() ଅପରାହ୍ନରେ ହଠାତ ଦିବ୍ୟା ନିଜ ଫେସବୁକ ଖୋଲି ଦେଖୁଥାଏ । ଦିବ୍ୟା ସହ ଫେସବୁକରେ ତାର ଫ୍ରେଣ୍ଡଥିବା ସାଙ୍ଗମାନେ କିଏ କଣ ଅପଲୋଡ଼ କରିଛନ୍ତି ତାହାକୁ ଦେଖି ସେ ଲାଇକ ଓ କମେଣ୍ଟ ଦେଉଥାଏ । ହଠାତ ଦେଖିଲା ସାନୁ ଜ୍ୟୋତିର ଏକ ଫଟୋ ଅପଲୋଡ଼ କରି ଲେଖିଛି , ହେ ଭଗବାନ ମୋ ସାଙ୍ଗକୁ ଜଲଦି କୋଭିଡ଼ରୁ ମୁକ୍ତ କର । ଏହାସହ ସେ ଲେଖିଛି, ଜ୍ୟୋତି ତୁ ଚିନ୍ତା କରେନା ତୁ ଶୀଘ୍ରସୁସ୍ଥ ହୋଇଯିବୁ । ସାନୁର ଏହି ଫେସବୁକ୍ ପୋଷ୍ଟ ପାଖରେ ରହିଗଲା ଦିବ୍ୟା । ଦୁଇ ଚାରିଥର ସାନୁର ପୋଷ୍ଟ ପଢିଲା ଓ ଭଲଭାବେ ଦେଖିଲା । ତାପରେ ଜ୍ୟୋତିର ଫେସବୁକ୍ ଏକାଉଣ୍ଟକୁ ସର୍ଚ୍ଚ କରି ଦେଖିଲା। ପୁରା ନାମ
ଜ୍ୟୋତି ପ୍ରକାଶ ମହାପାତ୍ର । ବୟସ ୩୩ । ଘର ଭୁବନେଶ୍ୱରର କଳିଙ୍ଗନଗର ଅଚଂଳରେ । ପେଶାରେ ସେ ଜଣେ ସାମ୍ବାଦିକ । ଖୁବ କମ ଦିନରେ ସାମ୍ବାଦିକ ଜଗତରେ ସେ ବେଶ ସୁନାମ ଅର୍ଜନ କରିଛି ଓ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିଛି । କରୋନା ସମୟରେ ସେ ହେଉଛି ସମ୍ମୁଖ ଯୋଦ୍ଧା । କାରଣ କରୋନା ସର୍ମ୍ପକରେ ଟିକନିକ ଖବର ଲୋକଙ୍କ ପାଖରେ ପହଞ୍ଚାଇବା ତାହାର ପ୍ରଥମ କତ୍ତବ୍ୟ । ସେ ଟିକେ ଡ଼ରୁଆ ପିଲାହେଲେ ମଧ୍ୟ ଖବର ସଂଗ୍ରହ ବେଳେ କିନ୍ତୁ ଗଣମାଧ୍ୟମ ଜଗତରେ ସେ ସିଂହ । ସଭିଁଙ୍କ ସହ ଭଲ ସମ୍ପର୍କ ଓ ହସଖୁସୀର ଜଣେ ଯୁବ ସାମ୍ବାଦିକ ସେ । କରୋନାର ଦ୍ୱିତୀୟ ଲହରୀ ଦ୍ରୃତ ସଂକ୍ରମଣ ହେଉଥିବାରୁ ହଠାତ ଖବର ସଂଗ୍ରହ ବେଳେ ସେ ଅସୁସ୍ଥ ଅନୁଭବ କଲା । ସଂନ୍ଧ୍ୟାକୁ ତାକୁ ଜ୍ୱର ହେବା ସହ ଦେହହାତ ଘୋଳାବିନ୍ଧା ହେଲା । ତେଣୁ ଜଣେ ସଚେତନ ଯୁବକ ଭାବେ ସେ ତାପର ଦିନ କରୋନା ଟେଷ୍ଟ କରିବାରୁ ତାର ରିର୍ପୋଟ ପଜିଟିଭ ଆସିଲା । ସେ କରୋନରେ ଆକ୍ରାନ୍ତ । ଡ଼ାକ୍ତର ପରାମର୍ଶ କ୍ରମେ ଔଷଧ ଖାଉଛି । ଏବେ ସେ ହୋମଆଇସୋଲେସନରେ । ଆଉ ଏକଥା ସେ ତାର କଲେଜ ଦିନର ପ୍ରିୟ ସାଙ୍ଗ ସାନୁକୁ କହିଲା । ସାନୁ ବ୍ୟସ୍ତ ହୋଇଗଲା । ଭଲମନ୍ଦ କଥା ବି ବୁଝିଲା । ହେଲେ ସାନୁ ଭାରି ସୋସିଆଲ ମିଡ଼ିଆ ପ୍ରେମୀ । ଜ୍ୟୋତି ସାନୁ ସହ ଭିଡ଼ିଓ କଲ ବେଳେ କଥାବର୍ତ୍ତା ହେବାର ଫଟୋକୁ ସେ ନିଜ ଫେସବୁକରେ ଅପଲୋଡ଼ କରିଦେଲା । ଆଉ କଲେଜ ବେଳେ ଏକା କ୍ଲାସରେ ପଢୁଥିବା ଦିବ୍ୟା ଅପରାହ୍ନରେ ଏହି ପୋଷ୍ଟକୁ ଦେଖି ଚିନ୍ତାରେ ପଡ଼ିଗଲା । ତେବେ ଦିବ୍ୟା କଣ ଜ୍ୟୋତିର ପୁରୁଣା ପ୍ରେମିକା କି ? ନା ଦିବ୍ୟା ସାନୁ ଓ ଜ୍ୟୋତି ସହ ବିଜେବି କଲେଜରେ ପଢୁଥିଲେ । ଇଂରାଜୀ ଅନର୍ସ ରଖି । ସେଠୁ ଚିହ୍ନାଜଣା । ହଁ ସେ ଜ୍ୟୋତିର ପ୍ରେମିକା ନୁହେଁ । ହେଲେ ଜ୍ୟୋତି ପ୍ରତି ତାର ଆକର୍ଷଣ ଥିଲା । କହିବାକୁ ଗଲେ ଟିକେ ଦୁର୍ବଳତା । ଯେମିତି ପ୍ରତି ମଣିଷ ସମୟ ସହ ତାଳଦେଇ କାହା ପ୍ରତି ଟିକେ ଆକର୍ଷିତ ହୋଇଥାଏ । ଠିକ ସେମିତି ଦିବ୍ୟା , କଲେଜ ସମୟରେ ଟିକେ ଆକର୍ଷିତ ହୋଇଥିଲା ଜ୍ୟୋତି ପ୍ରତି । ହେଲେ ଏହା ଭଲପାଇବା ନୁହେଁ, କି ପ୍ରେମ । ଏମିତିକି କିଏ କାହାକୁ ଏକଥା କେବେ କହିନାହାନ୍ତି । ଆଜି କଲେଜ ସରିବାର ୮ବର୍ଷ ପରେ ଏହି ଆକର୍ଷଣ ଦିବ୍ୟାକୁ ଚିନ୍ତାରେ ପକାଇଦେଲା । କରୋନାର ଦ୍ୱିତୀୟ ଲହରୀ ବହୁତ ମାରତ୍ମକ । ଅନେକ ଯୁବଗୋଷ୍ଠୀଙ୍କ ଅକାଳରେ ବିୟୋଗ ଘଟୁଛି । ଏସବୁ ଚିନ୍ତା କରି ଦିବ୍ୟା ମୁଣ୍ଡ ବୁଲାଇଲା । ସେ କଣ କରିବ ଭାବିପାରିଲା ନାହିଁ । ଯେମିତି ସାନୁର ପୋଷ୍ଟ ତାକୁ ବିଚଳିତ କଲା । ସେ କଣ କରିବ କଣ ନକରିବ ତାହା କିଛି ସମୟ ପାଇଁ ଭାବିପାରିଲା ନାହିଁ । ମନକୁ ପାପ ବି ଛୁଁ ଥାଏ । କାରଣ ପ୍ରତ୍ୟେକ ଲୋକଙ୍କ ମନକୁ ଅସୁବିଧା ସମୟରେ ଆଗେ ଖରାପ ବା ପାପ ଚିନ୍ତା ଘାରେ । ଦିବ୍ୟାକୁ ବି ଘାରିଲା । ଠିକ ଏତିକି ବେଳେ ଝରକା ପଟୁ ପଡ଼ୋଶୀ ଘରର ମାମି ଡ଼ାକ ଛାଡ଼ିଲା । ଲୋ ଦିବ୍ୟା ଆଜି ସଂଞ୍ଜ ଦେବୁନାହିଁ କି ? ମନ୍ଦିର ଯିବୁନି କି ? ଆସୁନୁ, କଣ ଏତେ ଡ଼େରୀ । ଦିବ୍ୟା ମାମି ଡ଼ାକ ଶୁଣି କିଛି ସମୟ ନିରବ ରହିବା ପରେ ନରମ ସ୍ୱରରେ କହିଲା ମାମି ଚାଲ ମୁଁ ଯାଉଛି । ତାପରେ ଠାକୁର ଘରକୁ ଯାଇ ଦୁଇଟା ଦ୍ୱୀପ କଲା । ସବୁବେଳେ ଦିବ୍ୟା ନିଜର ପାଂଚ ବର୍ଷରୁ ସାନ ଝିଅକୁ ନେଇ ମନ୍ଦିର ଯାଏ । ଆଜି ବି ଗଲା । ମନ୍ଦିରରେ ପହଞ୍ଚି ଦୀପ ଲଗାଇ ପ୍ରାର୍ଥନା କଲା । ଏହି ସମୟରେ ଦିବ୍ୟାର ସାଙ୍ଗ ମାମି କହିଲା କଣ ହୋଇଛି କିଲୋ ତୋର । ଆଜି ଏତେ ଡ଼େରୀ । ପୁଣି ହାତରେ ଦୁଇଟା ଦ୍ୱୀପ । ସବୁବେଳେ ଗୋଟିଏ ଦ୍ୱୀପ ନେଇ ମନ୍ଦିର ଆସୁଥିବା ଦିବ୍ୟା କିନ୍ତୁ ମାମିର ଏ ପ୍ରଶ୍ନର ଉତ୍ତର କଣ ଦେବ ତାହା କିଛିି ସମୟ ପାଇଁ ଭାବିପାରିଲା ନାହିଁ । ଶେଷରେ କହିଲା ମାମି ଲୋ । ଏ କରୋନା ଜଲଦି କିପରି କମିଯାଉ ଓ ଆମର ଚିହ୍ନା ଲୋକମାନେ କିପରି ଏଥିରୁ ମୁକ୍ତି ପାଆନ୍ତୁ ଏଥିଲାଗି ଆଜି ଗୋଟିଏ ଦ୍ୱୀପ ଝାଳି ମା ମଙ୍ଗଳାଙ୍କ ପାଖରେ ପ୍ରାର୍ଥନା କରିବି । ମାମି ଆଉ କିଛି ନକହି କହିଲା ମୁଁ ଯାଉଛି ଲୋ ଦିବ୍ୟା , ତେଣେ ମୋର କେତେ କାମ । ତୁ ଆସେ । ଏହାପରେ ଦିବ୍ୟା ଝିଅକୁ ବସାଇ ମନ୍ଦିର ଦ୍ୱୀପ ଲଗାଇ ପ୍ରାର୍ଥନା କଲା । କିଛି ସମୟ ନିରବ ପ୍ରାର୍ଥନା କରି ମନେମନେ ଜ୍ୟୋତିକୁ ମା ଜଲଦି ଭଲ କରିଦେ ବୋଲି ଭାବବିହ୍ୱୋଳ ହୋଇ ଗୃହରୀ ପ୍ରାର୍ଥନା କରି ମାଙ୍କକୁ ଜଣାଇଲା । ଠିକ ଏହି ସମୟରେ କୁନିଝିଅ ସେହ୍ନା କହିଲା ମମି ଚାଲ ଘରକୁ ଯିବା । ଆଉ ଦିବ୍ୟାର ନିରବ ପ୍ରାର୍ଥନା ବି ଭାଙ୍ଗିଗଲା । ମାଙ୍କୁ ମୁଣ୍ଡିଆ ମାରି ଯେତେବେଳେ ଚାହିଁଲା , ଦେଖିଲା ଫୁଲଟିଏ ଯୋଗକୁ ମାଙ୍କ ମଥାରୁ ଖସିପଡ଼ିଲା । ବାସ ଖୁସିରେ ଦିବ୍ୟା ଘରକୁ ଫେରିଲା । ଦିବ୍ୟା ପରି ଆଜି ଅନେକ ଜ୍ୟୋତି ଓ ନିଜର ପ୍ରିୟଜନଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ଏପରି ନିରବ ପ୍ରାର୍ଥନା କରୁଛନ୍ତି ।