ଭୁବନେଶ୍ୱର :ଦିନେ ଭୋକ ପାଇଁ ସହର ଯାଇଥିଲେ। ଆଉ ଆଜି ଭୋକ ପାଇଁ ଗାଁକୁ ଫେରୁଛନ୍ତି।ଆଉ ଦିନ ରାତି ରାଜ ରାସ୍ତାରେ ମାଇଲ ମାଇଲ ପାଦରେ ଚାଲୁଛନ୍ତି ।ସାରା ରାସ୍ତାରେ ଭୋକିଲା ଚେହେରା।ଛଳ ଛଳ ସଭିଙ୍କ ଆଖି। ଘରକୁ ପହଂଚିବାର ଲକ୍ଷ ଆଗରେ ଯେମିତି ହାର ମାନିଯାଇଛି ପେଟର ଭୋକ ।ଏମିତି ଭୋକ ସହ ଲଢେ଼ଇ କରି ଗାଁକୁ ଫେରୁଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଭାଇ। କିଏ ଘରେ ପହଞ୍ଚୁଛି ତ ! କିଏ ମଝି ରାସ୍ତାରେ ମଧ୍ୟ ଟଳି ପଡୁଛି। ବାସ୍ ଇଏ ହେଉଛି କରୋନା ଯୁଦ୍ଧର କରୁଣା କାହାଣୀ।
ନିଜ ରାଜ୍ୟ ବାହାରେ ଏବେ ଲକ୍ଷ ଲକ୍ଷ ଲୋକ ଫସି ରହିଛନ୍ତି। ଲକ୍ ଡାଉନରେ ସାରା ଦେଶ ଏବେ ବନ୍ଦ ।ସେଥିପାଇଁ ତ ଆଉ କାମ ବି ମିଳୁନି।ପାଖରେ ସଞ୍ଚୟ କରି ରଖିଥିବା ଟଙ୍କା ପାଇସା ବି ସରିଲାଣି।ଏବେ ସମସ୍ତେ ଖାଇବେ କଣ? ବାସ୍ ବଂଚିବାର ଏକ ମାତ୍ର ସାହାରା ହେଉଛି। ନିଜର ଗାଁ।କିନ୍ତୁ ଏବେ ଦେଶରେ ଟ୍ରେନ୍, ବସ୍ ସବୁ ବନ୍ଦ।ଆଉ ଘରକୁ ଯିବେ କେମିତି।ହେଲେ ଭୋକର ଜ୍ୱାଳା ଏତେ ବଢିଗଲା ଯେ ଘରକୁ ଆସିବାକୁ ଆଉ ଯାନ ବାହାନକୁ ଅପେକ୍ଷା କରିବା ସମ୍ଭବ ହେଲା ନି। ଆଉ ଶେଷରେ ଶହ ଶହ ମାଇଲ ଚାଲି ଚାଲି ଘରକୁ ଫେରୁଛନ୍ତି ପ୍ରବାସୀ।
ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ଚିତ୍ରଗୁଡିକ ବେଶ ହୃଦୟ ବିଦାରକ ।ଛୋଟ ଛୁଆ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରାସ୍ତାରେ ପାଦରେ ଚାଲୁଛନ୍ତି। ଏମିତି ଆଉ ଏକ ଦୃଶ୍ୟ ଯାହାକି ଯିଏ ବି ଦେଖୁଛି ଆପେ ଆପେ ଆଖିରୁ ଲୁହ ବାହାରି ଆସୁଛି। ଜଣେ ମା’ ପ୍ରବାସୀ ଶ୍ରମିକଙ୍କ ସହିତ ମିଶି ପଞ୍ଜାବରୁ ବାହାରି ଝାନ୍ସୀ ଅଭିମୁଖେ ଯାତ୍ରା କରି ଘରକୁ ଫେରୁଛନ୍ତି। ଏହି ସମୟରେ ଚାଲିଚାଲି ଥକି ପଡ଼ିଥିବା ଶିଶୁ ମା’ ଧରିଥିବା ସୁଟ୍କେସ୍ ଉପରେ ଶୋଇ ପଡ଼ିଛି। ଥକି ପଡ଼ିଥିବା ଶିଶୁୁକୁ ସୁଟକେସ୍ ଉପରୁ ମା’ ଚାହିଁଲେ ବି ଉଠାଇ ପାରୁ ନାହିଁ। କାରଣ ସେ ବି ତାର ଶିଶୁର ଯନ୍ତ୍ରଣାକୁ ଅନୁଭବ କରି ପାରୁଛି। କିଛି ଉପାୟ ନପାଇ ଶିଶୁଟି ସେମିତି ସୁଟକେସ୍ ଉପରେ ଶୋଇଥିବା ଅବସ୍ଥାରେ ହିଁ ମା’ ତାକୁ ଟାଣିଟାଣି ଘର ଅଭିମୁଖେ ଯାତ୍ରା କରୁଛି।
ଏହାସହ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ହୋଇଥିବା ରେଳ ଦୁର୍ଘଟଣା ବେଶ ଚିନ୍ତାର ବିଷୟ। ମଧ୍ୟପ୍ରଦେଶରୁ ଆରମ୍ଭ ହୋଇଥିବା ପଦ ଯାତ୍ରା ରେଳଧାରଣାରେ ଶେଷ ହୋଉଗଲା। ଚାଲି ଚାଲି ଥକି ଯାଇଥିବା ପାଦ ରେଳ ଧାରଣା ଉପରେ ଅଟକି ଯାଇଥିଲା। ଆଉ କିଛି ସମୟ ବିଶ୍ରାମ ନେଇଥିଲା ।୧୫ ଜଣ ଲୋକ ଶୋଇଥିବାବେଳେ ଲୁହାର ଇଞ୍ଜିନଟା ତାଙ୍କ ଉପରେ ଚଢ଼ିଗଲା। ଆଉ ଅଧା ରହିଗଲା ତାଙ୍କ ଘର ବାହୁଡା।
ବୟସରେ ଅନ୍ତିମ ଚରଣରେ ପହଞ୍ଚିଥିବା ବୁଢ଼ୀ ମାଆ ବି ଏଥିରୁ ବାଦ ପଡିନି। ଭୋକର ଦାଉ ସହି ନ ପାରି ଘରକୁ ଫେରୁଛି । ଗୋଡ଼ରୁ ତାର ଫାଟି ସାରିଲାଣି। ଚାଲି ଚାଲି ରକ୍ତ ବାହାରିଲାଣି। ତଥାପି ଘରକୁ ଭୋକର ଦାଉ ସହି ନ ପାରି ନିଜର ଭିଟା ମାଟିକୁ ଯିବାକୁ ବାହାରିଛି ।ପାଖରେ ଖାଇବାକୁ ଖାଦ୍ୟ ନାଇ। ପିଇବାକୁ ପାଣି ନାଇ। ଏମିତି ଲକ୍ଷ ଲକ୍ଷ ଲୋକ ଚାଲି ଚାଲି ଘରକୁ ଫେରୁଛନ୍ତି । ଯାହାକି ବହୁତ ଦୁଃଖ ଦାୟକ ।
ସୌଜନ୍ୟ : ଲେଖା ଲେଖକଙ୍କ ବ୍ୟକ୍ତି ଲେଖା ନବ କିଶୋର ସାହୁ,