ଭୁବନେଶ୍ୱର : ବାଲେଶ୍ୱର ଉପ ନିର୍ବାଚନ ଲାଗି ରାଜ୍ୟର ୩ ପ୍ରମୁଖ ଦଳ ଅଣ୍ଟା ଭିଡ଼ିଲେଣି । ନଭେମ୍ବର ୩ ତାରିଖ ହେବାକୁ ଥିବା ନିର୍ବାଚନ ପାଇଁ ଯଦିଓ ବିଧିବଦ୍ଧ ପ୍ରାର୍ଥୀ ନାଁ ଘୋଷଣା କରିନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ହେଲେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବା ତାହା ପୁରା ସ୍ଥିର ହୋଇଛି । ସ୍ଥାନୀୟ ନେତାମାନେ ପ୍ରାର୍ଥୀ କିଏ ହେବ ସେନେଇ ଛକାପଞ୍ଜା ହେଉଥିବା ବେଳେ ରାଜ୍ୟ ନେତୃତ୍ୱ ବାର୍ତ୍ତା ଦେଇଛନ୍ତି ଯେ ଦଳୀୟ ପ୍ରାର୍ଥୀ ଯିଏ ବି ହେଉ ଗଡ଼ କିପରି ଉପ ନିର୍ବାଚନରେ ଜିତିହେବ ତାହା ଉପରେ ସମସ୍ତ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ବାର୍ତ୍ତା ଏବେ ରାଜ୍ୟର ୩ ପ୍ରମୁଖ ଦଳର ନେତାଏ ସ୍ଥାନୀୟ ନେତାଙ୍କୁ ଖୋଲାଖୋଲି ଜଣାଇଦେଇଛନ୍ତି । ସେହି ବିଜେଡ଼ି-ବିଜେପି-କଂଗ୍ରେସ ନିଜର ପ୍ରାର୍ଥୀ ଚୟନ ଚୁଡ଼ାନ୍ତ କରିଛନ୍ତି । ପ୍ରାର୍ଥୀ ବି ରେଡ଼ି ହୋଇଗଲେଣି । ଚାଲିଛି ଭିତିରିଆ ରଣନୀତି । ଦଳରେ ଯେଉଁମାନେ ପ୍ରାର୍ଥୀ ହେବା ଏକରକମର ଫାଇନାଲ ସେମାନେ ଦଳରେ ଅନ୍ୟ ଆଶାୟୀ ପ୍ରାର୍ଥୀଙ୍କୁ ବୁଝାସୁଝା କରି ନିଜ ସପକ୍ଷରେ ଆଣିବା ପାଇଁ ଲାଗିଛନ୍ତି । ଯେଉଁଥିରେ କିଛିଟା ଦ୍ୱନ୍ଦ ଏବେ ରହିଛି । ଏହି ସ୍ଥିତିରେ ଏବେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ।
୨୦୧୯ରେ ନିର୍ବାଚନରେ ବାଲେଶ୍ୱର ଆସନରେ ବିଜୟଲାଭ କରିଥିଲେ ବିଧାୟକ ମଦନମୋହନ ଦର୍ତ୍ତ । ତାଙ୍କର ଅକାଳ ବିୟୋଗରେ ନଭେମ୍ବର ୩ତାରିଖରେ ଉପ ନିର୍ବାଚନ ହେବାକୁ ଯାଉଛି । ଏହି ଉପ ନିର୍ବାଚନରେ ବିଜେଡ଼ି ପୁୂର୍ବତନ ସାଂସଦ ତଥା ବାଲେଶ୍ଵରର ଜିଲ୍ଲା ସଭାପତି ରବିନ୍ଦ୍ର ଜେନାଙ୍କ ର୍ଧମପତ୍ନୀ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ବିଜେଡ଼ି ଟିକେଟ ପାଇଁ ଅନେକ ଆଶାୟୀ ଥିବାରୁ ସମସ୍ତଙ୍କୁ ବାଦ ଦେଇ ଦଳ ସୁବାସିନୀଙ୍କ ଉପରେ ଭରଷା କରିଛି । ମହିଳା କାର୍ଡ଼ ଖେଳିବା ସହ ବାଲ୍ୱୋର ସଦର ଆସନ ହାତେଇବାକୁ ଦଳ ସବୁ ପ୍ରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ସେହିପରି ବିଜେପି ସ୍ୱର୍ଗତ ବିଧାୟକ ମଦନମୋହନ ଦର୍ତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିବାକୁ ଯାଉଛି । ୨୦୧୯ରେ ମଦନମୋହନ ଦର୍ତ୍ତ ଲୋକପ୍ରିୟତାରୁ ଦଳ ଏହି ଆସନ ଜିତିଥିବାରୁ ତାଙ୍କ ପୁଅ ମାନସକୁ ପ୍ରାର୍ଥୀ କରି ପୁଣିଥରେ ଦଳ ଏହି ଆସନ ଅକ୍ତିଆର କରିବାକୁ ଲକ୍ଷ ରଖିଛି । କାରଣ ମାନସ ପ୍ରାର୍ଥୀ ହେଲେ ସହାନୁଭୂତି ଭୋଟ ମାନସଙ୍କ ସହ ରହିବ । ସେହିପରି କଂଗ୍ରେସ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱର ସଦର ଆସନରେ ପ୍ରାର୍ଥୀ କରିବା ଏକ ରକମର ସ୍ଥିର କରି ସାରିଛି । କାରଣ ୨୦୧୯ରେ ନବଜ୍ୟୋତି ମଇଦାନକୁ ଓହ୍ଲାଇଥିଲେ ଓ ଭଲ ଭୋଟ ପାଇଥିଲେ । ଏହା ସହ ନିଜର ବେସ ମଧ୍ୟ ବାଲେଶ୍ୱରରେ ବନାଇଛନ୍ତି । ଏସବୁକୁ ବିଚାର କରି ଦଳ ଏଥର ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା କରିବ । ବାଲେଶ୍ୱର ସଦର ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ଏହି ୩ ଦଳର ପ୍ରାଥୀୀ ମଇଦାନକୁ ଓହ୍ଲାଉଛନ୍ତି । କେବଳ ଅପେକ୍ଷା ବିଧିବଦ୍ଧ ଘୋଷଣାକୁ । ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ସହ ଗଡ଼ ଅକ୍ତିଆର କରିବା ପାଇଁ ସବୁ ଦଳ ରାଜଧାନୀ ଭୁବନେଶ୍ୱରରୁ ବାଲେଶ୍ୱର ଯାଏ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ନିର୍ବାଚନ ଫଳାଫଳ କହିବ ଉପ ନିର୍ବାଚନର ବାଜି କିଏ ଜିତୁଛି ।