() ଯଦି ଜୀବିତ ଥାନ୍ତେ, ଆସନ୍ତା ଅକ୍ଟୋବର ୧୨ ତାରିଖରେ ଅକ୍ଷୟ ମହାନ୍ତିଙ୍କୁ ୮୮ ପୁରିଥାନ୍ତା । ୧୯୩୪ ମସିହାରେ କେନ୍ଦ୍ର୍ରାପଡ଼ାରେ ତାଙ୍କ ଜନ୍ମ । ବହୁମୁଖୀ ପ୍ରତିଭା ଥିଲେ ସେ । ଗୀତ ଗାଇଛନ୍ତି, ଲେଖିଛନ୍ତି, ସୁର ଦେଇଛନ୍ତି । ଭକ୍ତିଗୀତଠୁଁ ପ୍ରେମଗୀତ, ଶାସ୍ତ୍ରୀୟଠୁଁ ଆଧୁନିକ – ସବୁ ପ୍ରକାରର ଗୀତ ଗାଇଛନ୍ତି । ଯ।ଯାବରର ଟାଇଟେଲ୍ ଗୀତରେ ବାଦ୍ୟର ପରୀକ୍ଷାନୀରୀିକ୍ଷା ଧର୍ମୀ ବ୍ୟବହାରରୁ ପେଟେଣ୍ଟ୍ ମେଡିସିନ୍ ଭଳି ହାସ୍ୟଧର୍ମୀ ଗୀତିନାଟ୍ୟର ସ୍ୱର ସଂଯୋଜନା- ସବୁଥିରେ ସେ ଥିଲେ ସାବଲୀଳ । ବଙ୍ଗଳା ଭାଷାରେ ଗୀତ ଗାଇଛନ୍ତି । ସେଠି ସୁଯୋଗ ତାଙ୍କ ବାଟ ଚାହିଁ ଥିଲା । ହେଲେ କଟକ ସହର ତାଙ୍କ ବାଟ ଓଗାଳି ବସିଲା । ଏ ସହରକୁ ପ୍ରାଣ ଭରି ଭଲ ପାଉଥିଲେ ସେ । ଏଠୁ ଆଉ କେଉଁଠି ଯିବା କଥା ସେ ଭାବି ବି ପାରିନାହାନ୍ତି କେବେ । ସଙ୍ଗୀତ ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଥିଲେ ବେଶ ଚଳଚଞ୍ଚଳ । ଆନେକ ଚମତ୍କାର ଗଳ୍ପ ଲେଖିଛନ୍ତି । ଭ୍ରମଣ-କାହାଣୀ ଲେଖିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତକୁ ଲୋକପ୍ରିୟ କରିବାରେ ତାଙ୍କର ଗୋଟେ ବଡ଼ ଅବଦାନ ଥିଲା ।
ଦୁଃଖ ହେଲା, ଯେଉଁ କଟକ ସହରକୁ ସେ ଏତେ ଭଲ ପାଉଥିଲେ- ସେ ସହର ତାଙ୍କୁ ବୋଧେ ସେତେ ନିବିଡ଼ ଭାବେ ଭଲ ପାଇ ନି । ମନେ ବି ରଖିନି । ମହାନଦୀ ବ୍ୟାରେଜ୍ କଡ଼ ପାଚେରିରେ ହାତ ଅଙ୍କା ତାଙ୍କ ଛବି ଉପରେ ଦେଖନ୍ତୁ ଜମି ବିକ୍ରି ପୋଷ୍ଟର୍ ଲାଗିଛି (ପନ୍ଦର ଦିନ ତଳେ ମୁଁ ଏ ଛବିଟିକୁ ଉଠେଇଛି)ା ଅକ୍ଷୟ ମହାନ୍ତିଙ୍କୁ ପ୍ରାଣ ଭରି ଭଲ ପାଉଥିବା ଏବଂ ତାଙ୍କ ପାଇଁ ବହୁ ଗୀତ ଲେଖିଥିବା ଦେବଦାସ ଛୋଟରାୟ ରେଭେନ୍ସା ବିଶ୍ୱବିଦ୍ୟାଳୟର କୂଳପତି ଥିଲା ବେଳେ ଅକ୍ଷୟ ମହାନ୍ତିଙ୍କ ନାଁରେ ଏକ ସଙ୍ଗୀତ-କେନ୍ଦ୍ର ସ୍ଥାପନର ଯୋଜନା କରିଥିଲେ । ସେଠି ଅକ୍ଷୟ ମହାନ୍ତିଙ୍କ ଗୀତକୁ ଡିଜାଟାଇଜ୍ କରି ସଂରକ୍ଷଣ କରି ରଖିବା ସହିତ, ଦେଶ ବିଦେଶର ଆଧୁନିକ ଗୀତ ସମ୍ପର୍କରେ ଚର୍ଚ୍ଚାର ଯୋଜନା କରାଯାଇଥିଲା । ସେ ଯୋଜନା ବହୁଦିନୁ କେଉଁ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଅନେକେ ତା କଥା ଭୁଲି ଗଲେଣି ।
ଅକ୍ଷୟ ମହାନ୍ତି ଗାଇଥିଲେ: ସ୍ମୃତି ତୁମେ ପାଉଁଶ ତଳର ନିଆଁ । ଆମ ସ୍ମୃତିରେ ସେ ନିଆଁ କେଉଁ କାଳୁ ବୋଧେ ଲିଭିଗଲାଣି ।
( ସୋସିଆଲ ମିଡିଆରେ ସାରଙ୍କ ଲେଖାଙ୍କ … ଯାହା ଆମେ ବହୁତ୍ ଲୋକଂକ ପାଖରେ ପହଞ୍ଚାଇବାକୁ ଏକ ପ୍ରୟାସ କରିଛୁ l)