ଯାଜପୁର : କରୋନା ସମୟରେ ସେମାନେ ସାଜିଥିଲେ ଯୋଦ୍ଧା l ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତଥ୍ୟ ସଂଗ୍ରହ କରିଥିଲେ l ଆଜି କରୋନା ପ୍ରକୋପ କମିଛି l ହେଲେ ମହାମାରୀ ସମୟରେ ଅଙ୍ଗନୱାଡି କର୍ମୀଙ୍କ କାମ ପ୍ରଶଂସନୀୟ ଓ ତାହା ସବୁବେଳେ ମନେ ରହିବ l ତେଣୁ ମା ମାନେ କେମିତି ଭଲରେ ରହିବେ ସେ ଦିଗରେ ଆମେ ସମସ୍ତେ ଆଗେଇ ଆସିବା ଉଚିତ l ଯାଜପୁରର କଲ୍ୟାଣୀ ମଣ୍ଡପଠାରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ମାନଙ୍କୁ ନେଇ ଅନୁଷ୍ଠିତ ସାଂଗଠନିକ ବୈଠକରେ ଯୋଗଦେଇ ଏକଥା କହିଛନ୍ତି ପୂର୍ବତନ ପୌରାଦକ୍ଷ ଭବପ୍ରସାଦ ଦାସ l ଓଡିଶା ସରକାର ସବୁ ବେଳେ ଅଙ୍ଗନଓ୍ବାଡି କର୍ମୀଙ୍କୁ ଗୁରୁତ୍ବ ଦେବା ସହ ସବୁ ପ୍ରକାର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଥିଲେ l ଏହାସହ ଅଙ୍ଗନଓ୍ବାଡି କର୍ମୀ ସହାୟିକା ସାମୁଖ୍ୟ ମାନଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ ହେବ ସେ ଉପରେ ଭବ ଆଲୋକପାତ କରିଥିଲେ l ସେ ଆହୁରୀ କହିଥିଲେ ଯେ ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଆପଣଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଠିକ ସମୟରେ ଆପଣମାନଙ୍କ ଦାବି ପୂରଣ ଦିଗରେ ଉଚିତ ପଦକ୍ଷେପ ନେବେ l
ଏହି ଅବସରରେ ଅଲ ଓଡିଶା ଅଙ୍ଗନଓ୍ବାଡି କର୍ମୀ ସହାୟିକା ସାମୁଖ୍ୟ ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା କେନ୍ଦ୍ର ସରକାର ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କୁ ଅଣଦେଖା କରୁଥିବା ପ୍ରସଙ୍ଗ ଉଠାଇଥିଲେ l କେନ୍ଦ୍ର ସରକାର ବାରମ୍ବାର ଦରମା ବଢାଇବାକୁ କହିଥିବା ବେଳେ ତାହା ଆଜିଯାଏ ହୋଇପାରୁନି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା l କେନ୍ଦ୍ରର ଅବହେଳା ବଢି ଚାଲିଥିବା ବେଳେ ଦରକାର ପଡିଲେ ସାମୁଖ୍ୟ ପକ୍ଷରୁ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାଵନୀ ଦିଆଯାଇଛି l ତେବେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ବୀମା କରିଛନ୍ତି ଅଙ୍ଗନୱାଡି କର୍ମୀଙ୍କ ପାଇଁ l ଆଗକୁ ଅଙ୍ଗନୱାଡି କର୍ମୀଙ୍କ ଦାବି ପୂରଣ କରାଯିବା ଉପରେ ସରକାର ପଦକ୍ଷେପ ନେବେ l ଏହି ବୈଠକରେ ୫ ଶହରୁ ଅଧିକ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ଉପସ୍ଥିତ ରହିଥିଲେ।….