ଦରିଦ୍ରର ଦରଦି ବନ୍ଧୁ ଗୋପବନ୍ଧୁ : ପ୍ରସନ୍ନ କୁମାର ପାଇକରାୟ

- Advertisement -

ପୁରୀ ଜିଲ୍ଲା ସତ୍ୟବାଦୀର ସୁଆଣ୍ଡୋ ଗ୍ରାମ ଠାରେ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ ଦିନ ଦରିଦ୍ରର ଦରିଦି ବନ୍ଧୁ ଗୋପବନ୍ଧୁ । ଯୁଗ ଯୁଗ ଧରି ଏହି ଦିନଟି ଓଡ଼ିଆ ଜାତି ପାଇଁ ସ୍ମରଣୀୟ ହୋଇ ରହିଥିବ । ଗୋପବନ୍ଧୁଙ୍କ ଜନ୍ମ ଏକ ରୋଚକ ଘଟଣା । ତାଙ୍କ ବାପାଙ୍କ ନାମ ବୈରାଗୀ ଦାସ ,ଏକ କୁଶଳୀ ବ୍ରାହ୍ମଣ । ମାତା ହେଲେ ସ୍ୱର୍ଣ୍ଣମୟୀ ଦେବୀ । ମାତା ସ୍ୱର୍ଣ୍ଣମୟୀ ଦେବୀ ଗର୍ଭ ଯନ୍ତ୍ରଣା ପାଉଥାନ୍ତି , ବଇଦଙ୍କ ଔଷଧରେ ଯନ୍ତ୍ରଣା ରୁ ଉପଶମ ମିଳୁ ନ ଥାଏ ,ଏହି ସମୟରେ କିଏ ଜଣେ କହିଲେ ସ୍ୱର୍ଣ୍ଣମୟୀଙ୍କୁ ଜଣେ ଗରିବ ଘରକୁ ନେଇଯାଅ, ସେପରି ହେଲା ଗରିବ ଘରକୁ ନିଆଗଲା , କିଛି ସମୟ ମଧ୍ୟରେ ସେ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ । ସତରେ ଏକ ଗରିବ ଘରେ ଜନ୍ମ ହୋଇ ଗରିବ ମାନଙ୍କର ବନ୍ଧୁ ହୋଇଯାଇଥିଲେ ଗୋପବନ୍ଧୁ । ପିଲାଟି ଦିନରୁ ମା’ଙ୍କୁ ହରାଇ ମାଉସୀଙ୍କ ଦ୍ୱାରା ପାଳିତ ହୋଇଥିଲେ ଗୋପବନ୍ଧୁ । ଜଣେ ସତ୍ୟନିଷ୍ଠ ,ଯୋଗଜନ୍ମା ଓଡ଼ିଶାର ଅନ୍ୟତମ ବରପୁତ୍ର ,ମୁକ୍ତିଯୋଦ୍ଧା ,ସମାଜ ସଂସ୍କାରକ, ମାନବଵାଦୀ ଚିନ୍ତାନାୟକ , କବି , ଜନନାୟକ , ଦିନଦୁଃଖୀ ମଣିଷର ଦରଦୀ ବନ୍ଧୁ , ଭାଗବତ ପୁରୁଷ ଚିରବନ୍ଧ୍ୟ ପଣ୍ଡିତ ଗୋପବନ୍ଧୁ ବାସ୍ତବରେ ଥିଲେ ବିଶ୍ୱବନ୍ଧୁ । ଗୋପବନ୍ଧୁଙ୍କ ଜାତୀୟତାର ଭାବ ଥିଲା ଆକାଶ ପରି ଉଦାର ଓ ମହୋଦଧି ପରି ବ୍ୟାପକ ପୁଣି ସଂକୀର୍ଣ୍ଣତାର ବହୁ ଉର୍ଦ୍ଧ୍ବରେ । ଗୋପବନ୍ଧୁ ଥରେ କହିଥିଲେ ସଂକୀର୍ଣ୍ଣ ସୀମା ମଧ୍ୟରେ ପ୍ରକୃତ ଜାତୀୟତାର ପୂର୍ଣ୍ଣ ବିକାଶ ଅସମ୍ଭବ । ସେ ଯେଉଁ ଜାତିର ହୁଅନ୍ତୁ ସେ ପ୍ରଥମେ ମନୁଷ୍ୟ ,ଈଶ୍ୱରଙ୍କ ସନ୍ତାନ । ଓଡ଼ିଆ ଜାତି ଉପରେ କିଛି ଆଘାତ ଲାଗିଲେ ଯନ୍ତ୍ରଣାରେ ଛଟପଟ ହୁଏ ଗୋପବନ୍ଧୁଙ୍କ ପ୍ରାଣ । ଦେଶରେ ସେତେବେଳେ ଇଂରେଜ ମାନଙ୍କ ଶାସନ ଚାଲିଥିଲା । ସାଧାରଣ ଜନତା ତ୍ରସ୍ତ ଶଙ୍କିତ ଭାବରେ ରହିଥାନ୍ତି । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଗୋପବନ୍ଧୁ ଜାତୀୟ

ମୁକ୍ତି ସଂଗ୍ରାମରେ ସାମିଲ ହୋଇ ଓଡ଼ିଶାର ଗାଁ ଗାଁ ବୁଲି ଇଂରେଜ ଶାସନରୁ ମୁକ୍ତି ପାଇଁ ବୁଝାଉଥିଲେ ଏଵଂ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ , ଫଳ ସ୍ଵରୂପ ତାଙ୍କୁ ବାରମ୍ବାର କାରାଦଣ୍ଡ ଭୋଗିବାକୁ ପଡ଼ିଲା । ସ୍ୱାଧୀନ ମତବ୍ୟକ୍ତ କରି ସେ କାରାବରଣ କରିଛନ୍ତି । ସତ୍ୟବାଦୀର ସନ୍ଥ ଜାତୀୟତା ବାଦର ମହମାନ୍ତ୍ରୀକ ଗୋପବନ୍ଧୁ ଏକ ଦେଶଦ୍ରୋହ ଅଭିଯୋଗରେ ଦୁଇ ବର୍ଷ କାରା ଦଣ୍ଡାଦେଶ ପାଇ କଟକରୁ ହଜାରିବାଗ କାରାଗୃହକୁ ଯିବାବେଳେ କଟକ ଷ୍ଟେସନରେ ଜନସମାଗମ ଦେଖି ଇଂରେଜ ସରକାର ଆତଙ୍କିତ ହୋଇପଡିଥିଲେ । ପ୍ରମାଣିତ କରିଥିଲା ଜନମାନସର ପ୍ରିୟ ନେତାକୁ ଦେଖିବା ପାଇଁ ବାଟସାରା ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ । କାରାଗାର ଯିବା ବାଟରେ ଗୋପବନ୍ଧୁ ଯେଉଁ ଯେଉଁ ଦୃଶ୍ୟ ତାଙ୍କର ଦୃଷ୍ଟି ଆକର୍ଷଣ ହୋଇଥିଲା ତାହାକୁ ନେଇ ସେ ଅନେକ କବିତା ରଚନା କରିଥିଲେ । ତାହା ମଧ୍ୟରେ ” ବନ୍ଦିର ଆତ୍ମକଥା ‘ କାରା କବିତା , ଅବକାଶ ଚିନ୍ତା , ଧର୍ମପଦ , ଓ ନଚିକେତା ଇତ୍ୟାଦି । ଗୋପବନ୍ଧୁ କାରାଗୃହରେ ଥାଇ ମହାପ୍ରଭୁଙ୍କୁ ସ୍ମରଣ କରି ଲେଖିଥିଲେ ଜଗନ୍ନାଥ ହିଁ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ପରିଚୟ ଓ ଓଡ଼ିଆ ଅସ୍ମିତାର ମହାଦ୍ରୁମ । ଓଡ଼ିଆ ଜାତି ସହିତ ଜଗନ୍ନାଥଙ୍କର ଆତ୍ମୀୟ ସମ୍ପର୍କକୁ ପ୍ରକାଶ କରିବାକୁ ଯାଇ ନେତୃତ୍ୱ ସମର୍ପଣ କରି ଲେଖିଥିଲେ – ” ନ ଅଟକେ କର୍ମ ନେତାର ଅଭାବେ / ଧର୍ମ ନବ ଚଳେ ଧର୍ମର ପ୍ରଭାବେ // ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ/ ଉତ୍କଳର ନେତା ନିଜେ ନାରାୟଣ । ( ବନ୍ଦିର ଆତ୍ମକଥା ) । ଗୋପବନ୍ଧୁ ଥିଲେ ସଚ୍ଚା ସମାଜସେବୀ ,ବିଶ୍ଵମୈତ୍ରୀ, ଜାତୀୟତାବାଦ ଓ ସର୍ଵଧର୍ମ ସମନ୍ୱୟର ଉଦଗାତା । ବିଶୁଦ୍ଧ ମାନବପ୍ରେମ ସର୍ତ୍ତ ,ସ୍ୱାର୍ଥ ,ପ୍ରତ୍ୟାଶା ବିଲୀନ ତ୍ୟାଗପୁତ ସେବା ତାଙ୍କର କର୍ମ ପ୍ରେରଣା । ଗୋପବନ୍ଧୁ ଦେଶବାସୀଙ୍କ ମନୋବଳ ବଢାଇବାକୁ ଯାଇ ଲେଖିଥିଲେ-” କାତରତା ସିନା କାପୁରୁଷପଣ / ବୀର ମାରେ ଅବା ମରେ କରି ରଣ / ପଛଘୁଞ୍ଚା ନାହିଁ ବିରର ଜାତକେ / ନ ମରେ କେବେ ପରାଣ ଆତଙ୍କେ । ସେହିପରି ଗୋପବନ୍ଧୁ ନିଜ ପାଇଁ ନୁହେଁ ଜାତି ପାଇଁ ନିଜର ଜୀବନ ସମର୍ପିତ କରି ଦେଇଥିଲେ । ନିର୍ଭୀକ ଭାବେ କହିଥିଲେ – “ମିଶୁ ମୋର ଦେହ ଏ ଦେଶ ମାଟିରେ / ଦେଶବାସୀ ଚାଲି ଯାଆନ୍ତୁ ପିଠିରେ // ସ୍ୱାଧୀନତା ପଥେ ଅଛି ଯେତେ ଗାଡ଼ / ପୂରୁ ତହିଁ ପଡ଼ି ମୋର ମାଂସହାଡ଼ । ତାଙ୍କ କାରୁଣ୍ୟ ବିଜଡିତ ଉଦବୋଧନ ମୂଳକ ଆତ୍ମକଥାର ପ୍ରତିଟି ଶବ୍ଦ ମନେହୁଏ ଯେମିତି ଟୋପାଏ ଟୋପାଏ ଆଶ୍ୱାସନାର ଅଶ୍ରୁବିନ୍ଦୁ । ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଥିଲେ ପଣ୍ଡିତ ଗୋପବନ୍ଧୁ ।(୧୮୭୭-୧୯୨୯) । ୧୯୦୯ ମସିହାରେ ଗୋପବନ୍ଧୁ କିଛି ସହଯୋଗୀଙ୍କ ସହ ସତ୍ୟବାଦୀର ବଉଳ ଓ ଛୁରିଆନା ବଣ ଭିତରେ ସ୍ଥାପନ କରିଥିଲେ ଆଦର୍ଶ ବନ ବିଦ୍ୟାଳୟ । ସତ୍ୟବାଦୀ ବନ ବିଦ୍ୟାଳୟ ଗୋପବନ୍ଧୁଙ୍କର ଥିଲା ପ୍ରବୁଦ୍ଧ , ନିର୍ଭୀକ ସ୍ୱାବଲମ୍ବୀ ନାଗରିକ ନିର୍ମାଣ ସ୍ୱପ୍ନର ଫଳଶୃତି । ଶୈକ୍ଷିକ କ୍ଷେତ୍ରରେ ଏହା ଥିଲା ମହାବିପ୍ଲଵ । ଏଠାରେ ପାଠ ପଢ଼ା ପ୍ରତି ଆକୃଷ୍ଟ ହୋଇ ଚାରିଆଡୁ ବିଦ୍ୟାର୍ଥୀଙ୍କ ସୁଅ ଛୁଟିଲା । ଗୁରୁକୂଳ ଆଶ୍ରମ ପରିବେଶ ମଧ୍ୟରେ ପିଲାମାନଙ୍କୁ ପାଠ ସହିତ ନୈତିକ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିଲା । ଓଡ଼ିଆ ଅସ୍ମିତାର ଭୁୟୋବିକାଶ ଓ ଜନ ଜାଗରଣ ପାଇଁ ସେ ପ୍ରତିଷ୍ଠା କରିଥିଲେ “ସତ୍ୟବାଦୀ “ଓ “ସମାଜ” ଯାହା ଥିଲା ଜନ ଜୀବନର ବିଶ୍ୱସ୍ତ ଦର୍ପଣ । ୧୯୧୫ ମସିହାରେ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ଧାରାବାହିକ ସାହିତ୍ୟ ପତ୍ରିକା ସତ୍ୟବାଦୀ । ଓଡ଼ିଆ ଅସ୍ମିତାର ଚାରା ରୋପଣ ପାଇଁ ସେ ପ୍ରତିଷ୍ଠା କରିଥିଲେ ସାପ୍ତାହିକ “ସମାଜ ” । ଜନତାର ମୁଖପତ୍ର ଓଡ଼ିଆ ଅସ୍ମିତାର ମାର୍ଗଦର୍ଶିକା । ଦିନ ଓ ଦରିଦ୍ରର ବନ୍ଧୁ ଗୋପବନ୍ଧୁ ଛାତ୍ରାବସ୍ତାରୁ ଥିଲେ ଜଣେ ବିପ୍ଲବୀ ଉତ୍କଳରେ ନବଜାଗରଣର କର୍ଣ୍ଣଧାରା । ଓଡ଼ିଆ ଭାଷା ଓ ଜାତୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ନିଜର ସମ୍ପୂର୍ଣ୍ଣ ଜୀବନକୁ ସମର୍ପିତ କରିଥିଲେ । ସେ ଥିଲେ ଉତ୍କଳର ମହାନିଶାର ଧ୍ରୁବଜ୍ୟୋତି । ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ୍ର ସ୍ୱରୂପ । ଓଡ଼ିଆ ଜାତୀର ସ୍ୱାଭିମାନର ପ୍ରତୀକ । ଦରିଦ୍ର ,ନିଷ୍ପେସିତ, ଅନ୍ନକ୍ଳିଷ୍ଟ , ବନ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଜନଗଣଙ୍କ ସେବାରେ ସେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ସରଳ ପ୍ରାଣର ତରଳ ଅଭିବ୍ୟକ୍ତି ଉତ୍କଳୀୟ ଜନମାନସକୁ ବେଶ ପ୍ରଭାବିତ କରିଥିଲା । ଧର୍ମପଦ କବିତାରେ ସେ କହିଛନ୍ତି – ପରହିତେ ପ୍ରାଣ ଉତ୍ସର୍ଗ ପୂରୁବେ କେତେ କେତେ ମହାଜନ / ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତ ମରଣ ନିତ୍ୟ ଜୀବନ । ଗୋପବନ୍ଧୁଙ୍କ ସମୟରେ ଉତ୍କଳ ଥିଲା ଏକ ଦୁଃଖଦ ଭୂଗୋଳ । ମାତ୍ର ପଚାଶ ବର୍ଷର ନୀତିଦିନ ଜୀବନରେ ସେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ବନ୍ୟା ,ଦୁର୍ଭିକ୍ଷ ପ୍ରପୀଡ଼ିତ ଦରିଦ୍ର ନାରାୟଣକର ସେବା ଥିଲା ଗୋପବନ୍ଧୁଙ୍କ ଜୀବନର ଶ୍ରେଷ୍ଠ ସାଧନା । ଉତ୍କଳୀୟ ଜନସାଧାରଣଙ୍କର ପ୍ରାଣର ପ୍ରତିନିଧି ଥିଲେ ବୋଲି ବୈଜ୍ଞାନିକ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ ” ଉତ୍କଳମଣି” ସମ୍ବୋଧନ କରି ସମ୍ମାନୀତ କରିଥିଲେ । ଜୀବନ ତମାମ ଅନ୍ୟପାଇଁ ନିଜକୁ ନିୟୋଜିତ କରି ଓଡ଼ିଶାର ପୁର ପଲ୍ଲୀରେ ସମସ୍ତଙ୍କ ହୃଦୟରେ ମଣି ସାଜିଥିଲେ ଉତ୍କଳମଣି । ନିଜ ପରିବାର ଠାରୁ ଅଧିକ ଭଲ ପାଉଥିଲେ ସ୍ନେହ ଶ୍ରଦ୍ଧା କରୁଥିଲେ ଲୋକମାନଙ୍କୁ , ସେଥିପାଇଁ ତ ଥରେ ନିଜ ରୋଗିଣା ପୁଅକୁ ଛାଡ଼ି ମଧ୍ୟ ବନ୍ୟା ଅଞ୍ଚଳକୁ ଚାଲିଯାଇଥିଲେ । ଫେରିଲା ବେଳକୁ ପୁଅ ଆଉ ସଂସାରରେ ନ ଥିଲା । ପ୍ରଚଣ୍ଡ ଆଧ୍ୟାତ୍ମବାଦୀ ଗୋପବନ୍ଧୁ ସବୁବେଳେ କହୁଥିଲେ ମଙ୍ଗଳ ମୟଙ୍କ ସୁମଙ୍ଗଳ ଇଛା /ପୁରୁ ଏ ପରାଣେ ଏହି ଶେଷ ଭିକ୍ଷା । ୧୯୨୮ ଜୁନ ୧୭ ରେ ଏ ଜାତିର ଜନ୍ମ ବେଦୀରେ ଜଳୁଥିବା ଅଖଣ୍ଡ ମହାଦୀପ ନିର୍ବାପିତ ହୋଇଗଲା । ଉତ୍କଳମଣୀଙ୍କ ତିରୋଧାନରେ ଓଡ଼ିଶା ଇତିହାସର ଗୋଟିଏ ଗୌରବମୟ ଇତିହାସର ସତେ ଯେପରିକି ଅବସାନ ଘଟିଲା ।

ଆଜିର ଶୁଭ ଜନ୍ମତିଥିରେ ଓଡ଼ିଶାର ବରପୁତ୍ର ,ଚିରବରେଣ୍ୟ ,ଜାତିର ଗର୍ବ ଗୌରବ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ଆସନ୍ତୁ ସ୍ମୁତିଚାରଣ କରିବା।

ପ୍ରସନ୍ନ କୁମାର ପାଇକରାୟ

ରାଜ୍ୟ ସମ୍ପାଦକ ,ଓୟୁଜେ

୭୦୦୮୯୩୬୩୭୩

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles