() ଆଇପିଏଲ୍ ୨୦୨୪ ଟାଇଟଲ ଜିତିଲା କଲିକତା। ହାଇଦ୍ରାବାଦ୍ କୁ ମାତ୍ ଦେଇ ଦୀର୍ଘ ୧୦ ବର୍ଷ ପରେ ଚାମ୍ପିଅନର ଖିତାବ୍ ଜିତିଲା ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର। ଗତକାଲି ଚେନ୍ନାଇ ସ୍ଥିତ ଏମ୍.ଏ ଚିଦାବରମ୍ ଷ୍ଟାଡିୟମରେ ଆୟୋଜିତ ଫାଇନାଲ ମ୍ୟାଚରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ କୁ ୮ ୱିକେଟରେ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ। ଏହି ବିଜୟ ସହ ତୃତୀୟ ଥର ପାଇଁ ଆଇପିଏଲ ଟାଇଟଲ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ।
ଲୋ ସ୍କୋରିଂ ଫାଇନାଲକୁ କୋଲକାତା ମାତ୍ର ୧୦.୩ ଓଭରରେ ନିଜ ନାମରେ କରିଛି । ଏହାପୂର୍ବରୁ କୋଲକାତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ପ୍ୟାଟ୍ କମିସ୍ ସର୍ବାଧିକ ୨୪ ରନ୍ ଫଳରେ ସମସ୍ତ ୱିକେଟ ହରାଇ ୧୧୩ ରନ୍ କରିଥିଲା ।
କୋଲକାତା ପକ୍ଷରୁ ରସଲ୍ ୩ଟି ୱିକେଟ୍ ନେଇଥିବାବେଳେ ମିଚେଲ୍ ଷ୍ଟାର୍କ ଓ ହର୍ଷିତ ରାଣା ଦୁଇଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଜବାବରେ ୧୧୪ ରନର ବିଜୟ ଲକ୍ଷ ନେଇ କ୍ରିଜକୁ ଓହ୍ଲାଇଥିଲା କୋଲକାତା। ମାତ୍ର ୧୦.୩ ଓଭରରେ ଏହି ଲକ୍ଷ୍ୟକୁ ହାସଲ କରିଥିଲା କୋଲକାତା । କେକେଆର ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୨ ରନ୍ କରିଥିବା ବେଳେ ଗୁରବାଜ୍ ୩୯ ରନ୍ କରିଛନ୍ତି । ସେହିପରି ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ଓ ଶହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲା ।