ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର- କଂଗ୍ରେସ

- Advertisement -

ମୁଖ୍ୟମନ୍ତ୍ରୀ ଏକ ନମ୍ବର ହେଲେ ରାଜ୍ୟ ଏବେବି ଏକ ନମ୍ବର ପଛୁଆ
ରାଜ୍ୟରେ ଜଳସେଚନର ବାସ୍ତବ ସ୍ଥିତି ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି ସରକାର- କଂଗ୍ରେସ
ଭୁବନେଶ୍ୱର ତା – ୧୭.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଂଚାନନ କାନୁନଗୋ, ଖୁବ୍ ଜାକଜମକରେ କଳାହାଣ୍ଡିରେ ହୋଇଥିବା ବିରାଟ ସଭା ଓ କଳାହାଣ୍ଡିର ଦୁର୍ଦ୍ଦିନ ହଟିି ବିକାଶର ମଡେଲ ହେଲା ବୋଲି ଯେଉଁ ଡିଣ୍ଡିମ ପିଟାଗଲା ତାକୁ ମୁଖପାତ୍ର ମନୋଜ ମହାପାତ୍ର, ମନୋରଞ୍ଜନ ଦାଶ ଓ ପ୍ରଶାନ୍ତ ଶତପଥିଙ୍କ ଉପସ୍ଥିତିରେ କଟୁ ସମାଲୋଚନା କରିଥିଲେ । ସେ କହିଥିଲେ ନବୀନବାବୁଙ୍କ ଶାସନକାଳ ଆରମ୍ଭ ହେଲା ୨୦୦୦ ମସିହାରେ । ସେତେବେଳକୁ ଇନ୍ଦ୍ରାବତୀର ୮୦% କାର୍ଯ୍ୟ ସଂପାଦିତ ହୋଇ ସାରଥିଲା । ଗତ କୋଡିଏ ବର୍ଷ ମଧ୍ୟରେ ଇନ୍ଦ୍ରାବତୀର ମାତ୍ର ୨୦% ଜମିକୁ ଜଳସେଚନ କରାଯାଇ ସରକାର ଏତେ ବାହାଦୁରୀ ନେଉଛନ୍ତି କାହିଁକି? ବଡ଼ କଥାହେଉଛିି ଦେଶର ନଂ-୧ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ରାଜ୍ୟ ଏବେବି ଦେଶର କୌଣସି ଗୋଟିଏ ଉତ୍ପାଦନରେ ପ୍ରଥମ ୪ଟି ରାଜ୍ୟ ଭିତରେ ସ୍ଥାନିତ ହୋଇପାରିଲା ନାହିଁ ।
ଓଡ଼ିଶାରେ କୃଷି ଉପଯୋଗୀ ଜମିର ପରିମାଣ ୬୪ଲକ୍ଷ ହେକ୍ଟର ଜମି ଅର୍ଥାତ୍ ସେଥିରୁ ୨୦୧୩-୧୪ରେ ହିସାବ ଅନୁଯାୟୀ ୫୪.୨୪ଲକ୍ଷ ହେକ୍ଟର ଜମିର ଚାଷ ହୋଇଥିଲା । ସେଥିରେ ୪୩ଲକ୍ଷ ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ହୋଇଥାଏ । ଗୋଟିଏ ପରିବାର ପିଛା ହାରାହାରି ୧ହେକ୍ଟର ଜମି ରହିଛି । ସରକାରୀ ହିସାବରେ ଖରିଫ ରୁତୁରେ ୨୨.୫୪ ଲକ୍ଷ ହେକ୍ଟର ଜମିରେ ଅର୍ଥାତ ଭଲ ବର୍ଷାଥିଲେ ଏହିପରିମାଣରେ ଜଳସେଚନ ହୁଏ । ଅନାବୃଷ୍ଟି ସମୟରେ ଆବଶ୍ୟକ ଜଳ ଅଭାବରୁ ଫସଲ କମ୍ ହୁଏ ଏବଂ ଏହି ଜଳସେଚନ ପରିମାଣ ୩୦%ରୁ କମିଯାଏ । ରବି ଋତୁରେ ମାତ୍ର ୧୩ଲକ୍ଷ ହେକ୍ଟର ବା ୨୦% ଜମିରେ ଜଳସେଚନ ବ୍ୟବସ୍ଥା ହୁଏ । ଖରାଦିନରେ ମାତ୍ର ୩% ବା ଅତି ବେଶିହେଲେ ୧.୫ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହୁଏ । ରାଜ୍ୟରେ ବର୍ଷକୁ ମୋଟ ବର୍ଷା ଅନୁପାତ ହାରାହାରି ୧୫୦୦ମି.ମି. ଓ ପ୍ରବାହିତ ଜଳରାଶି ୯୫ ବିଲିଅନ କ୍ୟୁବିକ୍ ମିଟର । ଏଥିରୁ ୭ଟି ମେଜର ଇରିଗେସନ ପ୍ରକଳ୍ପରେ ମାତ୍ର ୧୪ ବି.କ୍ୟୁ. ମିଟର, ୪୦ଟି ମଧ୍ୟମ ଯୋଜନାରେ ୧.୬୩ ବି.କ୍ୟୁ.ମି. ଓ ଅନ୍ୟାନ୍ୟରେ ମାତ ୦.୮୫ ବି.କ୍ୟୁମି. ଏପରି ମୋଟ ୧୭.୩୪ ବି.କ୍ୟୁମି ପାଣି ରୁହେ । ଅର୍ଥାତ ୧୮ରୁ ୨୦% ପାଣି ସଂଗୃହିତ ହୋଇ ରୁହେ ଏବଂ ସମସ୍ତ ଜଳାରଶିର ୭୨% ପାଣି ସମୁଦ୍ରକୁ ବୋହିଯାଏ । ଏ ତଥ୍ୟକୁ ସରକାର ନିଜେ ସ୍ୱୀକାର କରିଛନ୍ତି ।
ନବୀନ ବାବୁ ସରକାରକୁ ଆସିବାପରେ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ନ୍ୟାୟରେ ଯାହା କରିିଛନ୍ତି ତା’ର ଫଳସ୍ୱରୂପ ଜଳସେଚନ ପ୍ରକଳ୍ପ ମାତ୍ର ୪୯.୨୮% ବ୍ୟବହାର ହୋଇଛି, ଯାହାକି ସରକାର ଦାୟିତ୍ୱ ନେବାବେଳେ ୫୮.୯୫%ଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ:-ଗତ ୨୦ ବର୍ଷରେ ଇନ୍ଦ୍ରାବତୀ, ହୀରାକୁଦ, ରେଙ୍ଗାଲି, କୋଲାବ ଆଦିର ଜଳଧାରଣ କ୍ଷମତା ବଢ଼ିଛି ନା କମିଛି? ଜଳ ଧାରଣ କ୍ଷମତା କମିବା ଦ୍ୱାରା କେତେ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି? ରେଙ୍ଗାଲି ବାମ ଓ ଦକ୍ଷିଣ ପାଶ୍ୱର୍, କେନାଲ କାର୍ଯ୍ୟ ଶେଷ ହେବାକୁ ଆହୁରି କେତେବର୍ଷ ଲାଗିବ?ବୈତରଣୀ ନଦୀ ଉପରେ ଆରମ୍ଭ ହୋଇଥିବା କାନପୁର ପ୍ରକଳ୍ପ କେବେସୁଦ୍ଧା ଜଳସେଚନ କ୍ଷମତା ଲାଭ କରିବ? ବର୍ତମାନସୁଦ୍ଧା କେତେଜମିକୁ ଖରିଫ, ରବି ଓ ଖରାଦିନେ ଜଳସେଚନ ବ୍ୟବସ୍ଥା ହୋଇଛି? ଅର୍ଥାତ ଷ୍ଟେଟ ଜମିର କେତେ ପରିମାଣ ତିନି ଫସଲି ହୋଇଛି?
ଆପଣ ସରକାରର ଅବହେଳା ହେତୁ ପୂର୍ବ କଂଗ୍ରେସ ସରକାର ଅମଳରେ ର୍ନିମିତ ମଧ୍ୟମ ଜଳସେଚନ ପ୍ରକଳ୍ପ ଗୁଡ଼ିକର ଜଳଧାରଣ କ୍ଷମତା ଅତିବ ମାତ୍ରାରେ କମିଛି । ନୟାଗଡ଼ରେ ବହୁଚର୍ଚ୍ଚିତ ବୃତାଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୭ଥର ପ୍ରତିଶ୍ରୁତି ଦେବାପରେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ହେଲା ନାହିଁ । ମହାନଦୀରେ ୭ଟି କ୍ଷୁଦ୍ର ଆନିକଟ ନିର୍ମାଣ କରି ଜଳ ରୋକିବା ବ୍ୟବସ୍ଥାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଗଲା କୁଆଡ଼େ । ତଳମୁଣ୍ଡରେ ନଦୀ ସଂଯୋଗିକରଣ ବ୍ୟବସ୍ଥାର ଆଜିର ସ୍ଥିତି କ’ଣ? ଏପର୍ଯ୍ୟନ୍ତ କଳାହାଣ୍ଡିରେ ୧୨ଗୋଟି ମେଗା ଇରିଗେସନର ମୋଟ ୨୦୯ ଗୋଟି ପ୍ରକଳ୍ପରୁ ମାତ୍ର ଗୋଟିଏ ବି ଜଳବଂଟନ ପ୍ରକ୍ରିୟାରେ ସାମିଲ ହୋଇ ପାରି ନାହିଁ । ୨୦୦୫ ରେ ଘୋଷଣା କରିଥିଲେ ଯେ ରାଜ୍ୟର ଅନ୍ତତଃ ୩୧୪ ବ୍ଲକକୁ ଖରିଫ ଋତୁରେ ୩୫% ପାଣି ଯୋଗାଇ ଦିଆଯିବ । ଏପର୍ଯ୍ୟନ୍ତ ୧୯୮ଟି ବ୍ଲକକୁ ୩୦% ପାଣି ବି ଯାଇ ନାହିଁ । ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ ଓ ମୟୁରଭଞ୍ଜ ଭଳି ଜିଲ୍ଲାରେ ବର୍ତମାନ ସୁଦ୍ଧା ୩୦% ଜମିକୁ ଜଳସେଚନର ବ୍ୟବସ୍ଥା ନାହିଁ । ନୂଆପଡ଼ାର ୫ଟି ବ୍ଲକ ଏବେବି ୧୦% ଜଳସେଚନ ସୁବିଧାରୁ ବଂଚିତ ।
ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ନାମରେ ୨୦୧୦-୧୧ ରୁ ଆରମ୍ଭ ହୋଇଥିବା ଚେକ୍ ଡ୍ୟାମରେ ଏପର୍ଯ୍ୟନ୍ତ ୪ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ବର୍ଷାପରେ ରବି ଋତୁରେ ମାତ୍ର ୪୦୦ ହେକ୍ଟର ଜମିରେ ପାଣି ମାଡ଼େ ନାହିଁ । ଉପକୂଳ ଅଂଚଳରେ କ୍ରିକ୍ ଜଳସେଚନ ବ୍ୟବସ୍ଥା ଗଲା କୁଆଡ଼େ? ୧୮ ହଜାର ଲିପ୍ଟ ଇରିଗେସନ ପଏଣ୍ଟ ଅଚଳ ହେତୁ ରାଜ୍ୟରେ ଉଠା ଜଳ ସେଚନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୂଷୁଡ଼ି ପଡ଼ିଛି । ଏ ସମସ୍ତ ପ୍ରଶ୍ନର ଉତର ରଖିବା ପାଇଁ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ।
କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଓଡ଼ିଶାର ପଡ଼ୋଶି ରାଜ୍ୟ ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ହୋଇଥିବା ଜଳସେଚନ ଜନିତ ବିକାଶ ସହିତ ରାଜ୍ୟର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ପଡ଼ୋଶି ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ଜଳସେଚନର ସ୍ଥିତି ଅତ୍ୟନ୍ତ ନଗଣ୍ୟ ଓ ରାଜ୍ୟ ସରକାର ବିଗତ ୨୦ବର୍ଷ ଧରି ରାଜ୍ୟର ଜଳସେଚନ ବ୍ୟବସ୍ଥା ପ୍ରତି ଆଦୌ ଦୃଷ୍ଟି ଦେଇନାହାଁନ୍ତି । କଂଗ୍ରେସ ନେତା ଶ୍ରୀ ମନୋରଞ୍ଜନ ଦାଶ ରାଜ୍ୟ ସରକାରଙ୍କ ଜଳସେଚନ ପ୍ରତି ଥିବା ବୈମାତୃକ ମନୋଭାବକୁ କଠୋର ସମାଲୋଚନା କରିଥିଲେ ଓ କହିଥିଲେ ସଠିକ୍ ଜଳସେଚନ ବ୍ୟବସ୍ଥା ନହେବା ହେତୁ ଓଡ଼ିଶାର ଚାଷ ଓ ଚାଷୀକୂଳ ଉଭୟ ଗଭୀର ଭାବରେ ପ୍ରଭାବିତ ହେଉଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles