ଭୁବନେଶ୍ୱର : ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିବା ସହ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଭେଟି ଦେବେ । ବିଶେଷକରି ନୂଆପଡ଼ା ଜିଲ୍ଲାର ଚାଷ ଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ଆଉ ଆଜି ନୂଆପଡା ବିକାଶରେ ଯୋଡ଼ି ହେବ ନୂଆ ଫର୍ଦ୍ଦ l କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଓ ବଲାଙ୍ଗୀରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି । ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ ଚିରହରିତ । ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ । ୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ବର ବିକାଶର କର୍ଣ୍ଣଧାର ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି । ଏହି କ୍ରମରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ବାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ ।
ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହାସହ ତୃଣମୂଳ ସ୍ତରରେ ଯୋଜନା ପହଞ୍ଚିବାରେ କେଉଁଠି ସମସ୍ୟା ରହୁଛି ତାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ ।
ମୁଖ୍ୟମନ୍ତ୍ରୀ ଗସ୍ତକୁ ସଫଳ କରିବା ପାଇଁ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ସାଙ୍ଗରେ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ସଭିଙ୍କୁ ଦେଇଛନ୍ତି ତାହାର ତଦାରଖ କରି ଚୂଡାନ୍ତ ରୂପ ଦେଇଛନ୍ତି l