ମୟୁରଭଞ୍ଜରେ ଭାଂଗୁଛି ଗେରୁଆ ଦୁର୍ଗ, ଚକମା ଦେଖାଇଲା ବବି ମ୍ଯାଜିକ୍
* ମୟୁରଭଞ୍ଜର ୫୬ ନମ୍ବର ଜିଲ୍ଲା ପରିଷଦ ଜୋନ୍ ହାତେଇଲା ବିଜେଡି
* ୧୦ ହଜାର ଭୋଟରେ ବଡ ବିଜୟ, ପ୍ରଣବ କହିଲେ ବିଜେଡି ଲୋକଙ୍କ ଦଳ
* ସଫଳ ହେଉଛି ସାଂଗଠନିକ ସଂପାଦକଙ୍କ ନୂଆ ରଣନୀତି
() ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନିଜର ଗଡ଼ କହୁଥିବା ମୟୁରଭଞ୍ଜ ଏବେ ବିଜେଡି କବଜା କୁ ଆସିବାରେ ଲାଗିଛି। ତୁହାକୁ ତୁହା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏ ଜିଲ୍ଲା ଗସ୍ତ କରି କର୍ମୀଙ୍କ ଭଲ ମନ୍ଦ ବୁଝିଛନ୍ତି। କିଛିଦିନ ତଳେ ବିଜେପିର ଶତାଧିକ କର୍ମୀ ଶଙ୍ଖ ଫୁଙ୍କିବା ପରେ ଏବେ ଜିଲ୍ଲା ପରିଷଦ ଉପ ନିର୍ବାଚନରେ ବିଜେଡି ବିଜୟଲାଭ କରିଛି। ମୁଖ୍ଯମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା।
୫୬ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ତୁଷାରେନ୍ଦୁ ଏହି ଉପନିର୍ବାଚନରେ ୧୦ହଜାର ୪୨୩ ଖଣ୍ଡ ଭୋଟ୍ରେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ବଂଶୀଧର ବେରାଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ବେହେରା ୨ୟ ସ୍ଥାନରେ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ବିଶ୍ବନାଥ ମହାନ୍ତ କଂଗ୍ରେସ ଓ ଜେଏମଏମକୁ ପଛରେ ପକାଇ ୩ୟ ସ୍ଥାନରେ ରହିଛନ୍ତି। ଜେଏମଏମ ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତ ୪ର୍ଥ ସ୍ଥାନରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଚିତ୍ତ ବିକାଶ ମହାପାତ୍ର ଶେଷ ସ୍ଥାନରେ ରହିଛନ୍ତି। ରାଜାଲୋକା, ଝାରପୋଖରିଆ, ସିର୍ସା, ଉମାଦେଇପୁର, ପାଣ୍ଡରା, ଜାଲ୍ଦା, ଭୁର୍ସାଣି, ଧାଙ୍ଗିଡ଼ିଶୋଳ ଭଳି ୮ଟି ପଞ୍ଚାୟତକୁ ନେଇ ଗଠିତ ଏହି ୫୬ ନମ୍ବର ଜୋନ୍ରେ ଏଠିକାର ଜିଲ୍ଲାପରିଷଦ ସଦସ୍ୟଙ୍କ ମୃତ୍ୟୁ ପରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଗତକାଲି ଗଣତି ଆରମ୍ଭରୁ ହିଁ ବିଜେଡିର ପଲ୍ଲା ଭାରି ଥିଲା।
୨୫ହଜାର ୪୧୯ ଖଣ୍ଡ ମତଦାନରୁ ବିଜେଡି ସପକ୍ଷରେ ୧୫,୩୫୧ ଖଣ୍ଡ ଭୋଟ୍ ପଡ଼ିଛି। ବିଜେପିକୁ ୪୯୨୮ ଖଣ୍ଡ ଭୋଟ୍ ମିଳିଥିବାବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ୨୪୩୦, ଜେଏମଏମ ପ୍ରାର୍ଥୀଙ୍କୁ ୧୧୬୩ ଏବଂ କଂଗ୍ରେସ୍କୁ ୬୧୮ ଖଣ୍ଡ ଭୋଟ୍ ମିଳିଛି। ୯୨୯ ଖଣ୍ଡ ଭୋଟ୍ ନାକଚ ହୋଇଛି। 2019 ସାଧାରଣ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲାରେ ମୋଟ 9ଟି ବିଧାନସଭା ଆସନରୁ 9ଟି ବିଜେପି 6ଟି ଦଖଲ କରିଥିଲା l ଏହାପରେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଜିଲ୍ଲାର ଗୁରୁ ଦାୟିତ୍ୱ ଦେଇଥିଲେ l ଆଉ ତାପରେ ପ୍ରଣବ ଦିନରାତି ଏକ କରି ମୟୁରଭଞ୍ଜରେ ସଂଗଠନ ଅଧିକ ମଜବୁତ କରିବାରେ ଲାଗିଲେ l ବିଜେପି ଓ କଂଗ୍ରେସ କର୍ମୀ, ନେତାମାନେ ବିଜେଡିରେ ସାମିଲ ହେଲେ l ଏକ ବର୍ଷ ଭିତରେ ଜିଲ୍ଲାରେ ବିଜେଡି ସଂଗଠନ ଯେପରି ମଜବୁତ ହେଲା ତାହାର ଫଳ ଆଜି ଉପ ନିର୍ବାଚନରେ ପ୍ରତିଫଳିତ ହୋଇଛି l