ବାଲେଶ୍ଵର: ଦିନେ ପିଣ୍ଡାରୁ ପିଣ୍ଡା ବୁଲି ଛୁଟି ସେ କାଟୁଥିଲେ ।ଆଉ ଆଜି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ନା ତାଙ୍କ ପାଖରେ ଅଛି ବାହୁବଳ । ନା ତାଙ୍କ ପାଖରେ ଅଛି ଅର୍ଥବଳ । ଆଉ ସେ ମଧ୍ୟ ବୟସର ଅପରାହ୍ନରେ ପହଂଚିଲେଣି । ବୟସ ୮୦ରୁ ଉର୍ଦ୍ଧ୍ବ । ହେଲେ ଏବେ ମଧ୍ୟ ଲୋକଙ୍କ ସେବା କରିବାକୁ ତାଙ୍କ ପାଖରେ ଅଛି ଜୋସ । ଏମିତି କି ବାଲେଶ୍ଵର ସଦର ନିର୍ବାଚନରେ ବଡ଼ ଦଳମାନଙ୍କୁ ଚେକ ଦେବାକୁ ବାହାରିଛନ୍ତି । ସେ ହେଉଛନ୍ତି ବେଣୁ ଧର ବାରିକ । ସଦର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାଥି ବେଣୁ ମଉସା । ବେଶ ସାଧା ସିଧା । ନା ଅଛି ଅଟୋପ ଆଡମ୍ବର ନା ପାଟ ପଟୁଆର। ହେଲେ ମନରେ ଅଛି ଦୃଢ ବିଶ୍ବାସ, ଲୋକେ ତାଙ୍କୁ ନିଶ୍ଚୟ ଭୋଟ ଦେବେ। ମିଛ ପ୍ରତିସ୍ମୃତି ନୁହେଁ , କି ଟଙ୍କାର ପାହାଡ଼ ଉପରେ ଛିଡା ହୋଇ ସେ ନିର୍ବାଚନ ଲଢୁନାହାନ୍ତି । ସେ ତ ଦୁଃଖିଲା ମଣିଷ । ଲୋକଙ୍କ ଦୁଃଖ ଓ ଭଲ ପାଇବାକୁ ନେଇ ନିର୍ବାଚନର ରଣାଙ୍ଗନାରେ ଯୋଦ୍ଧା ସାଜିଛନ୍ତି । ସେଥିପାଇଁ ତ ଏବେ ସାରା ରାଜ୍ୟର ନଜର ତାଙ୍କ ଉପରେ । ଏମିତି କି ଅଭିନେତ୍ରୀ ମଧ୍ୟ ସ୍ୱଇଚ୍ଛାରେ ତାଙ୍କ ପାଇଁ ପ୍ରଚାର କରୁଥିବା ଦେଖୁବାକୁ ମିଳିଛି । ସେ ଯାହା ହେଉ ନା କାହିଁକି ନିର୍ବାଚନରେ ତ ହାର ଜିତ ଲାଗି ରହିବ । କିଏ ଜିତିବ କିଏ ହାରିବ ସେ ଭୋଟର ବାଛିବେ । ହେଲେ ଜୀବନର ଅପରାହ୍ନରେ ଏପରି ଜୋଶ ରାଜ୍ୟବାସୀଙ୍କ ପାଇଁ ଉଦାହରଣ ସାଜିବ । ତେବେ ସବୁଠାରୁ ବଡ କଥା ହେଉଛି ବେଣୁଧର ସୋସିଆଲ ମିଡ଼ିଆ ପ୍ରଚାରରେ ବେଶ ଆଗରେ ଅଛନ୍ତି l ଯାହା ରାଜ୍ୟର ୩ ପ୍ରମୁଖ ଦଳକୁ ଚିନ୍ତାରେ ପକାଇଛି l କାରଣ ବାଲେଶ୍ୱର ସଦରନିର୍ବାଚନରେ ବେଣୁଧର ଏଵେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ l