ଭୁବନେଶ୍ୱର : ୨୦ ବର୍ଷ ଧରି ଓଡ଼ିଶାରେ ବଡ଼ ରାଜନୈତିକ ଦଳ ଭାବେ ଉଭା ହୋଇଛି ବିଜୁ ଜନତା ଦଳ(ବିଜେଡି)। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଚ, ନିର୍ମଳ ଭାବମୂର୍ତ୍ତି ଓ ଲୋକପ୍ରିୟ ଯୋଜନା ପାଇଁ ଲଗାତାର ଭାବେ ବିଜେଡି ଗୋଟେ ପରେ ଗୋଟେ ନିର୍ବାଚନରେ ବିଜୟ ଲାଭ କରୁଛି। ଏତେ ଲମ୍ବା ସମୟ ଓଡ଼ିଶାରେ ଶାସନ କରିବା ବି ବିରଳ। ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ନବୀନ କାମ କରୁଛନ୍ତି।ଓଡ଼ିଶାବାସୀ ଭଲ ପାଇବା ଓ ଦଳୀୟ ନେତା ଓ କର୍ମୀଙ୍କ ପରିଶ୍ରମ ଯୋଗୁଁ ଦଳକୁ ଏପରି ସଫଳତା ମିଳିଛି ବୋଲି ସୁପ୍ରିମ ନବୀନ ପଟ୍ଟନାୟକ କହିଛନ୍ତି । ୨୦୧୯ ନିର୍ବାଚନ ପରେ ସଭାପତି ନବୀନ ପଟ୍ଟନାୟକଙ୍କ ନୂଆ ବିଜେଡି ଗଠନ କରିବାରେ ଲାଗିଛନ୍ତି । ବିଜେଡିର ଭବିଷ୍ୟତ ପାଇଁ ସେ ରଣନୀତି ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ନେଇ ଦଳକୁ ଅଧିକ ତୃଣମୂଳ ସ୍ତରରେ ମଜବୁତ କରିବା ପାଇଁ ନବୀନ ଲମ୍ବା ଖସଡ଼ା ପ୍ରସ୍ତୁତ କରିଛନ୍ତି। ଦଳକୁ ତୃଣମୂଳ ସ୍ତରରେ ଏକ କ୍ୟାଡର ପାଟିରେ ପରିଣତ କରିବା ପାଇଁ ଅଧିକ ଲୋକଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି। ସଶକ୍ତ ଓଡ଼ିଶା ଗଠନ କରିବା ଦିଗରେ ଏବେ ବିଜେଡି ଗୁରୁତ୍ୱ ଦେଉଛି। ପ୍ରଥମ ଥର ବିଜୁ ଜୟନ୍ତୀରେ ନବୀନ ନୂଆ ବିଜେଡି ପାଇଁ ରଣନୀତି ପ୍ରସ୍ତୁତ କଲେ। ଦଳ ପ୍ରତି ଆନୁଗତ୍ୟ ଓ କଠିନ ପରିଶ୍ରମ ପାଇଁ ଯାଜପୁର ବିଧାୟକଙ୍କୁ ନବୀନ ବିଜେଡି ସଂଗଠନ ସମ୍ପାଦକ ପଦର ଗୁରୁ ଦାୟିତ୍ୱ ଦେଲେ। ସିଧାସଳଖ ନବୀନ କହିଲେ ପ୍ରଣବ ହେଉଛନ୍ତି ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର। ଏହାପରେ ପ୍ରଥମ ଥର ପାଇଁ ସଂଗଠନ ସଂପାଦକ(ମୁଖ୍ୟାଳୟ ) ଦାୟିତ୍ବ ଯୁବ ନେତା ସଞ୍ଜୟ ଦାସ ବର୍ମାଙ୍କୁ ଦିଆଯାଇଥିଲା। ଏହି ଦୁଇ ପଦବୀ ସୃଷ୍ଟି ପରେ ଆଭାସ ମିଳିଥିଲା ନୂଆ ବିଜେଡି ଗଠନର। ଏହା ପରେ ବିଜେଡି ରାଜନିତୀରେ ନୂଆ କରି ଦଳରେ ବରିଷ୍ଠ ଉପସଭାପତି , ବରିଷ୍ଠ ସାଧାରଣ ସମ୍ପାଦକ ପଦବୀ ସୃଷ୍ଟି କରି ବହୁ ହେବିୱେଟ ନେତାଙ୍କୁ ଦାୟିତ୍ୱ ଦେଲେ ନବୀନ। କେବଳ ସେତିକି ନୁହେଁ ସେମାନଙ୍କୁ ସଶକ୍ତ ଓଡ଼ିଶା ଗଠନରେ ଥିବା ବିଭିନ୍ନ ବିଭାଗର ଦାୟିତ୍ୱ ଦେଲେ। ପୁରା ଦଳରେ ଅଧିକାଂଶ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ଦଳକୁ ଏକ କ୍ୟାଡର ପାର୍ଟିରେ ନବୀନ ପରିଣତ କରିଛନ୍ତି। ବରିଷ୍ଠ , ଅଭିଜ୍ଞ, ଯୁବ,ମହିଳା ଛାତ୍ର ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ସଂଗଠନକୁ ମଜବୁତ କରିବା ପାଇଁ ଏ ହେଉଛି ନବୀନଙ୍କ ନୂଆ ରଣନୀତି। ଏକଥା ସତ ଯେ ଯେଉଁ କାମ ଅନ୍ୟ ଦଳମାନେ ନିର୍ବାଚନ ଆସିଲେ କରିଥାନ୍ତି ସେହି କାମକୁ ନବୀନ ବର୍ଷ ତମାମ କରିଥାନ୍ତି। ନବୀନଙ୍କ ଏପରି ଚତୁର ରାଜନୈତିକ ଗୋଟି ଚାଳନା ଆଗରେ ବିରୋଧୀ ଫେଲ ମାରିବା ସହ କେବଳ ଓଡିଶା ନୁହେଁ ଜାତୀୟ ରାଜନିତୀରେ ନବୀନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫଳରେ ରାଜ୍ୟ ରାଜନିତୀରେ ବିଜେଡିର ବିକଳ୍ପ ଭାବେ କୌଣସି ରାଜନୈତିକ ଦଳ ଭାବେ ଉଭା ହୋଇପାରିନି। ନବୀନ ଓ ପ୍ରଣବ ଏବେ ବିଜେଡିକୁ ଯେଉଁ ନୂଆ ରୂପ ଦେଇଛନ୍ତି ତାହା ଅନ୍ୟ ଦଳକୁ ଏବେ ଚିନ୍ତାରେ ପକାଇଛି।୨୦୧୯ ନିର୍ବାଚନ ପରେ ଦଳର ସଭ୍ୟ ସଂଖ୍ୟା ୧କୋଟି ଟପିଲାଣି। ଆଗାମୀ ଦିନରେ ଏହା ବିଜେଡି ଅଧିକ ଶକ୍ତିଶାଳୀ ହେବ ,ତାହା ଏହି ବିଜେଡିର ନୂଆ ଟିମକୁ ଦେଖିଲେ ଜଣା ପଡୁଛି।