() ଜୀବନରେ ବନ୍ଧୁଟିଏ ମିଳିବା ଏତେ ସହଜ ନୁହେଁ । ମନକୁ ବୁଝୁଥିବା ଓ ବୁଝାଉ ଥିବା ପ୍ରିୟ ବନ୍ଧୁଟିଏ କମ୍ ଲୋକଙ୍କୁ ମିଳେ । କୁହାଯାଏ ଭଗବାନଙ୍କ ଆଶୀର୍ବାଦ ଥିଲେ ହିଁ ଭଲ ବନ୍ଧୁ ମିଳିଥାଏ । କାରଣ ସେ ହିଁ ତ ଜୀବନର ସୁଖ ଓ ଦୁଃଖର ସାଥି ହୁଏ । ଜୀବନକୁ ବୁଝେ , ବିଶ୍ୱାସ ଦିଏ ନିଶ୍ୱାସକୁ । ଯାହାର ପ୍ରିୟ ବନ୍ଧୁଟିଏ ଅଛି ତାହା ପାଖରେ ଦୁନିଆର ସବୁକିଛି ଅଛି କହିଲେ ଭୂଲ ହେବ ନାହିଁ । କାରଣ ଏହି ସର୍ମ୍ପକରେ ନଥାଏ ସ୍ୱାର୍ଥ । ଥାଏ କେବଳ ଭଲ ପାଇବା ଆଉ ଭଲ ପାଇବା ।
ଗାଁ କି ସହରରେ ଯଦି ଗୋଟେ ପିଲା କିଛି ଖରାପ କାମ କରେ ସାଙ୍ଗେସାଙ୍ଗେ ଗାଁର ମୁରବୀ ଓ ଲୋକେ କୁହାକୁହି ହୁଅନ୍ତି ସେ ପା ସାଙ୍ଗ ମାନଙ୍କ ସହ ପଡ଼ି ଏପରି ହେଉଛି । ସେ କଣ ଆଗରୁ ସେମିତି ଥିଲା କି ? ଏମିତି କେତେ କଣ । ଯେମିତି ସାଙ୍ଗ ସବୁ ଭଲ ଗୁଣର ଶ୍ରେୟ ନିଏ ଠିକ ସେମିତି ସବୁ ଖରାପ ଗୁଣର ଦୋଷ ବି ସେ ମୁଣ୍ଡାଏ । ଆରେ ଏ ଲକ ଡ଼ାଉନ ସମୟରେ ହଠାତ କାହିକିଁ ସାଙ୍ଗ କଥା ମନେ ପଡ଼ିଲା । ଏବେ ତ ଅଦୃଶ୍ୟ ଭୂତାଣୁ କବଳରୁ ନିଜର ରକ୍ଷା କରିବାକୁ ହେଲେ ଘରେ ରହିବା ଏକମାତ୍ର ଉପାୟ । ଖାସ ସେଥିଲାଗି ଏବେ ଅଧିକାଂଶ ଲୋକଙ୍କ ଜୀବନ ଘରର ଚାରିକାନ୍ଥ ଭିତରେ ସୀମିତ l ଆଉ ଏହି ସମୟରେ ସଭିଁଙ୍କ ପ୍ରାୟ ପ୍ରିୟବନ୍ଧୁ ସାଜିଛି ମୋବାଇଲ ଫୋନ । ସକାଳୁ ସଂଞ୍ଜ ଯାଏ ମଣିଷର ସମୟ କଟୁଛି ତାହା ସହ । ତାହା ପୁଣି ଭିନ୍ନ ଭିନ୍ନ ସମୟରେ ଭିନ୍ନଭିନ୍ନ କାମରେ ଲାଗୁଛି ସେ । ଜୀବନରେ ଏ ମୋବାଇଲ ସବୁ ବନ୍ଧୁକୁ ପଛରେ ପକାଇ ମନ ଜଣିନେବ ତାହା କିଏ ଜାଣିଥିଲା । ହଁ ଆଜି ତାହା ବାସ୍ତବ । ମୋବାଇଲ ନଥିଲେ ଜୀବନଟା କଣ ହୋଇଥାନ୍ତା ତାହା ଭାବିବା ବି କଷ୍ଟ । ହେଲେ ଏହି ପ୍ରିୟ ବନ୍ଧୁକୁ କିଏ କେମିତି ବ୍ୟବହାର କରୁଛି ତାହା ବ୍ୟକ୍ତି ଉପରେ ନିର୍ଭର କରେ । ପିଲାମାନେ ଲକ ଡ଼ାଉନରେ ସ୍କୁଲ ଛୁଟି ଥିବାରୁ ମୋବାଇଲର ସହଯୋଗରେ ନିଜର ଭବିଷ୍ୟତ ଗଢୁଛନ୍ତି, ଅନେକ ବୟସଙ୍କ ଓ ଘରଣୀକୁ ମନରଂଜନ କରିବାରେ ଏହା ବେଶ ସହାୟକ ହେଉଛି । ଆଉ ଯୁବଗୋଷ୍ଠୀ ପାଠପଢା , ରିସର୍ଚ୍ଚ ସହ ମୋବାଇଲରେ ଟାଇମ ପାସ କରି ସମୟ ବିତାଉଛନ୍ତି । ଯେମିତି ପ୍ରତ୍ୟେକ ଜିନିଷ ବା ବ୍ୟକ୍ତିଠାରୁ କିଛି ଭଲ ଓ ଖରାପ ଗୁଣ ଶିଖାଯାଏ । ଠିକ ସେହି ପରି ଲକ ଡ଼ାଉନ ସମୟରେ ମୋବାଇଲକୁ ପ୍ରିୟ ବନ୍ଧୁ କରିଥିବା ଅନେକ ଲୋକ ନିଜର ପ୍ରିୟ ବନ୍ଧୁ ଜରିଆରେ ବୈଜ୍ଞାନିକ ହେଉଛନ୍ତି ତ କିଏ ଅଭିନେତା ଓ କିଏ ରାତାରାତି ସେଲିବ୍ରେଟି ବନିଯାଉଛି । ଠିକ ସେହିପରି ଏହି ମୋବାଇଲ ଯୋଗୁଁ କିଏ ଅପରାଧି ଦୁନିଆରେ ପାଦ ଦେଉଛି ତ କିଏ ଜୀବନ ବି ହାରୁଛି । ଯେମିତି ଜଣେ ପ୍ରିୟବନ୍ଧୁ ଜୀବନରେ ଯେତେକଷ୍ଟ ସମୟରେ ଆମ ପାଖରେ ଥାଏ ଓ ସୁଖ ସମୟରେ ବି ଥାଏ । ସମୟ ଅନୁସାରେ ବନ୍ଧୁଠାରୁ ଦ୍ୱରରେ ଥିବା ଅନେକ ବନ୍ଧୁ ମୋବାଇଲକୁ ପ୍ରିୟ ବନ୍ଧୁ କରି ନିଜର ସୁଖ ଓ ଦୁଃଖର ସାଥି କରିଛନ୍ତି ।