ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ମିଡ଼ିଆ ସେଲର ଅଧ୍ୟକ୍ଷ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପଦେଷ୍ଟା ବିଭାଗର ମାନସଙ୍କୁ ବିଜେଡି ମିଡ଼ିଆ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ଗଣ ମାଧ୍ୟମ ଦାୟିତ୍ୱ ବୁଝୁଥିବା ମାନସଙ୍କୁ ଦଳୀୟ ଦାୟିତ୍ୱ ଦେଇ ନବୀନ ଦଳର ପ୍ରଚାର ପ୍ରସାର ଉପରେ ଅଧିକ ଫୋକସ କରିଛନ୍ତି। ପଞ୍ଚମ ପାଳିରେ ନବୀନ ଯେଉଁ ଲୋକ ପ୍ରିୟ ଯୋଜନା କରିଛନ୍ତି ,ଏହାର ପ୍ରଚାର ପ୍ରସାର ଦାୟିତ୍ୱ ଏବେ ମାନସଙ୍କ ଉପରେ ନ୍ୟସ୍ତ କରିଛି ଦଳ। ଜଣେ ନିରପେକ୍ଷ ଓ ନିଷ୍ଠା ପର ସାମ୍ବାଦିକ ଭାବେ ପୂର୍ବରୁ ଓଡ଼ିଶାରେ ବେଶ ପରିଚିତ ହେଉଛନ୍ତି ମାନସ ମଙ୍ଗରାଜ। ଅତୀତରେ ଗଣମାଧ୍ୟମ କ୍ଷେତ୍ରରେ କାମ କରି ତାଙ୍କର ବେଶ ଅଭିଜ୍ଞତା ରହିଛି। ତେଣୁ ସାମ୍ବାଦିକମାନଙ୍କ ସହ ସମନ୍ଵୟ ରଖି ମଙ୍ଗରାଜ ଆଗକୁ ନିଜର ଦାୟିତ୍ବକୁ ସୁଚାରୁରୁପେ ତୁଲେଇବେ ବୋଲି ଦଳ ତାଙ୍କୁ ଏହି ବଡ଼ ଦାୟିତ୍ବ ଦେଇଛି। ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱ ନେବା ପରେ ସେ ସାମ୍ବାଦିକ କଲ୍ୟାଣ ଯୋଜନା ଓ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାରେ ଜଡିତ ହୋଇ ସଭିଙ୍କ ମନ ଜିଣିଛନ୍ତି। ଏପରି କି ସାମ୍ବାଦିକ ପାଣ୍ଠିର ସୁବିନିଯୋଗ କରି ଅନେକ ବରିଷ୍ଠ ଓ ଅସୁସ୍ଥ ସାମ୍ବାଦିକଙ୍କୁ ସାହାଯ୍ୟ କରିଛନ୍ତି। କରୋନା ମହାମାରୀ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମନବଳ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ୧୫ ଲକ୍ଷ ଟଙ୍କାର ବିମାରାଶି ବ୍ୟବସ୍ଥା କରିବାରେ ପ୍ରମୁଖ ଭୂମିକା ନେଇଥିଲେ ସେ । କେବଳ ସେତିକି ନୁହେଁ ବିଭିନ୍ନ ସାମ୍ବାଦିକ ସଂଘ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ସାମ୍ବାଦିକ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରନ୍ତି। କେବଳ ଗଣମାଧ୍ୟମ କଥା ନୁହେଁ ଦଳୀୟ ସଂଗଠନ କାର୍ଯ୍ୟରେ ମଧ୍ୟ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ ରହିଛି। ଚିଲିକା ନିର୍ବାଚନ ମଣ୍ଡଳୀର ଯୁବନେତା ମାନସ ମଙ୍ଗରାଜ ତାଙ୍କ କାର୍ଯ୍ୟ ପାଇଁ ସଭିଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ଶ୍ରୀ ମଙ୍ଗରାଜ ଅତ୍ୟନ୍ତ ମିଷ୍ଟଭାଷୀ ହୋଇଥିବାରୁ ନବୀନ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ମିଳିଲା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି। ତେବେ ପଦ ପଦବୀ ଲାଳସାରେ ନଥିବା ମାନସ ନିଜ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଇଥାନ୍ତି ।