() ରାମଚନ୍ଦ୍ରବାବୁ । ଘର ଯାଜପୁର ସହରର ପାଣିକୋଇଲି ଅଚଂଳରେ । ପେଷାରେ ସେ ଜଣେ ଶିକ୍ଷକ । ପୁରା ଖଣ୍ଡମଣ୍ଡଳରେ ସେ ଜଣେ ଗାନ୍ଧୀବାଦି ଭାବେ ପରିଚିତ । ଗାନ୍ଧୀଙ୍କ ନୀତି , ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ବିତାଉଛନ୍ତି । ମୋଟାମୋଟି ଭାବେ କହିଲେ ଜଣେ ଭଲ ଲୋକ । ସମାଜକୁ ପରିବର୍ତ୍ତନ ନୁହେଁ, ନିଜ ଠାରୁ ପରିବର୍ତ୍ତନ ସେ ଆରମ୍ଭ କରନ୍ତି ତାଙ୍କ ଜୀବନରେ । ସବୁବେଳେ କିଛି ନୂଆ କରନ୍ତି ସେ , ଯାହା ଅନ୍ୟପାଇଁ ଉଦାହରଣ ପାଲଟିଯାଏ । ଶିକ୍ଷକ ଜୀବନରେ ତାଙ୍କର ଅନେକ ଛାତ୍ର ଏବେ ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହୋଇ ଛିଡ଼ା ହୋଇଛନ୍ତି ।
ଆଜି ଗାନ୍ଧୀ ଜୟନ୍ତି , ପୁରା ଦେଶରେ ଆନନ୍ଦ ଓ ଭକ୍ତିର ସହ ପାଳନ କରାଯାଇଉଛି ବାପୁଙ୍କ ଜୟନ୍ତି । ଆଜିର ଦିନ ରାମଚନ୍ଦ୍ରବାବୁ ପାଇଁ ନୂଆ କିଛି ନାହିଁ । ପ୍ରତ୍ୟେକ ଦିନ ପରି ସେ ଗାଁର ଗରିବ ପିଲାଙ୍କ ପାଠାପଢାଇ ସାରିବା ପରେ ଗାଁ ଲୋକମାନେ ଯେଉଁସବୁ ସ୍ଥାନ ବେଶୀ ବ୍ୟବହାର କରନ୍ତି ତାହାକୁ ପରିସ୍କାର ଓ ପରିଛନ୍ନ ରଖିବା ଦାୟିତ୍ବ ଯେମିତି ତାଙ୍କର ପ୍ରଥମ କର୍ତ୍ତବ୍ୟ ।
ରାମଚନ୍ଦ୍ରବାବୁଙ୍କ ଦୁଇପୁଅ । ଦୁଇପୁଅ ସାମାଜରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ଭଲ ଚାକିରୀ କରିଛନ୍ତି । ଦୁହିଁଙ୍କ ଭିତରୁ ବଡ଼ପୁଅ ଘରପାଇଁ ସବୁକିଛି କରେ । ପଇସା ପତ୍ର ଠାରୁ ଆରମ୍ଭ କରି ସବୁ ଦାୟିତ୍ବ ନିଅନ୍ତି । ହେଲେ ରାମଚନ୍ଦ୍ରବାବୁଙ୍କ ନୀତି ଆଦର୍ଶକୁ କିନ୍ତୁ ଗ୍ରହଣ କରନ୍ତିନି ସେ । ତାଙ୍କର ଚିନ୍ତାଧାରା ହେଉଛି ଦୁନିଆ ଯେଉଁରାସ୍ତାରେ ଯାଉଛି, ସେହି ରାସ୍ତାରେ ସେ ଯିବାକୁ ପସନ୍ଦ କରନ୍ତି । ହେଲେ ରାମଚନ୍ଦ୍ରବାବୁଙ୍କ ସାନପୁଅ କିନ୍ତୁ ଟିକେ ଅଲଗା । ପୁରା ରାମଚନ୍ଦ୍ରବାବୁଙ୍କ ପରି । କହିବାକୁ ଗଲେ ବାପାଙ୍କ ଗୁଣ ସବୁ ତାଙ୍କ ପାଖରେ ଅଛି । ଯେହେତୁ ରାମଚନ୍ଦ୍ରବାବୁ ଯାହା ଚାହାନ୍ତି ସାନପୁଅ ସେହି ନୀତିରେ ଯାଏ , ତେଣୁ ସେ ତାଙ୍କର ପ୍ରିୟ । ବଡ଼ପୁଅ ସବୁ ଦେଉଥିଲେ ମଧ୍ୟ ବଡ଼ପୁଅ ରାମଚନ୍ଦ୍ରବାବୁ ତାଙ୍କୁ ସେତେଟା ଭଲ ପାଆନ୍ତିନି । କାରଣ ଆତ୍ମା ତାଙ୍କର ଯାହା ଚାହେଁ ସାନପୁଅ ତା କରେ ।
ଠିକ ସେହିପରି ଭାବେ ଆଜି ଗାନ୍ଧୀ ଜୟନ୍ତି ପାଳନ କରାଯାଉଛି । ମାତ୍ର ହାତ ଗଣତି ଲୋକଙ୍କୁ ଛାଡ଼ିଦେଲ ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ଯେମିତି ଆଜି କେବଳ ପଢାବହି ଓ ଭାଷଣ ବାଜିରେ ବଂଚି ରହିଛି । ଯାହା କେବଳ ଗାନ୍ଧୀ ଜୟନ୍ତିରେ ମନେପଡ଼େ । ଗାନ୍ଧୀଙ୍କ ମୂଳମନ୍ତ୍ର ଅହିଂସା ହୋଇଥିବା ବେଳେ ଆଜି କିନ୍ତୁ ଯୁବପିଢି ଠାରୁ ଆରମ୍ଭ କରି ବରିଷ୍ଠ ଯାଏ କାହା ପାଖରେ କିନ୍ତୁ ସେ ଗୁଣନାହିଁ । ରୋଡ଼ ଜାମରେ ଯଦି ଭୁଲରେ କାହା ପଛରେ ଟିକେ ଗାଡ଼ି ବାଜିଯାଏ , ସଙ୍ଗେସଙ୍ଗେ ଝଗଡ଼ା ଆରମ୍ଭ ହୋଇଯାଏ । ବେଳେବେଳେ ଝଗଡ଼ା ଏତେମାତ୍ରାରେ ବଢିଯାଏ ଯେ ରକ୍ତପାତ ମଧ୍ୟ ଘଟେ । ନିଶାକୁ ବିରୋଧ କରୁଥିଲେ ଗାନ୍ଧୀ, ଆଜି ପୁରା ଦୁନିଆ ନିଶାରେ ବୁଡ଼ିବାକୁ ଭଲପାଉଛି । ଜାତି ପ୍ରଥାକୁ ଗାନ୍ଧୀ ପୁରା ବିରୋଧ କରୁଥିଲେ , ହେଲେ ଆଜି ଏହା ଚରମସୀମାରେ ପହଞ୍ଚିଛି । କେବଳ ପ୍ରେମ ବିବାହରେ ଏଥିରେ ଟିକେ ବ୍ୟତିକ୍ରମ ଦେଖାଦେଉଛି । ବିଦେଶ ନୁହେଁ, ସ୍ବଦେଶ ଜିନିଷ ପିନ୍ଧିବାକୁ ଗାନ୍ଧୀ ସବୁବେଳେ କହୁଥିଲେ । ହେଲେ ଆଜି ବିଦେଶ ପୋଷାକ ନପିନ୍ଦିଲେ ଆମେ ଯେମିତି ବଂଚିପାରିବା ନାହିଁା ଗାନ୍ଧୀଙ୍କ ନୀତି ଓ ଆଦର୍ଶ କଥା କହିଲେ ବା ଲେଖିଲେ ସରିବନି । ମୁକ୍ତି, ଶାନ୍ତି, ଅହିଂସାର ପ୍ରତୀକ ଗାନ୍ଧୀ । ଗାନ୍ଧୀଙ୍କ ୩ ମାଙ୍କଡ ବାର୍ତ୍ତା ଆଜି ମୂଲ୍ୟହୀନ ହୋଇପଡିଛି l ଖରାପ କଥା କହିବିନି, ଖରାପ କଥା ଦେଖିବିନି, ଖରାପ କଥା ଶୁଣିବିନି । ହେଲେ ଆଜିର ସମାଜ କିନ୍ତୁ ଏହି ୩ଟି କଥାର ପୁରା ଓଲଟା । ଆଉ ଏସବୁ ପରେ ମଧ୍ୟ ଆମେ ଗାନ୍ଧୀବାଦି । ଗାନ୍ଧୀ ଜୟନ୍ତିରେ କେତେ କଣ ଆୟୋଜନ , କେତେ ସଭା, କେତେ ଭାଷଣ । ସବୁ ହେଉଛି , ହେବା ବି ଦରକାର । ହେଲେ ସେଥିରେ ଯେମିତି ଆତ୍ମା ନାହିଁ । ସେଥିପାଇଁ ତ କେଉଁଠି ଗୋଟେ ଅଦୃଶ୍ୟ ଭାବେ ଶଦ୍ଧ କିଏ କହୁଛି ଆତ୍ମାରେ ନାହାନ୍ତି ମହାତ୍ମା l ………
।