ଭୁବନେଶ୍ୱର:ମହାବିଷୁବ ସଂକ୍ରାନ୍ତି । ହିନ୍ଦୁ ଧର୍ମର ବଡ଼ ପର୍ବ। ଏହି ଦିନ ମଧ୍ୟ ହନୁମାନ ଜୟନ୍ତି। ବର୍ଷର ପ୍ରଥମ ସଂକ୍ରାନ୍ତି ମଧ୍ୟ ଏହି ଦିନ ଆରମ୍ଭ ହୁଏ। ଓଡ଼ିଆ ପାଞ୍ଜି ଗଣନା ମଧ୍ୟ ଆଜି ଠାରୁ ଅନୁକୂଳ ହୋଇଥାଏ । କାରଣ ଆଜି ହେଉଛି ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତି । ଆଜି ଠାରୁ ପୃଥିବୀର ତାପମାତ୍ର ବୃଦ୍ଧି ପାଇଥାଏ । ଯାହାଫଳରେ ଏହାର ପ୍ରଭାବ ସିଧାସଳଖ ମନୁଷ୍ୟର ଜୀବନଶୈଳି ଉପରେ ପଡିଥାଏ। ତାପ ମାତ୍ର ବଢିବା ଫଳରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଥାଏ। ପ୍ରଥମ ଦିନରୁ ତାପମାତ୍ରାକୁ ସମାନ୍ତରାଳ କରିବା ପାଇଁ ପଣା ପିଇବାର ପରମ୍ପରା ରହିଥାଏ । ପୃଥିବୀପୃଷ୍ଠରେ ଆଜି ଠାରୁ ଜଳସଂକଟ ମଧ୍ୟ ଦେଖାଯାଏ । ସେଥିପାଇଁ ଆଜିଠାରୁ ଏକ ମାସ ଧରି ଚଉରାମୂଳେ ଠେକି ଟଙ୍ଗା ଯିବାର ପରମ୍ପରା ରହିଛି । ପ୍ରତ୍ୟେକ ଦିନ ଚଉରା ପୂଜା କରିବା ସମୟରେ ଠେକିରେ ଜଳ ଦିଆ ଯାଇଥାଏ । ଧୀରେ ଧୀରେ ଜଳ ଚଉରା ଉପରେ ପଡେ। ଓ ତୁଳସୀ ଗଛକୁ ସତେଜ ରଖେ । ଗାଁରେ ଏହି ପୁରୁଣା ପରମ୍ପରା ଆଜି ବି ଦେଖିବାକୁ ମିଳୁଛି । ହେଲେ ଏହି ପରମ୍ପରା ଓଡ଼ିଶାର ସବୁ ଜାଗାରେ ନାହିଁ। ମହାବିଷୁବ ସଂକ୍ରାନ୍ତିରୁ ଆରମ୍ଭ ହୋଇଥାଏ ଏହି ଠେକି ଟଙ୍ଗା ପରମ୍ପରା । ଏହାକୁ ଏକ ମାସ କରାଯାଇଥାଏ । ଆଜି ଠାରୁ ଗରମ ଅନୁଭୂତ ହେଉଥିବାରୁ ପ୍ରଭୁ ଜଗନ୍ନାଥ ନିଜ ଦେହରେ ଚନ୍ଦନ ଲଗେଇ ହୋଇଥାନ୍ତି। ବୃନ୍ଦାବତିଙ୍କୁ ଶୀତଳତା ପ୍ରଦାନ କରିବା ପାଇଁ ତାଙ୍କୁ ଠେକିରେ ପାଣି ଦିଆଯାଇଥାଏ। ଆମ ଏହି ନୂଆ ବର୍ଷ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ।ଏଥିରେ ଇଂରାଜୀ ନବବର୍ଷର ଆଧୁନିକତା ନ ଥାଏ । ହେଲେ ଓଡ଼ିଆ ନବବର୍ଷ ଛତୁଆ ଖାଇବା, ପଣା ପିଇବା , ଜଳଛତ୍ର ଖୋଲିବା , ତୁଳସୀ ଗଛରେ ଠେକି ଟାଙ୍ଗିବାରୁ ଆରମ୍ଭ ହୋଇଥାଏ । ଯାହାକି ଆମ ସମାଜକୁ ଶୃଙ୍ଖଳିତ କରିବାର ବାର୍ତା ଦେଇଥାଏ । ସେଥିପାଇଁ ତ ଆମ ପରମ୍ପରା ଓ ସଂସ୍କୃତି ମହାନ ।