ଦେବେ ୮ଟି ଦେଶର ପ୍ରତିନିଧି।
{} ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
‘ଆଜାଦୀ କା ଅମୃତ ମହୋତ୍ସବ’ର ଅଂଶବିଶେଷ ଭାବେ “ଦ ଜେନ୍-ନେକ୍ସଟ ଡେମୋକ୍ରେସି ନେଟ୍ୱାର୍କ ପ୍ରୋଗ୍ରାମ୍” ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନ୍ସିଲ ଫର୍ କଲ୍ଚରାଲ୍ ରିସର୍ଚ୍ଚ (ଆଇସିସିଆର୍) ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ପ୍ରତିନିଧିମାନେ ଏହି ଗସ୍ତ ସମୟରେ ଭାରତର ଗଣତାନ୍ତ୍ରିକ ପରମ୍ପରା, ସାଂସ୍କୃତିକ ଐତିହ୍ୟ ବିକାଶଧାରା ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବେ । ଏହି ପ୍ରତିନିଧିମାନେ ସୋମବାର ଭାରତରେ ପହଂଚିଥିବା ବେଳେ ସେମାନଙ୍କୁ କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ଦେଶର ଅର୍ଥନୈତିକ କ୍ଷେତ୍ରର ବିକାଶ ଓ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଦକ୍ଷତା ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରାଯିବ ।
ପର୍ତୁଗାଲ୍, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍, ବେଲ୍ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତ।, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ଦିନ ୪ ଦିନିଆ ଓଡ଼ିଶା ଗସ୍ତରେ ପହଂଚିବେ । ସେମାନେ ସୋଆରେ ଏପ୍ରିଲ୍ ୧୫ ତାରିଖ ଦିନ “ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା” ସମ୍ପର୍କିତ ଏକ କର୍ମଶାଳାରେ ଯୋଗ ଦେବେ ।
ରାଜ୍ୟର ବଳିଷ୍ଠ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବା ନିମନ୍ତେ ସୋଆ ପକ୍ଷରୁ ଏପ୍ରିଲ୍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଛି ।ଭୁବନେଶ୍ୱର ଓ ଏହାର ଆଖପାଖ ଅଂଚଳ ସମେତ ପୁରୀ ଓ କୋଣାର୍କ ପରିଦର୍ଶନ କରିବା ସହିତ ସେମାନେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ଗବେଷଣା ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟି ଆଲୋଚନା କରିବେ ।
ସେହିପରି ସେମାନେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଇସିସିଆର୍ର ତଥ୍ୟ ଅନୁଯାୟୀ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ପାଳନ କରୁଥିବା ବେଳେ ଏହି ଗଣତାନ୍ତ୍ରିକ ଯାତ୍ରାର ସଫଳତା ଓ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅନ୍ୟ ଦେଶରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।