{} ଆଇଆଇଏମ୍ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦ୍ଯାପିତ,
“ପ୍ରତିଟି ଜନତା ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଜରୁରୀ”।
() ବିଭିନ୍ନ କ୍ଷେତ୍ରରେ ଆମେ ଉନ୍ନତି କରୁଛେ । ଟେକ୍ନୋଲୋଜିର ବିଭିନ୍ନ ଉଦ୍ଭାବନ ମଣିଷ ସମାଜକୁ ଆଉ ପାଦେ ଆଗେଇ ନେଉଛି । ତେବେ ଅନେକ ସମୟରେ ‘ସ୍ୱଚ୍ଛତା’କୁ ଆମେ ଗୁରୁତ୍ୱ ଦେଉନେ । ଫଳରେ ନାନା ସମସ୍ୟା ସୃଷ୍ଟି ହେଉଛି । ଏଣୁ ପ୍ରତ୍ୟେକ ଜନ ସାଧାରଣ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଶିକ୍ଷାବିତ ଡ. ଉମା ଶଙ୍କର ପାଣ୍ଡେ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି), ଢେଙ୍କାନାଳରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଡ. ପାଣ୍ଡେ କହିଛନ୍ତି, ମହାତ୍ମା ଗାନ୍ଧୀ ସାରା ଜୀବନ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥିଲେ । ଦକ୍ଷିଣ ଆଫ୍ରିକାରେ ଯେତେବେଳେ ସେ ‘ଇଣ୍ଡିଆନ୍ ଓପିନିୟନ୍’ ଖବରକାଗଜ ବାହାର କରୁଥିଲେ, ସେହି ସମୟରୁ ଗାନ୍ଧିଜୀ ଲୋକଙ୍କୁ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରାଇବାକୁ ଚେଷ୍ଟା କରୁଥିଲେ । ପରେ ଏହା ତାଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲା । ପରିବେଶକୁ ସ୍ୱଚ୍ଛ ରଖୁଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ପ୍ରବର୍ତ୍ତାଉଥିଲେ । ଏଣୁ ପରିବେଶ କିପରି ସ୍ୱଚ୍ଛ ରହିବ, କିପରି କମ୍ ପ୍ରଦୂଷଣ ହେବ ଇତ୍ୟାଦି ବିଷୟରେ ଆମେ ସମସ୍ତେ ଉତ୍ତରଦାୟୀ ରହିବା ଦରକାର । ଅର୍ଥାତ୍, ଏନେଇ ନିଜ ଆଡୁ ହିଁ ପ୍ରୟାସ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି । ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ସ୍ୱଚ୍ଛତା ସମ୍ପର୍କରେ ସମସ୍ତେ ସଚେତନ ରହିବା ସହ ଏନେଇ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ । ବିଶେଷକରି ଆଜିକାଲିର ପିଢ଼ି ସ୍ୱଚ୍ଛତାକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିବା ଉଚିତ । ସେହିପରି ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା କରାଯିବା ନେଇ ଡ. ଚାଟାର୍ଜୀ ଗୁରୁତ୍ୱାରୋପ କରିଛନ୍ତି ।
ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ସଂସ୍ଥାନର କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଲକ୍ଷ୍ମୀନାରାୟଣ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ୱିତୀୟ ସ୍ଥାନରେ ମନୋଜ କୁମାର ଜେନା ଓ ତୃତୀୟ ସ୍ଥାନରେ ବଦ୍ରିନାଥ ଜେନା ରହିଥିଲେ । ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ବଂଶୀତା ଜୈସ୍ୱାଲ, ସୁମନ ଦୁବେ ଓ ପ୍ରତୀକ୍ଷା ତ୍ରିପାଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି । ପୋଷ୍ଟର ଡିଜାଇନ୍ ପ୍ରତିଯୋଗିତାରେ ସୁମିତ ଶାହା ପ୍ରଥମ ହୋଇଥିବାବେଳେ ସୃଷ୍ଟି ଭୌମିକ ଦ୍ୱିତୀୟ ଓ ଏମ୍.ଏସ୍. ଦିବ୍ୟାଶ୍ରୀ ତୃତୀୟ ହୋଇଛନ୍ତି । ‘ସ୍ୱଚ୍ଛତା’ ବିଷୟକୁ ନେଇ ଏକ ଭିଡିଓ ପ୍ରସ୍ତୁତି ପ୍ରତିଯୋଗିତା ମଧ୍ୟ ହୋଇଥିଲା । ଏଥିରେ ମେଧା ସିଂହ, କୁମାରୀ ସୁପ୍ରିୟା ଓ କୋମଲ ସିଂହ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ଓ ପୋଷ୍ଟର ପ୍ରଦର୍ଶିତ କରାଯାଇଛି । ଧନ୍ୟବାଦ ଅର୍ପଣ କରିଛନ୍ତି ସହାୟକ ପ୍ରଫେସର ଡ. ହରି କୃଷ୍ଣ ବେହେରା । କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି । ଆଇଆଇଏମ୍ସି ଢେଙ୍କାନାଳରେ ଅକ୍ଟୋବର ୨ରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂସ୍ଥାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ କିଛି ସମୟ ଲେଖାଏଁ ସମସ୍ତେ କ୍ୟାମ୍ପସ୍ ପରିସର ସଫା କରିବା ସହ ବର୍ଜ୍ୟବସ୍ତୁର ପୁନଃବିନିଯୋଗ ନେଇ ଉଦ୍ୟମ କରିଥିଲେ ।