() “ମା” ସାହସ,ସାହାରା,ସହିବା,ସହାନୁଭୂତି, ସଂଘର୍ଷ ଓ ସହଯୋଗର ବଡ଼ ପ୍ରତୀକ । ଦୁନିଆରେ ମା ଶଦ୍ଧ ଆଗରେ ସବୁକିଛି ଛୋଟ ହୋଇଯାଏ । ତାର ସ୍ନେହ,ଶ୍ରଦ୍ଧା, ଭଲପାଇବା ଆଗରେ ତୁଛ ହୋଇଯାଏ ସବୁ କିଛି । ବିଶାଳ ହୃଦୟର ସେ ହେଉଛି ବଡ଼ ପୃଥିବୀ । ସବୁ କଷ୍ଟ ସହି ସେ କେବଳ ବାଣ୍ଟିଚାଲେ ସୁଖ । ତା ଗାଳିରେ ଥାଏ ଅଜସ୍ର ଆଶୀର୍ବାଦ ଓ ଆଉ ତା ପ୍ରେମ ତ ନକହିଲେ ଭଲ । ୯ ମାସ ୯ଦିନ ଗର୍ଭରେ ଧରି ସେ ଏ ଧରାପୃଷ୍ଠକୁ ଆମକୁ ଆଣେ । ଆଉ ବିନା ସ୍ୱାର୍ଥରେ ଜୀବନ ସାରା ଦେଇଚାଲେ ଅଜସ୍ର ଭଲ ପାଇବା । ଛଳନା କି କପଟ କଣ ସେ ଜାଣେ ନାହିଁ । ସୁବବେଳେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରେ ତା ସନ୍ତାନ ସବୁବେଳେ ଖୁସିରେ ରହୁ , ଭଲରେ ରହୁ । ଏଥିଲାଗି କେତେକଣ କରେ ସେ । ପୂର୍ଜାପାଠ, ଉପବାସ, ସାଙ୍ଗକୁ ସନ୍ତାନ ପାଇଁ ଅନେକ ସମୟରେ ଏ ଦୁନିଆର ବିଭିନ୍ନ ଲୋକ ସମୟ ଅନୁସାରେ କେତେକଣ ତାକୁ କହନ୍ତିି । ଏସବୁକୁ ସେ ସହିଯାଏ ସିନା କେବେ ପ୍ରତିଉତ୍ତର ଦିଏ ନାହିଁ । କାରଣ ସେ ଭାବେ କାଳେ କିଛି ପ୍ରତି ଉତ୍ତର ଦେଲେ ତା ସନ୍ତାନ ଉପରେ ଏହାର ପ୍ରଭାବ ପକାଇବ । ସେଥିପାଇଁ ସେ ନିରବ ସାଜିଯାଏ । ମା ଶଦ୍ଦର ଏତେ ବ୍ୟାପକତା ଓ ପରିଭାଷା ଯେ ତାକୁ ଦୁନିଆର କେହି ବି କବି ,ଲେଖକ ,ଗାଳ୍ପିକ ଯେତେ ବର୍ଣ୍ଣନା କଲେ ବି କମ ପଡ଼ିଯିବ । ଯାହା ଭଲପାଇବାରେ ସ୍ୱାର୍ଥ ନଥାଏ କି ଯାହା ଗାଳିରେ ଅଭିଶାପ ନଥାଏ ସେ ତ ମା । ମା ସବୁବେଳେ ସବୁ ମୃହୁର୍ତ୍ତରେ ତାର ସନ୍ତାନକୁ ଭଲ ପାଇବା ଦେଇଚାଲେ । ହେଲେ କିଛି ଆଶା କରିନଥାଏ । ଜନ୍ମଦେବା ପୂର୍ବରୁ ଯେମିତି ତାର ମାଂସ,ରକ୍ତରେ ଆମକୁ ସେ ଗଢେ, ଠିକ ସେହିପରି ଜନ୍ମଦେବା ପରେ ତାର କ୍ଷୀର ଖାଇ ଆମେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଓ ବଳମାନ ହୁଅନ୍ତି । ମା ଆଖିରେ ତା ପୁଅ ସୁବବେଳେ ଛୋଟ ପିଲାଟି । ଭାରି ସ୍ନେହ ୍ନି ସେ । ଯାହା ଏ ଦୁନିଆ ଅନୁଭବ କରିଛି । ଯିଏ ନିଜେ ଉପବାସ ରହିଛି ଅନ୍ୟକୁ ପେଟପୁରା ଖାଇବାକୁ ଦିଏ ସେ ପା ମା । ସନ୍ତାନ ପାଖରେ ଥାଉ କି ଦୂରରେ । ସେ ତାକୁ ସୁରକ୍ଷା ଦେବା ପାଇଁ ଛାଇପରି ଲାଗି ରହିଥାଏ ।
ଭଗବାନ ଦୁନିଆରେ ସଭିଁଙ୍କୁ ଦେଇଥିବା ଏହି ଶ୍ରେଷ୍ଠ ଉପହାର ଏବେ ଦିବସରେ ସୀମିତ ହୋଇଛି । ମା ଓ ସନ୍ତାନ ସର୍ମ୍ପକ ସୋସିଆଲ ମିଡ଼ିଆରେ ଗୋଟେ ଦିନ ବହୁତ ଚର୍ଚ୍ଚା ହେଉଛି । ଗାଁ ହେଉ କି ସହର ଅବା ବିଦେଶ ସନ୍ତାନଟି ମେ ୯ ତାରିଖରେ ମାତୃତ୍ୱ ଦିବସ ପାଳନ କରୁଛି । ତାହା ପୁଣି “ମା” ର ଗୋଟେ ଫୋଟରେ । ହଁ ପାଖରେ ଥିବା ଅନେକ ଏହି ଦିନରେ “ମା” ସହ କେକ୍ କାଟି ସେଲିବ୍ରେସନ ପାଳନ କରୁଛନ୍ତି । ଏପରି ଭଲ ପାଇବା ମା ପ୍ରତି ରହିବା ଦରକାର । ହେଲେ ଏଠି ପ୍ରଶ୍ନ , ଏସବୁ କାହା ପାଇଁ । “ମା” କଣ ଚାହେଁ , ତାହା ଏବେ ସନ୍ତାନ ବୁଝିବା ଦରକାର । ଦୁନିଆରେ ଆଜି ଅନେକ ମାର ଆଖିରୁ ଲୁହ ଶୁଖୁନାହିଁ । ଅନେକ ମା ଦୁଇ ଓଳି ଖାଇବାକୁ ପାଉନାହିଁ । ଅନେକ ମା ସନ୍ତାନର ସ୍ନେହ ପାଇବାରୁ ବଂଚିତ ହେଉଛନ୍ତି । ଅନେକ ମା ପରିଣତ ବୟସରେ ସାହାରା ପାଉନାହିଁ । ଅନେକ ମା ଶୋଇବାକୁ ମୁଣ୍ଡ ଉପରେ ଚାଳ ପାଉନାହିଁ । ଅନେକ ମା ସନ୍ତାନକୁ ବର୍ଷବର୍ଷ ଧରି ଦେଖିପାରୁନାହିଁ । ଅନେକ ମା ସବୁଥାଇ ବି ବେସାହାରା । ଅନେକ ମା ପରିବାରରେ ଭିତରେ ଦୁଃଖ ଓ କଷ୍ଟରେ ଜୀବନ ବିତାଉଛି । ଅନେକ ମା ରୋଗରେ ପିଡ଼ିତ ହୋଇ ସନ୍ତାନ ହାତରୁ ଶେଷ ପାଣିଟିକେ ପିଇବା ପାଇଁ ଅପେକ୍ଷା କରିଛି । ହେଲେ ମାର ଏସବୁ ଦୁଃଖ ଓ କଷ୍ଟକୁ ଆଜି ବୁଝିବାକୁ ସମୟ କାହିଁ ସନ୍ତାନ ପାଖରେ । ଆମେ କଣ ଜନ୍ମରୁ ଆଜି ଯାଏ ମା ଠାରୁ କିଛି ଶିଖିଲେନି । ସେ କେମିତି ବିନା ସ୍ୱାର୍ଥରେ ଆମକୁ ସବୁ କିଛି ଦେଇଥିଲା । ନିିଜେ ଉପବାସ ରହି ଆମକୁ ବଡ଼ କଲା । ଆଜି ଆମେ “ମା”ଠାରୁ ଏସବୁ ଶିକ୍ଷା ନକରି ଭୂଲବାଟରେ ଚାଲିଗଲେ । ଆଉ ପରିବର୍ତ୍ତନ ଶୀଳ ଦୁନିଆରେ ନିଜେ ପରିବର୍ତ୍ତନ ହୋଇ “ମା”ର ସବୁ ଶିକ୍ଷାକୁ ପରିବର୍ତ୍ତନ କରିଦେଲେ । ହେଲେ ଆଜି ମାତୃତ୍ୱ ଦିବସରେ ମା ମନରେ ବି ସେହି ଶ୍ରଦ୍ଧା ମୋ ସନ୍ତାନ ଯେଉଁଠି ଅଛି , ଭଲରେ ରହୁ । ଚାଲ ଗୋଟିଏ ଦିବସ ମା ପାଇଁ ପାଳନ ନକରି ସବୁ ଦିନ ମା ଦିବସ ପାଳନ କରିବା । ତାପରେ ବୁଝିବା ଏ ଦିବସର ମହତ୍ତ୍ୱ ।