ଢେଙ୍କାନାଳ: ଦେଶ ସ୍ୱାଧୀନ ସମୟରୁ ଆଜି ଯାଏ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ହୋଇଛି । ନିର୍ଭୀକ ସାମ୍ବାଦିକତା ହିଁ ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ହେଲେ ବର୍ତ୍ତମାନ ସବୁକିଛି ବଦଳିଛି । ଖବରର ବିଷୟବସ୍ତୁ ଓ ମୂଲ୍ୟବୋଧରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏଣୁ ଗଣମାଧ୍ୟମ ବିଷୟବସ୍ତୁ ଓ ମୂଲ୍ୟବୋଧ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ଖ୍ୟାତନାମା ସାମ୍ବାଦିକ ତଥା ସୁଲେଖକ ବିନୋଦ ଭରଦ୍ୱାଜ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ୫୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେହିପରି ଆଇଆଇଏମ୍ସି ଢେଙ୍କାନାଳର ୩୦ତମ ପ୍ରତିଷ୍ଠା ଦିବସ ଅବସରରେ ‘ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଭାରତରେ ଗଣମାଧ୍ୟମର ପରିବର୍ତ୍ତନୀୟ ରୂପରେଖ’ ଶୀର୍ଷକ ପ୍ରତିଷ୍ଠା ଦିବସ ବକ୍ତବ୍ୟ ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ଶ୍ରୀ ଭରଦ୍ୱାଜ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ଖବରକାଗଜଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ୱାଧୀନତା ପ୍ରାପ୍ତି । ଏଥିପାଇଁ ବହୁ ବ୍ୟକ୍ତି ଖବରକାଗଜ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନକୁ ସଂଗଠିତ କରିବା ଲାଗି ପ୍ରଚେଷ୍ଟା କରିଥିଲେ । ତେବେ ସ୍ୱାଧୀନତା ପରେ ଧୀରେ ଧୀରେ ଅଧିକାଂଶ ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଲା । ସାମ୍ବାଦିକତା ସହ ଯୋଡ଼ି ହୋଇଗଲା ବ୍ୟବସାୟିକ ଓ ରାଜନୈତିକ ମନୋବୃତ୍ତି । ରାଜନୀତି ସହ ସମ୍ପୃକ୍ତ ଅନେକ ଲୋକ ଗଣମାଧ୍ୟମକୁ ଅସ୍ତ୍ର ଭାବେ ବ୍ୟବହାର କରିଲେ । ଆଉ କିଛି ଗଣମାଧ୍ୟମ ବ୍ୟବସାୟକୁ ସବୁଠୁଁ ଅଧିକ ପ୍ରାଧାନ୍ୟ ଦେଲା । ଏମିତି ସ୍ଥିତିରେ ବି ବିଭିନ୍ନ ଆଞ୍ଚଳିକ ଭାଷାର ଖବରକାଗଜରେ ଭଲ ବିଷୟବସ୍ତୁ ରହିଥିଲା । ଅଧିକରୁ ଅଧିକ ପାଠକ ଭାଷାଭିତ୍ତିକ ଖବରକାଗଜ ପଢ଼ିବାକୁ ଲାଗିଲେ । ଆଶା କରାଯାଉଥିଲା କେବଳ ହିନ୍ଦୀ କିମ୍ବା ଇଂରାଜୀ ସମ୍ବାଦପତ୍ର ହିଁ ଅଧକ ଲୋକପ୍ରିୟ ହୋଇପାରିବ । କିନ୍ତୁ ତାହା ହେଲା ନାହିଁ । ବରଂ ପଞ୍ଜାବୀ, ଓଡ଼ିଆ, ଉର୍ଦ୍ଦୁ ପରି ଭାଷାଭିତ୍ତିକ ଖବରକାଗଜର ଆଦୃତି ଅଧିକ ଦେଖିବାକୁ ମିଳିଲା । ଏସବୁ ଭିତରେ ୧୯୭୫ ମସିହାରେ ଜରୁରିକାଳୀନ ସ୍ଥିତି ଭାରତୀୟ ସାମ୍ବାଦିକତାକୁ ଅନେକାଂଶରେ ଦୋହଲେଇ ଦେଇଥିଲା । ପ୍ରେସ୍ ଉପରେ କଟକଣା ଲାଗିଲା, ସାମ୍ବାଦିକଙ୍କ ଉପରେ ନଜର ରଖାଗଲା, ସରକାର ବିରୋଧୀ ଖବରର ପ୍ରକାଶନକୁ ନିଷେଧ କରାଗଲା ଇତ୍ୟାଦି । କିନ୍ତୁ ଜରୁରିକାଳୀନ ସ୍ଥିତି ପରଠାରୁ ଅର୍ଥାତ୍ ୧୯୭୭ ମସିହାରୁ ବିଭିନ୍ନ ଭାରତୀୟ ଭାଷାରେ ଅନେକ ନୂଆ ପତ୍ରିକା ଆସିଲା ଓ ସେଗୁଡ଼ିକ ଲୋକପ୍ରିୟ ହେବାରେ ଲାଗିଲା । ଖବରକାଗଜର ନୂଆ ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିଲା । ତେବେ ଧ୍ୟାନର ସହ ଦେଖିଲେ ଗଣମାଧ୍ୟମ କ୍ଷେତ୍ରରେ ସବୁଠୁଁ ବଡ଼ ପରିବର୍ତ୍ତନ ଟେକ୍ନୋଲୋଜି ମାଧ୍ୟମରେ ହୋଇଥିବା ଅନୁଭବ କରାଯାଏ । ଆଧୁନିକ ପ୍ରିଣ୍ଟିଂ ମେସିନ୍ ଓ କମ୍ପ୍ୟୁଟରର ପ୍ରୟୋଗ ଖବରକାଗଜ ପ୍ରକାଶନକୁ ସହଜ କରିଦେଲା । ଫଳରେ ଭାଷାଭିତ୍ତିକ ଗଣମାଧ୍ୟମକୁ ବିଜ୍ଞାପନ ମିଳିବାରେ ଲାଗିଲା ଓ ଆୟ ମଧ୍ୟ ଅଧିକ ହେଲା ।
ସେହିପରି ୧୯୯୫ରେ ଇଣ୍ଟରନେଟ୍ର ଆଗମନ କେବଳ ଲୋକଙ୍କ ଜୀବନକୁ ସହଜ କରିନଥିଲା ବରଂ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବେଶ୍ କିଛି ପରିବର୍ତ୍ତନ ହୋଇଥିଲା । ସେ ଯାହାହେଉ, କିଛି ବର୍ଷ ହେବ ସାମାଜିକ ଗଣମାଧ୍ୟମରେ ଯେଉଁ ପ୍ରକାର ଖବର ପରିବେଷଣ ହେଉଛି, ଅନେକ ସମୟରେ ସେଥିରେ ପାଠକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏଥିସହିତ ବିଭିନ୍ନ କାରଣରୁ ଗଣମାଧ୍ୟମରେ ଅନେକ ଖବରକୁ ଦବେଇ ଦିଆଯାଉଛି । କିଛି ନ୍ୟସ୍ତସ୍ୱାର୍ଥ ଲୋକ ଗଣମାଧ୍ୟମକୁ ଭୁଲ ଭାବରେ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ଗଣମାଧ୍ୟମ ଉପରେ ଲୋକଙ୍କର ଏକ ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ତେବେ ସାମ୍ବାଦିକତା ମାଧ୍ୟମରେ ରାଜନୀତି କରିବା, ନାଁ କମେଇବା କିମ୍ବା ଅର୍ଥ ଉପାର୍ଜନ କରିବା ସାମ୍ବାଦିକତାର ପ୍ରକୃତ ମାନଦଣ୍ଡ ନୁହେଁ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଇଆଇଏମ୍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ଦେଶକୁ ସ୍ୱାଧୀନ କରିବା ପାଇଁ ଖବରକାଗଜ ବାହାର କରିବା ଏକ ମିଶନ ଥିଲା । ପରବର୍ତ୍ତୀ ସମୟରେ ଏ ଭାବନାରେ ପରିବର୍ତ୍ତନ ହୋଇଥିଲା । ସ୍ୱାଧୀନତା ପରେ ଧୀରେ ଧୀରେ କିଛି ଗଣମାଧ୍ୟମରେ ବିଷୟବସ୍ତୁ ତା’ର ନୈତିକ ଦିଗ ହରାଇଥିଲା । ଏଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସାମ୍ବାଦିକତା ତା’ର ନୈତିକତା ରକ୍ଷା କରିବା ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି ।
ଏହି ଅବସରରେ ‘ଦେଶୀୟ ଭାଷାର ଆନ୍ତର୍ଜାତିକ ଦଶନ୍ଧି’ ଉପଲକ୍ଷେ ଆଇଆଇଏମ୍ସି, ଢେଙ୍କାନାଳ ପକ୍ଷରୁ ‘ଭାଷା, ପରିଚୟ, ସଂସ୍କୃତି’ ଶୀର୍ଷକ ଉପରେ ପ୍ରକାଶିତ ଏକ ମନୋଗ୍ରାଫ୍ ଉନ୍ମୋଚିତ ହୋଇଥିଲା । ଆଇଆଇଏମ୍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଧନ୍ୟବାଦ ଦେଇଥିଲେ ସହକାରୀ ପ୍ରଫେସର ଡ. ହରିକୃଷ୍ଣ ବେହେରା ।
ସକାଳେ ଆଇଆଇଏମ୍ସିର ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ । ଏଥିରେ ସଂସ୍ଥାନର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।