{} ମଦ୍ୟପାନ ଯୋଗୁଁ ବର୍ଷକୁ ପୃଥିବୀରେ ୩୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି…
() ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି ।ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟୁଥିବାବେଳେ ଏହି ଅଭ୍ୟାସ ପ୍ରାୟ୨୦୦ ରୋଗର କାରଣ ହୋଇଥାଏ । ପୃଥିବୀର ସମସ୍ତ ମୃତ୍ୟୁରୁ ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି । ଏହାଛଡା ୨୦ରୁ ୩୯ବର୍ଷ ମଧ୍ୟରେ ଥିବା ଯୁବବର୍ଗର୧୩.୫ ପ୍ରତିଶତ ମୃତ୍ୟୁ ମଦ୍ୟପାନ ଜନିତ ଅଟେ ବୋଲି ନିକଟରେ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ରାଜୁ ଏହା କହିଥିଲେ ।
ଡକ୍ଟର ରାଜୁ, ଯିଏ କି ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟିର ସଭାପତି, କହିଥିଲେ ଯେ ପୃଥିବୀର ମଦ୍ୟ ଆବଶ୍ୟକତାର ୬୫ ପ୍ରତିଶତ ମଦ୍ୟ ଭାରତରେ ପ୍ରସ୍ତୁତ ହୋଇଥାଏ । ମଦ୍ୟପାନ ଯୋଗୁଁ ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ ।ସେ କହିଥିଲେ ଯେ ମଦ୍ୟପାନ ସମସ୍ତ ଆତ୍ମହତ୍ୟାର ୨୨ପ୍ରତିଶତ ନିମନ୍ତେ ଦାୟୀ ଏବଂ ରାସ୍ତା ଦୁର୍ଘଟଣା ଛଡା ଘଟୁଥିବା ଅନ୍ୟାନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁର ୨୦ ପ୍ରତିଶତ ଏହି କାରଣରୁ ହୁଏ । ଗତ ତିନି ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ୩୮,୦୦୦ ରାସ୍ତା ଦୁର୍ଘଟଣା ଘଟିଛି ବୋଲି ସେ କହିଥିଲେ ।
ଶିକ୍ଷା ଓ ଅନୁସନ୍ଧାନ ର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ଡିନ ପ୍ରଫେସର (ଡ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ଆଇପିଏସର ସର୍ବଭାରତୀୟ ସଂପାଦକ ଡ. ଅରବିନ୍ଦ ବ୍ରହ୍ମା, ଆଇପିଏସର ଓଡିଶା ଶାଖା ସଭାପତି ଡ. ପ୍ରଣବ ମହାପାତ୍ର ଓ ସଂପାଦକ ଡ. ଅଶ୍ରୁମୋଚନ ସାହୁ, ସମ ହସ୍ପିଟାଲ ମନସ୍ତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି ସେମିନାରରେ ବକ୍ତବ୍ୟ ରଖିଥିଲେ ।ସରକାରୀ ସ୍ତରରେ ମଦ୍ୟପାନର ମନ୍ଦ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ପଦକ୍ଷେପର ଆବଶ୍ୟକତା ଥିବାବେଳେ ସରକାର ଏହାର ପ୍ରଚଳନ ଦ୍ୱାରା ଅଧିକ ଟିକସ ଆଦାୟ କରିବାକୁ ଉଦ୍ଦେଶ୍ୟ ରଖିବା ଦ୍ୱାରା ଜନ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି ବୋଲି ଡ. ରାଜୁ କହିଥିଲେ ।
ଗୁଜରାଟ, ବିହାର, ନାଗାଲ୍ୟାଣ୍ଡ ଓ ମଣିପୁର ଭଳି ୪ଟି ରାଜ୍ୟ ତଥା ଲାକ୍ଷାଦ୍ୱୀପରେ ମଦ୍ୟପାନକୁ ସଂପୂର୍ଣ୍ଣ ବା ଆଂଶିକ ଭାବେ ବନ୍ଦ କରାଯାଇଥିବା ପ୍ରକାଶ କରି ଡ.ରାଜୁ କହିଥିଲେ ଯେ ଜାତୀୟ ସ୍ତରରେ ଏକ ନିର୍ଦ୍ଦିଷ୍ଟ ପଲିସି ନଥିବାରୁ ଏ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ମଧ୍ୟରେ ମତଭେଦ ସୃଷ୍ଟି ହେଉଛି ।