ଏବେ ଅନଲାନର ଯୁଗ । ଭିଡ଼ିଓ କଲ ସହ ଅନଲାଇନରେ ସବୁ କିଛି ହୋଇପାରୁଛି । ଫେସବୁକ,ୱାଟସଆପ, ଟୁଇଟର, ଇଷ୍ଟ୍ରାଗ୍ରାମ ଆଦି କେତେ କଣ ମାଧ୍ୟମରେ ଚାଲିଛି ଭାବର ଆଦାନ ପ୍ରଦାନ । ଖବର ବି ମିଳୁଛି, ଆଉ ଖୁସି ବି । ଏମିତି ତ ଏବେ ସାରା ବିଶ୍ୱରେ ଅଦୃଶ୍ୟ ଭୂତାଣୁ ଭୟ ପାଇଁ ଅନଲାଇନ ବ୍ୟବସ୍ଥା ସବୁ କିଛି ପାଇଁ। ସାଜିଛି ବଡ଼ ମାଧ୍ୟମ । ମଣିଷ, ଭାବନା, ଆବେଗ, ଚିନ୍ତା, କାର୍ଯ୍ୟ ସବୁ ଏହି ଅନଲାଇନରେ ଗୋଟିଏ କ୍ଲିକରେ ଆପେଆପେ ସମାଧାନ ହୋଇଯାଉଛି । ଆଉ ଏହି ଅନଲାଇନ ବ୍ୟବସ୍ଥା ସହ ଯେଉଁମାନେ ଯୋଡ଼ି ହୋଇଛନ୍ତି ସମସ୍ତେ ଜଣେ ଜଣେ ଚିତ୍ରଶିଳ୍ପୀ । ସକାଳୁ ମଧ୍ୟରାତି ଯାଏ ସଭିଁଏ ଅନଲାଇନରେ ବ୍ୟସ୍ତ । ଏଥିରେ ଖବର, ଅଫିସ କାମ, ରୋଜଗାର, ପୁରା ଦୁନିଆର ଟିକ୍ନିକ ଖବର ଆମକୁ ମିଳେ । ତାହା ସହ ଆମୋଦ ପ୍ରମୋଦର ସବୁଠାରୁ ବଡ଼ ମାଧ୍ୟମ ଏ ଅନଲାଇନ ବ୍ୟବସ୍ଥା । ଜୀବନ ଜୀବିକା ସହ ମଣିଷକୁ ଯେମିତି ବଂଚିବାର ନୂଆ ଦିଗ ଦେଖାଉଛି ଏହି ଅନଲାଇନ ବ୍ୟବସ୍ଥା । ଯାହାର ଯାହା ଇଚ୍ଛା , ତାହା ସେ ଅନଲାଇନ ମାଧ୍ୟମରେ କରୁଛି । ହେଲେ ଅନଲାଇନ ମାଧ୍ୟମରେ ଯେ ପ୍ରଶଂସା ସାଉଁଟିବାକୁ ମଣିଷ ମଧ୍ୟରେ ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଛି ତାହା ଫେସବୁକ ଓ ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାପଡ଼ୁଛି ।
ଯେମିତି ରିକି , ଇସାକୁ ହ୍ୱାଟସଆପରେ କଣ ସବୁ ପଠେଇ ଚାଲିଛି ଓ ଇସା ବି ତାହା ଉତ୍ତର ଫଟାଫଟ ଦେଇ ଚାଲିଛି । ଆଉ ଏହି ଚାଟ୍ରେ ଉଭୟ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ । ଠିକ ସେହିପରି ପ୍ରତ୍ୟେକ ମିନିଟରେ ସୋସିଆଲ ମିଡ଼ିଆ ସାଇଟରେ କୋଟିକୋଟି ଲୋକ ଫୋଟ ଅପଲୋଡ଼ କରି ଚାଲିଛନ୍ତି । ଫୋଟ ଅପଲୋଡ଼ ହେବା କ୍ଷଣି ଆରମ୍ଭ ହୁଏ ପ୍ରତିଯୋଗିତା । କେତେ ଲାଇକ ଓ କେତେ କମେଣ୍ଟ ଆସୁଛି । ଏମିତି ଏକ ଫୋଟ ଅପଲୋଡ଼ ଫେସବୁକରେ କରିଥିଲା ବାସନ୍ତି । ସେ ଦେଖିବାକୁ ଏତେ ସୁନ୍ଦର ନୁହେଁ, କି ସେ ଫୋଟ ବି ସେତେ ସୁନ୍ଦର ନଥିଲା । ହେଲେ ବାସନ୍ତିର ସେହି ଫୋଟରେ ଅନେକ ତମେ ବହୁତ ସୁ୍ନ୍ଦର ଲାଗୁଛ, ସୋ କିଉଟ, ସୁପର, ହିରୋହୀନ, ଏହି ଡ଼୍ରେସ ଟା ତମକୁ ମାନୁଛି, ୱାଓ, ଏମିତି କେତେକଣ ପ୍ରଶଂସା । ୧ ଘଣ୍ଟା ଭିତରେ ୨ଶହ ଲାଇକ୍ ଓ ୬୫ କମେଣ୍ଟ । ଏଥିରେ ବାସନ୍ତି ବି ଖୁସି । ଏହାର ଜବାବରେ ବାସନ୍ତି ଯିଏ ବି ତା ଫୋଟରେ କମେଣ୍ଟ ଦେଇଥିବା ବ୍ୟକ୍ତି ଯଦି କେହି ଜଣେ ବି ଫୋଟ ସୋସିଆଲ ମିଡ଼ିଆରେ ଅପଲୋଡ଼ କରେ ସେ ସୁନ୍ଦର ହେଉ କି ନ ନହେଉ ଫୋଟଟି ଅତି ଖରାପ ହେଉ ଥାଉନା କାହିକିଁ ସେ କିନ୍ତୁ ଲାଇକ କରେ ଓ ସେହି ବ୍ୟକ୍ତିକୁ ଖୁସି କରିବା ପରି କମେଣ୍ଟ ଦିଏ । ସମସ୍ତେ ଏମିତି କରୁଛନ୍ତି ତାହା ନୁହେଁ । କିଛି ବ୍ୟକ୍ତି ବି ମନଖୋଲା କମେଣ୍ଟ ଦିଅନ୍ତି । ମିଛ ମିଛିକା ହେଉ ପଛେ ଘଣ୍ଟା ଘଣ୍ଟା ଧରି ଏହି ପ୍ରକ୍ରୀୟାରେ ଆମେ ବୁଡ଼ିରହନ୍ତି । ଯୁବଗୋଷ୍ଠୀଙ୍କୁ ଛାଡ଼ନ୍ତୁ ବରିଷ୍ଠମାନେ ମଧ୍ୟ ଏହି ନିଶାରେ । ପ୍ରଶଂସା ସାଉଁଟିବା ଓ ପ୍ରଶଂସା ଦେବାରେ ସୋସିଆଲ ମିଡ଼ିଆ ଯେ ଏବେ ବଡ଼ ମାଧ୍ୟମ ତାହାକୁ କଣ କେହି ଅସ୍ୱୀକାର କରିବେ ନାହିଁ । ସବୁ ଚାଲୁ , ମଣିଷ ଖୁସିରେ ବଂଚୁ । ହେଲେ ମିଛ ଦୁନିଆରେ ପ୍ରଶଂସା ମୋହରୁ ବାହାରି , କିପରି ସତ ଦୁନିଆର ପ୍ରଶଂସାର ପାତ୍ର ସାଜିବ ସେ ଦିଗରେ ଏବେ ଚିନ୍ତା କରିବାର ସମୟ ଆସିଛି ।