ଭୁବନେଶ୍ୱର:କିଛି ବର୍ଷ ହେବ କଂଗ୍ରେସର ପିଛା ଛାଡ଼ୁନି ଦଳୀୟ କଳି। ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସର ସମାନ ସ୍ଥିତି। ଫଳରେ ରାଜ୍ୟ କଂଗ୍ରେସ ତାର ସଂଗଠନକୁ ମଜଭୁତ କରିପାରିନାହିଁ। ହେଲେ ଗତକାଲି ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ହେଲା ପରେ ଏ ସ୍ଥିତିରେ ଉନ୍ନତି ଆସିବା ଅନୁମାନ କରାଯାଉଛି। ଏପଟେ ରାଜ୍ୟରେ ମଧ୍ୟ ପିସିସି ସଭାପତି ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣଛେଦ ପଡିଛି । କାରଣ ଆଜି ପିସିସି ସଭାପତି ନିରଂଜନ ପଟ୍ଟନାୟକ ପୁଣି ସଂଗଠନ ସଜାଡ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଖୁବଶୀଘ୍ର ଏଆଇସିସି ତାଙ୍କୁ ନୂଆ ଟିମ ଦେବେ ବୋଲି ପିସିସି ସଭାପତି ଆଶା ରଖିଛନ୍ତି । ଏକ ମଧ୍ୟମ ଧରଣ ଟିମ ଗଠନ କରିବା ପାଇଁ ଏଆଇସିସିକୁ ସୁପାରିଶ କରିଛନ୍ତି ନିରଂଜ। ଯାହା ଏବେ ମୋହର ଅପେକ୍ଷାରେ । ଅନ୍ୟପଟେ ଏହି ନୂଆ ଟିମକୁ ଶୀଘ୍ର ଘୋଷଣା କରିବା ପାଇଁ ଦଳର ଦୁଇ ବରିଷ୍ଠ ବିଧାୟକ ସୁର ଏବଂ ତାରା ଦାବି କରିଛନ୍ତି।
ଦୀର୍ଘ ଦେଢବର୍ଷ ପରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନୂଆ ଟିମ ଗଢିବାକୁ ଯାଉଛନ୍ତି । ପ୍ରଥମେ ଜିଲ୍ଳା ସଭାପତି, ପରେ ବ୍ଲକ ସଭାପତି ଓ ଶେଷରେ ପିସିସି ଟିମ କରିବାକୁ ପୁଣି ଅଣ୍ଟା ଭିଡ଼ିଛନ୍ତି ପିସିସି ସଭାପତି । ସିଡ଼ବ୍ଲୁସି ବୈଠକରେ ପୁଣିଥରେ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହେବା ପରେ ଓଡ଼ିଶା କଂଗ୍ରେସ ଏପରି ଜୋସ ଆସିଛି । ପିସିସି ସଭାପତି କହିଛନ୍ତି ଯେ ଗଲା ଫେବୃୟାରୀ ମାସରୁ ସେ ନୂଆଟିମ ଗଠନ କରିବା ପାଇଁ ଏଆଇସିସି ପାଖକୁ ତାଲିକା ପଠାଇଛନ୍ତି । ହେଲେ ଅଗଷ୍ଟ ୧୫ ଭିତରେ ଟିମ ଦେବା କହି ଏଆଇସିସି ଏଯାଏ ଏହା ଉପରେ ମୋହର ଲଗାଇନାହିଁ । ଟିମ ଗଠନ ହୋଇନଥିବାରୁ ଦଳରେ ଅସନ୍ତୋଷ ହେଉଥିବା ନିଜେ ସ୍ୱୀକାର କରିବା ସହ ଖୁବଶୀଘ୍ର ନୂଆ ଟିମ ତାଲିକାକୁ ଏଆଇସିସିର ଅନୁମୋଦନ ମିଳିବ ବୋଲି ନିରଞ୍ଜନ କହିଛନ୍ତି । ସେପଟେ ନୂଆ ଟିମ ହେଲେ କଂଗ୍ରେସ ସଂଗଠନ ସୁଧୁରୀବ ବୋଲି ବରିଷ୍ଠ ନେତାମାନେ ମତ ଦେଇଛନ୍ତି। ।
ସେପଟେ ପିସିସି ପରିବର୍ତ୍ତନ ନେଇ କିନ୍ତୁ ରାଜ୍ୟ କଂଗ୍ରେସରେ ଏଯାଏ କମ୍ପନ ଥମିବାରେ ନାଁ ନେଇନାହିଁ । ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ପିସିସି ସଭାପତି ଯିଏ ହୁଅନ୍ତୁ ନା କାହିକିଁ ଟିମ ତୁରନ୍ତ ଗଠନ କରାଯାଉ । ଅନ୍ୟପଟେ ତାରା କହିଛନ୍ତି ଯେ ତୁରନ୍ତ କମିଟି ଗଠନ କରାଯାଇ କଂଗ୍ରେସକୁ ଆକଟିଭ କରାଯାଉ । ଜିଲ୍ଳା ,ବକ୍ଲସ୍ତରରେ କଂଗ୍ରେସକୁ କ୍ରୀୟାଶୀଳ କରିବାକ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି ।
କଂଗ୍ରେସ ଅନ୍ଦର ମହଲରୁ ମିଳିଥିବା ଖବର ଅନୁସାରେ ଡ଼ିସେମ୍ବର ପର୍ଯ୍ୟନ୍ତ ପିସିସି ସଭାପତି ପରିବର୍ତ୍ତନ ହେବା ନାହିଁ । ତେଣୁ ନିରଂଜନଙ୍କ ନୂଆ ଟିମ ଗଠନ ପରେ ଦଳରେ ଥିବା ଅସନ୍ତୋଷ ବଢୁଛି ନା କମୁଛି ତାହା ଦେଖିବାର କଥା ।