- ()ଜନସେବାର ୨୫ ବର୍ଷ ପୂର୍ତ୍ତି ପାଳନ କରୁଛି ବିଜେଡ଼ି । ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ ପରେ ଏବେ ଜିଲ୍ଲାସ୍ତରରେ ଦଳ ପ୍ରତିଷ୍ଠା ଦିବସ ପାଳନ କରି ଘରେ ଘରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଯୋଜନାରୁ ଯେମିତି କେହି ବଂଚିତ ନହେବେ ତାହା ଉପରେ ଫୋକସ ଦେଇଛି ଦଳ । ସାଢେ ଚାରିକୋଟି ଓଡ଼ିଆ ଯେଉଁ ଆର୍ଶୀବାଦ ଦେଇ ବିଜେଡ଼ିକୁ ସାମାଜିକ ଆନ୍ଦୋଳନରେ ପରିଣତ କରିଛନ୍ତି ତାହାକୁ ଡ଼ବଲ ଋଣ ବିଜେଡ଼ି ତୃଣମୂଳ କର୍ମୀ ଓ ନେତା ଓଡ଼ିଶାବାସୀଙ୍କୁ ତାଙ୍କର ସେବା କରି ସୁଝାଇବା ପାଇଁ ଧର୍ମଶାଳାରେ ଅନୁଷ୍ଠିତ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀ ଓ ନେତାଙ୍କ ସଭା ମଂଚରୁ ଆହ୍ବାନ କରିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ଓଡ଼ିଶାବାସୀଙ୍କ ସେବା ପାଇଁ ଯେଉଁ ଲକ୍ଷ୍ୟ ନେଇ କାମ କରୁଛନ୍ତି ତାହାକୁ ଦଳୀୟ କର୍ମୀ ଓ ନେତାଙ୍କ ଭଲଭାବରେ ବୁଝି କାମରେ ଆହୁରୀ ଆଗେଇ ନେବାକୁ ସେ ଆହ୍ବାନ ଦେଇଛନ୍ତି । ଉପସ୍ଥିତି କର୍ମୀଙ୍କୁ ପ୍ରଣବ ସେମାନଙ୍କ ଦାୟିତ୍ବ ବୁଝାଇବା ସହ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରି କାମ କରିବାକୁ ଗୁରୁମନ୍ତ୍ରୀ ଦେଇଥିଲେ ।
ଧର୍ମଶାଳାରୁ କେନ୍ଦ୍ର ସରକାରଙ୍କ ଜୁମଲା ପୋଲ ଖୋଲିଛନ୍ତି ପ୍ରଣବ । କେନ୍ଦ୍ରରେ ବିଜେପି ସରକାର ଆସିବା ଦିନରୁ ଏଯାଏ ରାଜ୍ୟବାସୀଙ୍କ ପ୍ରତି କିପରି ଜୁମଲା କରିଛନ୍ତି ତାହା ଦୁଇଟି ଉଦାହରଣ ଦେଇ ଜନତାଙ୍କୁ ବୁଝାଇଥିଲେ ସେ । ଗରିବଙ୍କୁ ଚାଉଳ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀମାନେ ରାଜନୀତି କରୁଥିବାରୁ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସେ । ବିଜେପି ନେତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ପ୍ରଶ୍ନ କରି ପ୍ରଣବ କହିଛନ୍ତି ଯେ ଏବେ ରାଜ୍ୟରେ ୩କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳ ଯୋଗଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନେଇ କଟାକ୍ଷ କରି ପ୍ରଣବ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଅଛନ୍ତି, ଗରିବ ଅଛନ୍ତି , ହେଲେ କଲ୍ୟାଣ କୁଆଡ଼େ ଗଲା ବୋଲି ଧର୍ମଶାଳାରୁ ଦିଲ୍ଲୀକୁ ପ୍ରଶ୍ନ କରିଛନ୍ତି ସେ । ଗରିବ ଲୋକଙ୍କ ଉପରେ କଲ୍ୟାଣ ନକରି କେନ୍ଦ୍ର ସରକାର ଯେଉଁ ଅନ୍ନ କାଟିଦେଇଛନ୍ତି ତାହାର ଜବାବ ରାଜ୍ୟବାସୀ ଆଗାମୀ ଦିନରେ ଦେବେ ବୋଲି କହିଛନ୍ତି । ଗରିବ ପେଟକୁ ଲାତ ମାରିଥିବା ଜୁମଲା ସରକାରଙ୍କୁ ଓଡ଼ିଶାବାସୀ ଜବାବ ଦେବେ ବୋଲି ସେ କହିଥିଲେ । ସେହିପରି ଲୋକଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଲା କି ନାହିଁ ସେକଥା ମଧ୍ୟ ଉପସ୍ଥିତ ଜନତାକୁ ପଚାରିଥିଲେ ପ୍ରଣବ ।
ଶେଷରେ କର୍ମୀଙ୍କୁ ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ନେଇ ଓଡ଼ିଶା ଯେପରି ଆଗେଇ ଚାଲିଛି ସେଥିରେ ସମସ୍ତେ ଅଧିକ ପରିଶ୍ରମ କରିବାକୁ ଆହ୍ବାନ ଦେଇଥିଲେ ।