ଯାଜପୁର : ପୁରା ଟାଉନ ଆଲୋକମୟ, ପୂଜା ଭିଡରେ ଦିନ ରାତି ଏକ ହୋଇଥାନ୍ତା l ଘରକୁ କୁଣିଆ ଆସିଥାନ୍ତେ l ବିଭିନ୍ନ ପୂଜା କମିଟିରେ ସପ୍ତାହ ଧରି ମନରଞ୍ଜନ କାର୍ଯ୍ୟକ୍ରମ ହୋଇଥାନ୍ତା l ପୁଣି ପାଦେ ପାଦେ ଚାଲିଲେ ବଡ଼ ବଡ଼ ତୋରଣ ପ୍ରତିଯୋଗିତା l ଆଉ ଶେଷରେ ୨ ଦିନ ଧରି ଭାଷଣି ଉତ୍ସବ l ହେଲେ ଏ ବର୍ଷ କିନ୍ତୁ ଏ ସବୁ ଦେଖିବାକୁ ମିଳୁନି l ଏମିତି ଚାଟ, ଠୁଙ୍କାପୁରୀ, ମିନା ବଜାର, ମଥୁରା କେକ ଖାଇବାର ବି ଲୋକେ ମଜା ଉଠାଇ ପାରିଲେ ନାହିଁ l ପୂଜା ବୁଲା ସହ ସେଲ୍ଫି ଉଠାଇବାର ମଜା ବି ଫିକା ପଡିଲା l କରୋନା ପାଇଁ ସବୁ ଖାଁ ଖାଁ l ସବୁଠାରୁ ବଡ କଥା ହେଉଛି ମା ଓ ଭକ୍ତଙ୍କ ମଧ୍ୟରେ ଯେମିତି ପାଚେରୀ ହୋଇ ଛିଡା ହୋଇଛି ଅଦୃଶ୍ୟ ଭୁତାଣୁ l ଯାଜପୁର ଗଣପର୍ବ ପାଲଟିଥିବା କାଳୀପୂଜାରେ ସେପରି ପାଳନ କରାଯାଉନି । ଚଳିତ ବର୍ଷ କୋରୋନା ଜନିକ କଟକଣା ପାଇଁ ସଂପୁର୍ଣ୍ଣ ନିରାଡମ୍ବରରେ ପାଳିତ ହେଉଛି କାଳୀପୂଜା । ନା ସାଜସଜା ହୋଇଛି ନା କୌଣସି ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି ବିଭିନ୍ନ ପୂଜା କମିଟିରେ । କେବଳ ପରମ୍ପରା ରକ୍ଷା ପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀନାରାୟଣଙ୍କ ପୂଜା ପାଇଛନ୍ତି । ଚଳିତ ବର୍ଷ ସହରରେ ୪୬ଟି ମେଢ଼ ହୋଇଛି । ଦୀପାବଳୀ ଠାରୁ ଯାଜପୁର ସହରରେ ଆରମ୍ଭ ହୁଏ କାଳୀପୂଜା l ସାରା ରାଜ୍ୟରେ କାଳୀପୂଜା ପାଇଁ ଯାଜପୁରର ରହିଛି ସ୍ୱତନ୍ତ୍ର ପରିଚୟ । ସୁନ୍ଦର ଆଲୋକମାଳା ଓ ସୁଦୃଶ୍ୟ ତୋରଣ ସାଂଗକୁ ରଂଗିନ ପୂଜା ମଣ୍ଡପରେ ପୂଜା ପାଆନ୍ତି ମା କାଳୀ ଓ ଲକ୍ଷ୍ମୀନାରାୟଣ । କିନ୍ତୁ ଚଳିତ ବର୍ଷ ସଂପୁର୍ଣ୍ଣ ନିରାଡମ୍ବରରେ ପୂଜାର୍ଚ୍ଚନା ହେଉଛି । କୋରୋନା ଜନିତ କଟକଣା ପାଇଁ ପିଂକା ପଡିଛି ପୂଜାର ମାହୋଲ । ସରକାରଙ୍କ ନିୟମ ଅନୁଯାୟୀ ମାଙ୍କ ମୃଣ୍ମୟୀ ମୂର୍ତିକୁ ୪ ପୁଂଟ ଭିତରେ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କୌଣସି ପ୍ରକାର ସାଜସଜ୍ା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଛି । ଯାହାକୁ ଅକ୍ଷର ଅକ୍ଷର ପାଳନ କରୁଛନ୍ତି ପୂଜା କମିଟିମାନେ l କୌଣସି ପ୍ରକାର ସାଜସଜା ନଥିବାରୁ କେବଳ ମୂର୍ତିକୁ ଆକର୍ଷଣୀୟ କରାଯାଇଛି l ଅନେକ ପୂଜା କମିଟିରେ କୁତ୍ରିମ ରଂଗ ବଦଳରେ ପ୍ରାକୃତିକ ରଂଗ ବ୍ୟବହାର କରି ମା କୁ ସଜେଇ ଦିଆଯାଇଛି l
ପ୍ରତିବର୍ଷ ପୂଜା ଦେଖିବାକୁ ଜିଲା ତଥା ଜିଲା ବାହାରୁ ହଜାର ହଜାର ଲୋକଙ୍କ ଭିଡ ଜମେ । ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍ୃତିକ କାର୍ଯ୍ୟକ୍ରମ ପରିବେଶଣ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା ଯୋଗୁଁ ଏସବୁ କାର୍ଯ୍ୟକ୍ରମରେ ଲାଗିଛି ବ୍ରେକ । ଯେଉଁଥି ପାଇଁ ଦର୍ଶକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନାହିଁ ଉତ୍ସାହ । ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟେକ ପୂଜା କମିଟି ସଦସ୍ୟଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି l ଚଳିତ ବର୍ଷ ଗୋଟିଏ ଦିନରେ ଭସାଣ ଉତ୍ସବ କରିବାକୁ ନିଷ୍ପତି ହୋଇଛି । ଭସାଣ ଉତ୍ସବ ୧୮ ତାରିଖରେ ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଭିତରେ ସବୁ ପୂଜା କମିଟି ପୂଜା କରୁଥିବାର ଯାଜପୁରର ପୂର୍ବତନ ପରିଷଦ ଅଧକ୍ଷ ଭବ ପ୍ରସାଦ ଦାସ ଧନ୍ୟବାଦ ଦେଇଛନ୍ତି l