ଭୁବନେଶ୍ୱର:କରୋନା ମହାମାରୀ ପ୍ରଭାବରେ ମଣିଷର ନିତିଦିନିଆ ଜୀବନ ଯାପନରେ ଦେଖା ଦେଇଛି ପରିବର୍ତ୍ତନ। ପ୍ରତେକ ମୁହୂର୍ତ୍ତରେ କଟକଣା ମଧ୍ୟରେ ରହିବାକୁ ପଡୁଛି। କାରଣ କୋଭିଡ ୧୯ ର କଟକଣା ସଭିଙ୍କ ପାଦରେ ସିକୁଳି ଭାବେ ବନ୍ଧା ହୋଇଛି। ଯାହାର ଫଳ ସ୍ୱରୂପ ଆଜି ପାର୍ବଣ ଋତୁ ଫିକା ପଡିଯାଇଛି। ନାଁ ମଣ୍ଡପରେ ଅଛନ୍ତି ଅଗ୍ର ପୂଜ୍ୟ ଗଣେଶ। ନାଁ ଦେଖିବାକୁ ମିଳିଛି ପେଣ୍ଡାଲ ସାମ୍ନାରେ ଲୋକଙ୍କ ଗହଳି। କରୋନାର ଭୟାବହତାକୁ ଦେଖି ଏଥର କୌଣସି ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା କରିହେବ ନାହିଁ ବୋଲି ପ୍ରଶାସନ ଘୋଷଣା କରିଛି।
ଗାଁ ଠାରୁ ସହର ସବୁଆଡେ ଆଜି ଉତ୍ସବ ମୁଖର ହୋଇଥାନ୍ତା। ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନରେ ଲୋକେ ହୋଇଥାନ୍ତେ ବିଭୋର। ରଙ୍ଗ ବେରଙ୍ଗର ଆଲୋକ , ସୁଉଚ୍ଚ ତୋରଣ ସହ କୋଳାହଳରେ ଫାଟି ପଡୁଥାନ୍ତା ପରିବେଶ। ସ୍କୁଲରେ ପିଲାମାନେ ଠାକୁରଙ୍କୁ ମୁଣ୍ଡିଆ ମାରି ପାଠ ଦେବାକୁ ପ୍ରାର୍ଥନା କରିଥାନ୍ତେ। ହେଲେ ଏ ବର୍ଷ ଏସବୁ କିଛି ହେଲା ନାହିଁ। ସବୁଠି ଖାଁ ଖାଁ ଦେଖାଯାଉଛି। ଲୋକଙ୍କୁ ଏକାଠି ହେବାକୁ ମନା ହୋଇଛି। ଲୋକମଧ୍ୟ ସରକାରଙ୍କ ସମସ୍ତ ଗାଇଡ଼ ଲାଇନକୁ ମାନି ଘରେ ପୂଜା କରୁଛନ୍ତି। ସେପଟେ ଯାଜପୁର ମା ମଙ୍ଗଳା ପୂଜା କମିଟି ପକ୍ଷରୁ ପୂଜା ମଣ୍ଡପ ନୁହେଁ, ଘର ବାରଣ୍ଡାରେ ଗଜାନନଙ୍କ ପୂଜା କରାଯାଇଛି l ପୂଜା କମିଟିର ବରିଷ୍ଠ ସଦସ୍ୟ ଧ୍ରୁବ କୁମାର ମହାପାତ୍ର ଗଣପତି ବାବାଙ୍କ ପୂଜା କରୁଥିଲେ l ଯେହେତୁ ଏଥର ଗଣେଷ ପୂଜା ମଣ୍ଡପରେ ନକରିବା ପାଇଁ ପ୍ରଶାସନ କଟକଣା ଜାରୀ କରିଛି l ସେଥିପାଇଁ ପୂଜା କମିଟି ଏହି ନିଷ୍ପତି ନେଇଥିଲା l