ଯାଜପୁର : ଗଡିଲା ମା ବିରଜାଙ୍କ ସିଂହଧ୍ଵଜ ରଥ । ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ କୋଭିଡ଼ କଟକଣା ମଧ୍ୟରେ ରଥଯାତ୍ରା କରିି ସମ୍ପନ୍ନ କରିଛି ଜିଲ୍ଲା ପ୍ରଶାସନ । ରୀତିନିତି ଅନୁସାରେ ଶନିବାର ଅପରାହ୍ନରେ ପୁଜା ଓ ହୋମ ଯଜ୍ଞ କରାଯିବା ପରେ ମା ଙ୍କ ପ୍ରତିମୂର୍ତ୍ତି ମୁର୍ତି ରଥରେ ବିରାଜମାନ କରିଛି । ଚଳିତ ଥର ବିନା ଭକ୍ତରେ ରଥ ଟଣାଯାଇଛି । ସେବାୟତ ଓ ପୋଲିସ କର୍ମଚାରୀମାନେ ରଥ ଟାଣିବାରେ ନିୟୋଜିତ ହୋଇଛନ୍ତି । ଏଥିଲାଗି ମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନରେ ମାଙ୍କ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ପୋଲିସ ପ୍ରଶାସନ ପକ୍ଷରୁ ରଥ ପରିଚାଳନା ଲାଗି ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ଯାଜପୁର ଏସପି କହିଛନ୍ତି । ରଥ ଟଣା ସମୟ ରେ ମନ୍ଦିର ଚରୁପାର୍ଶ୍ବ ରେ ୧୪୪ ଧାରା ଜାରି କରାଯାଇଛି । ଏଥୁଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ।ସେପଟେ ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ପରମ୍ପରା ବଂଚିଗଲା ବୋଲି କହିଛନ୍ତି ମୁଖ୍ୟ ସେବାୟତ ।
ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କ ନବଦିନାତ୍ମକ ରଥଯାତ୍ରାକୁ ନେଇ ଲାଗିରହିଥିବା କଳ୍ପନା ଜଳ୍ନନାର ଅନ୍ତ ଘଟିଛି । ହାଇକୋର୍ଟଙ୍କ ଦ୍ବାରା ରାୟ ପ୍ରକାଶ ପାଇବା ପରେ ସେବାୟତ ମାନଙ୍କ କୋଭିଡ୍ ପରୀକ୍ଷା କରାଯାଇ ଗତକାଲି ସଂନ୍ଧ୍ୟାରେ ଆରମ୍ଭ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଉତ୍ସବ । ପ୍ରଥମ ଦିନରେ ରଥ ପ୍ରତିଷ୍ଠା ଓ ଯଜ୍ଞ ପୂର୍ଣ୍ଣାହୁତି ପରେ ମନ୍ଦିରରୁ ମାଙ୍କ ପ୍ରତିମାକୁ ସୁଶୋଭିତ ବିମାନରେ ରଥକୁ ଅଣାଯାଇଥିଲା । ଭଜନ କିର୍ତ୍ତନ ଓ ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ପରିବେଶ । ଏହାପରେ ସେବାୟତଙ୍କ ଦ୍ବାରା ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ରଥ ପାଖରେ ନଥିଲେ କୌଣସି ଶ୍ରଦ୍ଧାଳୁ । କେବଳ ଉପସ୍ଥିତ ଥିଲେ ସେବାୟତ, ପୋଲିସ୍, ପ୍ରଶାସନିକ ଅଧିକାରୀ ଓ ଆଉ କିଛି ଗଣମାଧ୍ୟମର ପ୍ରତିନିଧି । ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା ମାଙ୍କର ଏହି ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରାଯିବା ସହିତ ଚାରି ପଟ ରାସ୍ତାକୁ ସିଲ୍ କରାଯାଇଛି । ଏଥିସହ ବେଢା ଚାରିପଟେ ଲାଗୁ ହୋଇଛି ୧୪୪ ଧାରା । ଏବର୍ଷ କୋଭିଡ୍ କଟକଣା ଯୋଗୁଁ ରଥଟାଣିବାରୁ ବଞ୍ଚିତ ହୋଇଛନ୍ତି ଅଗଣିତ ସାଧାରଣ ଭକ୍ତ । ପ୍ରଥମ ଥର ପାଇଁ ଏଥର କେବଳ ସେବାୟତ ମାନଙ୍କ ଦ୍ବାରା ହିଁ ରଥଟଣା କାର୍ଯ୍ୟ ସମ୍ପନ୍ନ ହେଉଛି । ଏଠାରେ ଏବର୍ଷ ଏହି ୯ ଦିନ ବ୍ୟାପି ରଥଯାତ୍ରା ସମ୍ପାଦିତ ହେବ । ଯାହା ସୃଷ୍ଟି କରିଛି ଏକ ବିରଳ ଆଧ୍ୟାତ୍ମିକ ଅନୁଭୁତି । ରବିବାର ମା ବିଜୟା ରଥରେ ବିରାଜମାନ କରି ମନ୍ଦିର ଚାରିପଟେ ରଥ ବୁଲିଥିଲେ l