ଭୁବନେଶ୍ୱର : ନିର୍ବାଚନ ତାରିଖ ଘୋଷଣା ପରେ ଏବେ ନେତାଙ୍କ ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଅଧିକାଂଶ ନେତାଙ୍କ ପ୍ରଥମ ପସନ୍ଦ ପାଲଟିଛି ବିଜେଡି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଜେଡି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଦେଖି ନେତାଏ ଏବେ ବିଜେଡି ମୁହାଁ ହୋଇଛନ୍ତି । ଯାହା ରାଜ୍ୟ ରାଜନୀତି କୁ ସରଗରମ କରିଛି ।ତିର୍ତୋଲ ବିଧାନସଭା ମଣ୍ଡଳୀର କଂଗ୍ରେସ ଦଳର ବହୁ ସ୍ଥାନୀୟ ମଙ୍ଗୁଆଳ ଆଜି ବିଜେଡିରେ ସାମିଲ ହୋଇଛନ୍ତି ।୧୦ ରୁ ଅଧିକ ନେତା ଓ ଶତାଧିକ ସମର୍ଥକଙ୍କ ସହ କୃଷ୍ଣଚନ୍ଦ୍ର ମଲ୍ଲିକ ବିଜେଡିରେ ଯୋଗଦେଇଛନ୍ତି । ପୂର୍ବତନ ପିସିସି ସେକେଟ୍ରାରୀ ତଥା ତୁଳଙ୍ଗ ଗ୍ରାମପଞ୍ଚାୟତର ସଦସ୍ୟ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ଅନ୍ୟ ମାନଙ୍କୁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରେ ସାମିଲ କରାଯାଇଛି । ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ ମାନେ ବିଜେଡିରେ ସାମିଲ ହୋଇଛନ୍ତି ସେମାନଙ୍କୁ ପ୍ରଣବ ଅଭିନନ୍ଦନ ଜଣାଇବା ସହ ତିର୍ତୋଲରେ ଦଳ ଅଧିକ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଛନ୍ତି । ସେପଟେ କୃଷ୍ଣ ମଲ୍ଲିକ କହିଛନ୍ତି ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଓ ପ୍ରଣବ ସାଂଗଠନିକ କାର୍ଯ୍ୟକଳାପରେ ଆମେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି । କଂଗ୍ରେସକୁ କଟାକ୍ଷ କରି କୃଷ୍ଣ କହିଛନ୍ତି ଯେ ଯେ ଯେଉଁ ଗାଁ ଛାଡିଲି ସେ ଗାଁ କଥା ମୁଁ ଆଲୋଚନା କରେନି । ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଂଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । କୃଷ୍ଣଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ୱରେ ଅନ୍ୟ ନେତା ମାନେ ବିଜେଡି ରେ ଯୋଗ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନ ରେ ଦଳର ବିପୁଳ ବିଜୟ ହେବ ବୋଲି କହିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମ ଅତନୁ ସବ୍ୟସାଚୀ ନାୟକ , ଦେବାଶିଷ ସାମନ୍ତରାୟ ଓ ଜନ୍ମେଜୟ ଲେଙ୍କା, ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।