ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କୁ ଦ୍ରୁତ ଗତିରେ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏବେ ବ୍ରହ୍ମପୁୁର ସୀମା ସିଲ୍ କରାଯାଇଛି । ଗଞ୍ଜାମ ଜିଲ୍ଲାର ସହରାଂଚଳ ଓ ୫ଟି ବ୍ଲକର ହେଡକ୍ୱାର୍ଟରରେ ୫ଦିନିଆ ଶଟଡାଉନ ଆଜି ଶେଷ ହୋଇଛି । ଆସନ୍ତାକାଲି ଠାରୁ ଏଠାରେ ଲକଡାଉନ ଆରମ୍ଭ ହେବ । ଲକଡାଉନ ସମୟରେ କେବଳ ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଲୋକଙ୍କୁ ଛଡାଯିବ ଏବଂ ସବୁଠି ପୋଲିସ ପକ୍ଷରୁ କଡା ଚେକିଂ କରାଯିବ ବୋଲି ଆଜି ପ୍ରେସମିଟ୍ କରି କହିଛନ୍ତି ଏସପି ପିନାକୀ ମିଶ୍ର ।
ଏସପି କହିଛନ୍ତି ଯେ ଏହି ସମୟରେ ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ପାସ୍ ଦେଖାଇବାକୁ ପଡିବ । ଏଥିପାଇଁ ଥାନାକୁ ନଯାଇ ୧୦୦ ନମ୍ବର କିମ୍ବା ଥାନା ଅଧିକାରୀଙ୍କ ମୋବାଇଲକୁ ଫୋନ କରି ଅଭିଯୋଗ ଜଣାଇବାକୁ କୁହାଯାଇଛି । ବର୍ତମାନ ସୁଦ୍ଧା ୯୦ଜଣ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ୭୯ଜଣ ସୁସ୍ଥ ହୋଇଛନ୍ତି । ଘଡିସନ୍ଧି ସମୟରେ ପୋଲିସକୁ ସାହାଯ୍ୟ କରନ୍ତୁ କୋଭିଡ ଗାଇଡଲାଇନ୍କୁ ପାଳନ କରନ୍ତୁ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ସେହିପରି ରାସ୍ତାକଡରେ ପନିପରିବା ଓ ଆମିଷ ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ କଡା ନଜର ରଖାଯିବା ସହ ସେମାନଙ୍କୁ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି କହିଛନ୍ତି । ଏବଂ ବିନା କାରଣରେ ବାହାରେ ବୁଲିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ପିନାକି ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି ।