୧୩୬ କୋଟି ଲୋକ ଓ ଶହଶହ ସର୍ମ୍ପକ ଭିତରେ ବି ରହି ସେ କେତେ କଣ ଭାବିଚାଲେ । ବ୍ୟସ୍ତ , ଜଞ୍ଜଳା ଭିତରେ ବି ସେ କେବେ ଥକି ପଡ଼େ ନାହିଁ । ତା ଭିତରେ ସବୁବେଳେ ଭରପୁର ରହିଥାଏ ଜୋସ । ଯେମିତି ସେ ଗୋଟେ ସମୁଦ୍ର । କାହାଠୁ କିଛି ପାଇବାର ଆଶା ନାହିଁ, କି କାହାଠୁ କିଛି ନେବାକୁ ବି ଆଶା ନାହିଁ । ବଂର ଯିଏ ଯାହା ଦେବେ ତାକୁ କେମିତି ସେ ସେହିପରି ଫେରାଇ ଦେବେ ସେ କାମ କରେ ସବୁବେଳେ । ସେଥିରେ ତାହାର ଆନନ୍ଦ । ଦିନରାତି ଓ ପ୍ରତି ମିନିଟରେ ସେ ନିଜକୁ ନିଜେ ସବୁ ସମୟ ସହ ଖାପ ଖୁଆଇ ଚାଲିଥାଏ । ଦୁଃଖ ଆସେ, ସୁଖ, ଆସେ , ଯନ୍ତ୍ରଣା ପାଏ , ଶାନ୍ତି ବି ପାଏ । ହେଲେ କେବେ ବି ସେ ବିଚଳିତ ହୁଏ ନାହିଁ । ଶୀଘ୍ର ପାଇବାର ଆଶା ନଥାଏ କି ଲମ୍ବା ସମୟର ଅପେକ୍ଷାକୁ ସେ ଭଲ ପାଏ ନାହିଁ । ପ୍ରେମ, ଧୋକା, ବଦମାସୀ , ପୁଣି ବାଚଳାମୀ ସବୁ କିଛି ଯେମିତି ଚାଳିଥାଏ । ପୁଣି ଅବଶୋଷ ଓ ଅବକାଶ ଆଉ ତାହାରି ଭିତରେ ଆଶା ଆଉ ନିରାଶ ବି । ମିଛ ସତ , ରାଗ ରୁଷା, ଜଣା ଅଜଣା ,ଭୂଲ ଠିକ ସବୁ କିଛି ହିସାବ କରେ । ଏମିତି କେତେ କଣ । ଯାହା ନିଶ୍ଚିତ ତାହା ପାଏ, ହେଲେ ତଥାପି ଯାହା ପାଇବାର ଆଶା ନଥାଏ ତା ପଛରେ ସେ ଧାଇଁଥାଏ । ତା ଭିତରେ ରହିଛି ଚନ୍ଦ୍ରକୁ ଯିବାର ସାହସ ତ ସୀମାରେ ଜବାନଙ୍କ ସହ ଲଢିବାର ବଳ । ପୁଣି କେତେବେଳେ ଏକତରଫା ପ୍ରେମର ସେ ସାଜିଥାଏ ଏକୁଟିଆ ବାଟୋଇ । ସେ ବେଳେବେଳେ ପେଟ୍ରୋଲ , ଡ଼ିଜେଲ , ସୁନା ଭଳି ଆକାଶ ଛୁଆଁ ହୋଇଯାଇ ଖୁସି ଅନୁଭବ କରେ ତ ଆଉ କେବେ ଏତେ ଶସ୍ତା ହୋଇଯାଏ ଯେମିତି ଟମାଟୋ(ବିଲାତି ବାଇଗଣ ) । ଚୁପ ରହି କେତେବେଳେ ସବୁକିଛି କରିଦିଏ ତ ଆଉ କେତେବେଳେ ଗର୍ଜନ କରି ବି ହତାଶ ହୋଇପଡ଼େ । ଯେତେ ଶଦ୍ଦ, ଯେତେ ଭାବନା ଓ ଯେତେ ବ୍ୟଥା ଆଉ ଯେତେ ଯନ୍ତ୍ରଣ ସବୁ ସେ ସହଜରେ ହଜମ କରେ । ହେଲେ ବେଳେବେଳେ ଗ୍ୟାସଷ୍ଟିକରେ ବି ଛଟପଟ ହୋଇ ଯନ୍ତ୍ରଣା ପାଏ । ଏସବୁ ଭିତରେ ବି ସେ ରଙ୍ଗୀନ ହୁଏ ଓ ଅନ୍ୟକୁ ରଙ୍ଗିନ କରେ । ଖୁସି ପାଏ ଓ ଖୁସି ବାଣ୍ଟେ । ଦୁଃଖ ପାଏ , ଓ ଦୁଃଖ ଦିଏ । ମନ ଜିଣେ ଆଉ ମନ ଭାଙ୍ଗେ । ହେଲେ ବେଳେବେଳେ ସେ ସେହି ଏକୁଟିଆ ପଣକୁ ହିଁ ଚୁପ ସେ ଗ୍ରହଣ କରିନିଏ l