() ଶିକ୍ଷିତ ମଣିଷ ସମାଜ ପାଇଁ ବରଦାନ ହୁଏ l ତାହାର ବୋଧ ଶକ୍ତି ଥାଏ l ଠିକ୍ କଣ ଭୁଲ କଣ ତାହାର ବିଚାର ଶକ୍ତି ସମାଜକୁ ଦିଗ ଦର୍ଶନ ଦିଏ l କିନ୍ତୁ ତାହାଠୁ ସମାଜ ଅପେକ୍ଷା କରେ ଆଗାମୀ ପିଢ଼ି ପାଇଁ ସଂସ୍କାର ଯୁକ୍ତ ଭଲ ଶିକ୍ଷାର ମାନଦଣ୍ଡ l ତେଣୁ ଶିକ୍ଷିତ ହେବା ପାଇଁ ସମାଜର ପ୍ରତ୍ୟେକ ସ୍ତରରେ ଗୁରୁତ୍ଵ ଦିଆଯାଏ l ଗାଆଁ ଠାରୁ ସହରର ସବୁ ପରିବାରରେ ଶିକ୍ଷିତ ସଂଖ୍ୟା ବୃଦ୍ଧି ପାଉଛି l ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷିତ ବ୍ୟକ୍ତି ସିଏ ଯେ କି ସାକ୍ଷର ସହିତ ସଂସ୍କାର ଯୁକ୍ତ ହୋଇଥାଏ l କିନ୍ତୁ ଆଧୁନିକ ସମାଜରେ ସାକ୍ଷର ସଂଖ୍ୟା ବଢୁଛି, ଯାହାକୁ ଆମେ ଶିକ୍ଷିତ ହିସାବରେ ଗଣୁଛନ୍ତି l ହେଲେ ଏବେ ପ୍ରଶ୍ନ ଏହା ଯେ ସେମାନେ କଣ ପ୍ରକୃତରେ ଶିକ୍ଷିତ ?
ବର୍ତ୍ତମାନର ସମାଜରେ କେତେ ଘଟଣାକୁ ତର୍ଜମା କଲେ ହୁଏତ ଏ କଥାକୁ ଭଲ ସେ ବୁଝିହେବ l ଏବେ ମାତ୍ର 2ରୁ 3 ବର୍ଷରୁ ପାଠପଢା ଆରମ୍ଭ କରୁଛନ୍ତି ଶିଶୁମାନେ l 5 ବର୍ଷ ହେଲା ବେଳକୁ ପିଲା ଇଂରାଜୀ ଭାଷାରେ ଅନରଗଳ କହିପାରୁଛି ଓ ପଢ଼ିପାରୁଛି l ହେଲେ ମାତୃଭାଷା ନା ଠିକ୍ ସେ କହି ପାରୁଛି ନା ଲେଖିପାରୁଛି l ଆଉ ସଂସ୍କାର କଥା ଛାଡ଼ନ୍ତୁ l ଠିକ୍ ସେହିପରି ଉଚ୍ଚ ଶିକ୍ଷିତ ହୋଇ ଧନୀ ହୋଇଥିବା ବହୁତ ବଡ ବଡ ବାବୁମାନେ ଆଜି ନିଜର ସଂସ୍କୃତି, ପରମ୍ପରା, ପୂଜା ପର୍ବପର୍ବାଣୀ ଆଦିକୁ ଭୁଲି ଗଲେଣି ପୁରା l କେବଳ ଅଳ୍ପ ଶିକ୍ଷିତ ମଣିଷ ପାଖରେ ଏ ସବୁ ବଂଚି ରହିଛି l ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ସଂସ୍କାର ଥିବା ସଂଖ୍ୟା ହାତ ଗଣତି l ଯୁବ ପୀଢ଼ିଙ୍କ କଥା ତ ନକହିଲେ ଭଲ l ଏସବୁ ଭିତରେ ଏକ ସୁସ୍ଥ ସମାଜ ଗଠନ କିପରି ହେବ ? କେବଳ ଭାଷଣ ବାଜି କି ଉପଦେଶ ନୁହେଁ, ଏବେ ଠାରୁ ଏନେଇ ଚିନ୍ତା କରିବାର ସମୟ ଆସିଛି l ନହେଲେ ତାହାର ପରିଣାମ ଏତେ ଭୟଙ୍କର ହେବ ଯେ ଆମେ କେବଳ ସମୟର ଦ୍ୱାହି ଦେଇ ସମାଜ ପ୍ରତି ଥିବା ଆମର କର୍ତ୍ତବ୍ୟକୁ ଭୁଲି ଯିବା l ଆଉ ସେତେବେଳେ ଶିକ୍ଷିତ ଓ ମୂର୍ଖ କିଏ ଜାଣିବା କଷ୍ଟକର ବ୍ୟାପାର ହୋଇଯିବ l