ଭୁବନେଶ୍ୱର : କଂଗ୍ରେସରେ ଏବେ କିଛି ଠିକ୍ ଚାଲି ନାହିଁ। ଜାତୀୟସ୍ତର ଓ ରାଜ୍ୟ କଂଗ୍ରେସକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି। ଜାତୀୟ ସ୍ତରରେ କଂଗ୍ରେସର ସ୍ଥିତି ସୁଧାରିବା ପାଇଁ ଆସନ୍ତାକାଲି ନୂଆ ଦିଲ୍ଲୀରେ ସିଡବ୍ଲୁସି ବୈଠକ ବସିବାକୁ ଯାଉଛି। ହେଲେ ତାର ଠିକ୍ ପୂର୍ବରୁ ଆଜି ସନ୍ଧ୍ୟାରେ କଂଗ୍ରେସର ପୁରୁଖା ନେତାମାନେ ତାରା ବାହିନୀପତିଙ୍କ ଘରେ ମେଳି ବାନ୍ଧିଛନ୍ତି। ଏବେ ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ତାରା ବାହିନୀପତି ଏହାକୁ ନୁଆଁଖାଇ ଭେଟଘାଟ ବୋଲି କହିଛନ୍ତି।
ଏଥିରେ ତାରାଙ୍କ ସହ ମୋହନା କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ବିଧାୟକ ରମେଶ ଜେନା,ପୂର୍ବତନ ଯୁବ କଂଗ୍ରେସର ସଭାପତି ସଂଗ୍ରାମ ଜେନା,ବାପି ସର୍ଖେଲ ଓ ମାନସ ଚୌଧରି ସାମିଲ ଥିଲେ । ସେପଟେ ସିଡବ୍ଲୁସି ସଦସ୍ୟ ରାମଚନ୍ଦ୍ର ଖୁଂଟିଆ ପସିସି ପରିବର୍ତ୍ତନ ନେଇ କୌଣସି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି । ଏହାସହ ବୈଠକ ପରେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା ପ୍ରତିକ୍ରିୟା ଦେଇ କହିଛନ୍ତି ଏଠାରେ ସଭପତି ପରିବର୍ତ୍ତନ ନେଇ କୌଣସି ଆଲୋଚନା ହେଇ ନାହିଁ ।
ନୁଆଁଖାଇ ଅବସରରେ ମାଉଁସ ଭାତ ରୋଷେଇ ହେଉଥିଲା। ଏହା ଭାଲୁ ଭାଇନାଙ୍କ ତରଫରୁ ପରିବାର ନୂଆଁଖାଇ ଭେଟଘାଟ ଥିଲା। ଅନ୍ୟପେଟେ ପିସିସି ପରିବର୍ତ୍ତନ ନେଇ ତାରା କହିଛନ୍ତି, ଆମେ ଚାହିଁଲେ କିଛି ହେବନି, ସୋନିଆ ଓ ରାହୁଳ ଚାହିଁଲେ ହୋଇପାରିବ । ପିସିସି ସଭାପତି ହେଲେ ଏକ ନମ୍ବର ହେବି। ଭଲ ଭାବରେ ଦାୟିତ୍ୱ ତୁଲାଇବି । ମୁଁ ପରିବର୍ତ୍ତନ ଲବିରେ ନାହିଁ । କିନ୍ତୁ ମିଳିଲେ ଛାଡିବାର ନାହିଁ ବୋଲି ତାରା କହିଛନ୍ତି ।