() ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟିର ବୈଠକ ଭୁବନେଶ୍ୱର କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶୋକ ପ୍ରକାଶ ଆଗତ କରାଯାଇ ଦିବଂଗତ ଆତ୍ମାର ସଦ୍ଗତି କାମନା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।
କାର୍ଯ୍ୟକାରୀ କମିଟିରେ ଗୃହୀତ ରାଜନୈତିକ ପ୍ରସ୍ତାବରେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ସଚେତନ ହୋଇ ଉପଯୁକ୍ତ ସମୟରେ ଉପଯୁକ୍ତ ନିଷ୍ପତି ଗ୍ରହଣ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଥିଲା । ଏଥିସହ ଜାତିଭିତିକ ଜନଗଣନା, ଆଦିବାସୀ ଜମି ଅଧିକାରର ସୁରକ୍ଷା ପାଇଁ ନଭେମ୍ବର-୧୬ ରେ କ୍ୟାବିନେଟ ଅନୁମୋଦିତ ସଂଶୋଧନ ନିଷ୍ପତିର ତୁରନ୍ତ ପ୍ରତ୍ୟାହାର, ଶ୍ରୀ ଜଗନ୍ନାଥଙ୍କ ଚାରିଦ୍ୱାର ଓ ରତ୍ନଭଣ୍ଡାର ଭିତର ଦ୍ୱାର ଖୋଲିବା, ଉତ୍କଟ ବେକାରୀ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ କ୍ରମବର୍ଦ୍ଧିଷ୍ନୁ ମହିଳା ଅତ୍ୟାଚାର ଓ ଦୁଷ୍କର୍ମ ମହିଳାମାନଙ୍କର ରାଜନୈତିକ ସଶକ୍ତିକରଣ ପାଇଁ ମହିଳା ସଂରକ୍ଷଣ ଆଇନ ତୁରନ୍ତ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସରକାରୀ ବିଫଳତାକୁ ନିନ୍ଦା କରିବା ସହ ଅବଳମ୍ବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦିଆଯାଇଥିଲା ।
ବିଜେଡ଼ି ସରକାରରେ ଦୁର୍ନୀତି ସଂକ୍ରାନ୍ତ ପ୍ରସ୍ତାବରେ ଚିଟ୍ଫଣ୍ଡ ଦୁର୍ନୀତି, ଡାଲି ଦୁର୍ନୀତି, ପାଣି ଦୁର୍ନୀତି ସହ ସରକାରଙ୍କର ଏକାନ୍ତ ଅନୁଗତ ଅଧିକାରୀ ମାନଙ୍କ ଆଖିବୁଜା ଲୁଟ ଓ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ମାମଲାରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ ପ୍ରତି ଅବମାନନା ଘଟଣାରେ ବୈଠକରେ ଉଦ୍ବେଗ ପ୍ରକାଶ ପାଇବା ସହ ଦୋଷୀ ସାବ୍ୟସ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା । ବିଶେଷ କରି ବଲାଙ୍ଗିରର ତହସିଲ କୋର୍ଟରେ ରୁଜୁ ହୋଇଥିବା ଓଏଲଆର କେସ ନଂ ୮/୧୯୭୪ ମାମଲାରେ ୪୦ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଛି ବୋଲି ଠୋସ ପ୍ରମାଣ ଥିଲେ ମଧ୍ୟ ରାଜ୍ୟ ସରକାର ବିଧାନସଭାରେ ବାରମ୍ବାର ଏ ପ୍ରସଙ୍ଗ ଉଠାଯାଉଥିଲେ ମଧ୍ୟ ଉତର ଦେଉ ନାହାନ୍ତି କିମ୍ବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏହାଠାରୁ ବଳି ବଡ଼ ଭ୍ରଷ୍ଟାଚାରର ଉଦାହରଣ କଣ ଥାଇପାରେ ବୋଲି ବୈଠକରେ ଆଲୋଚନା ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।
କୃଷି କୃଷକ ପ୍ରସ୍ତାବରେ ଚାଷୀମାନଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ପ୍ରାପ୍ୟ ପ୍ରଦାନ ନିମିତ ଏମଏସ୍ପି ଉପରେ ରାଜ୍ୟ ସରକାରଙ୍କ ତରଫରୁ ବୋନସ ପ୍ରଦାନ ଓ ଭାଗଚାଷୀ ଆଇନ ପ୍ରଣୟନ ପାଇଁ ସରକାରଙ୍କ ଠାରେ ଦାବି କରାଯାଇଥିଲା ।
ଏଥିସହ କଲେଜ ମାନଙ୍କରେ ନିୟମିତ ନିର୍ବାଚନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କୁ ଓ ୨୦୨୩ ରେ ସଂଶୋଧିତ ଜମି ଅଧିକାର ଆଇନ ୨୦୧୩ ଓ ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ର ପୁନଃ ସଂଶୋଧନ କରି ଆଦିବାସୀ ମାନଙ୍କ ଅଧିକାରକୁ ସାବସ୍ତ୍ୟ କରିବାପାଇଁ କେନ୍ଦ୍ର ମୋଦି ସରକାରଙ୍କୁ ଆହ୍ୱାନ ଦିଆଯାଇଥିଲା ।
ଏତଦ୍ବ୍ୟତିତ କାର୍ଯ୍ୟକାରିଣୀରେ ଅର୍ଥ ନୈତିକ ପ୍ରସ୍ତାବ ଆଗତ ହୋଇଥିଲା । ଶିଳ୍ପ, କୃଷି, ପର୍ଯ୍ୟଟନ, ସେବା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ରରେ ଭାରତ ବିକଶିତ ରାଜ୍ୟମାନଙ୍କରେ ଓଡ଼ିଶା ପଛରେ ପଡ଼ିଛି । ସମ୍ପ୍ରତି ସରକାରୀ ଓ ବେସରକାରୀ ଭାବେ ମିଳୁଥିବା ବିଭିନ୍ନ ପ୍ରକାରର ତଥ୍ୟ ଆଧାରରେ ଦେଖିଲେ ଏକଥା ଅତ୍ୟନ୍ତ ସ୍ପଷ୍ଟ ହେଉଛି ଯେ ଓଡ଼ିଶା ଆଜି ଭାରତର ଅନ୍ୟତମ ପଛୁଆ ରାଜ୍ୟରେ ପରିଣତ ହୋଇଯାଇଛି । ଶିଳ୍ପ, କୃଷି, ପର୍ଯ୍ୟଟନ, ସେବାକ୍ଷେତ୍ର, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଶାସନ ବ୍ୟବସ୍ଥା ଆଦି ସମସ୍ତ କ୍ଷେତ୍ରରେ ଭାରତର ବିକଶିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶା ପଛରେ ପଡ଼ିଛି । ଓଡ଼ିଶାର ଯୁବକ ଯୁବତୀମାନେ କାମଧନ୍ଦା ପାଇଁ ସେହି ସବୁ ରାଜ୍ୟ ମାନଙ୍କରେ ଦାଦନ ଶ୍ରମିକ ହୋଇଛନ୍ତି । ରାଜ୍ୟର ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ସାମଗ୍ରିକ ଭାବେ ଓଡ଼ିଶାବାସୀଙ୍କ ବିକାଶରେ ବ୍ୟବହାର ହୋଇପାରୁନାହିଁ । ହୁଏତ କିଛି ମୁଷ୍ଟିମେୟ ଓଡ଼ିଆଙ୍କୁ ସଫଳତା ମିଳୁଛି କିନ୍ତୁ ରାଜ୍ୟର ଆର୍ଥିକ ଓ ସାମାଜିକ ସ୍ଥିତି ଦେଶର ଅନ୍ୟ ବିକଶିତ ରାଜ୍ୟମାନଙ୍କ ତୁଳନାରେ ବହୁ ପଛରେ ପଡ଼ିଛି । ରାଜ୍ୟର ସମସ୍ତ ପରିବାର ପାଖରେ ସର୍ବନିମ୍ନ ମୌଳିକ ଆବଶ୍ୟକତା, ଘରଡିହ, ବାସଗୃହ, ପିଇବା ପାଣି, ବିଜୁଳି ଆଲୁଅ, ପାଇଖାନା ଓ ଅନ୍ୟାନ୍ୟ ସୁବିଧାପହଂଚି ପାରିନାହିଁ । ଏପରିକି କୃଷିଜାତ ଦ୍ରବ୍ୟଗୁଡ଼ିକ ପାଇଁ ମଧ୍ୟ ଓଡ଼ିଶା ପଡୋଶୀ ରାଜ୍ୟମାନଙ୍କ ଉପରେ ନିର୍ଭରଶୀଳ । କୌଣସି ଦୀର୍ଘସ୍ଥାୟୀ ଯୋଜନା ପରିବର୍ତେ ରାଜ୍ୟ ସରକାର ସ୍ୱଳ୍ପ ମିଆଦି ଯୋଜନା ପ୍ରଣୟନ କରିବାଦ୍ୱାରା ଏହା ରାଜ୍ୟର ପ୍ରଗତିର ସହାୟକ ହୋଇପାରି ନାହିଁ । ଭିକ୍ଷାଦାନ ଭଳି ଏସବୁ ଯୋଜନାମାନ ଚଳାଇ ରଖିଛନ୍ତି । ଏକ ଅବିକଶିତ, ଦରିଦ୍ର ଓ ଦାଦନ ଶ୍ରମିକ ମାନଙ୍କ ରାଜ୍ୟ ଭାବରେ ଓଡ଼ିଶା ପରିଗଣିତ ହେଉଛି । ବାରମ୍ବାର ଭୋକର ଭୁଗୋଳର ପରିବର୍ତନ ଏ ସରକାର କରିଛି ବୋଲି ଦାବି ହେଉଥିବା ବେଳେ ୨୫ ବର୍ଷ ଭିତରେ ଦାଦନ ସଂଖ୍ୟ ୫ ଗୁଣରୁ ଅଧିକ କିଭଳି ଓ କାହିଁକି ହୋଇଛି? ରାଜ୍ୟର ପୂର୍ବରୁ ରହି ଆସିଥିବା ଅଚଂଳ ଅଂଚଳ ମଧ୍ୟରେ ବୈଷମ୍ୟ ଏବେ ଅଧିକ ଘନିଭୂତ ହେଉଛି । ବିଶେଷତଃ ଆଦିବାସୀ ଅଧ୍ୟୁଷିତ ଅଂଚଳ ମାନଙ୍କରେ ଅର୍ଥନୈତିକ, ସାମାଜିକ, ଶିକ୍ଷା କ୍ଷେତ୍ରରେ ବୈଷମ୍ୟ ବହୁ ଅଧିକ ବୃଦ୍ଧି ପାଇଛି । ଆମ ରାଜ୍ୟର ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ପାଇଁ ଏହି କାର୍ଯ୍ୟକାରିଣୀରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
ଏହି କାର୍ଯ୍ୟକାରିଣୀରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଆଗତ ପ୍ରସ୍ତାବରେ ପୁରୁଣା ପେନସନ୍ ଲାଗୁକରିବା, ନିଯୁକ୍ତ ସୁଯୋଗ ସୃଷ୍ଟି କରି ସମସ୍ତ ଦାଦନ ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବା, ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା, ସମସ୍ତ ପ୍ରକାର ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କରିବା, ଅଙ୍ଗନୱାଡ଼ି, ସ୍ୱାସ୍ଥ୍ୟକର୍ମୀ, ପାଚୀକା ମାନଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ସୁରକ୍ଷା ଓ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଦେବାକୁ ଦୃଢ଼ ଦାବି କରାଯାଇଥିଲା । କେନ୍ଦ୍ରର ବିଜେପି ସରକାର ସଂପୂର୍ଣ୍ଣ ଶ୍ରମିକ ଓ କର୍ମଚାରୀ ବିରୋଧି । କରୋନା ସଂକ୍ରମଣ ସମୟରେ ପୂର୍ବରୁ କଂଗ୍ରେସ ଅମଳରେ ପ୍ରସ୍ତୁତ ୪୪ ଟି ଶ୍ରମିକ ଆଇନକୁ ଅଳିଆ ଗଦାକୁ ଫିଙ୍ଗି ଦେଇ ୪ଟି ଲେବର କୋର୍ଡ କରିବା ତଥା କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧି ନୀତିକୁ ପ୍ରତିବାଦ କରାଯାଇଥିଲା
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୋଧରେ ନିରବଚ୍ଛିନ୍ନ ଭାବେ ଜନଆନ୍ଦୋଳନ କରି କଂଗ୍ରେସକୁ ରାଜ୍ୟରେ ଚଳଚଂଚଳ କରିବାସହ ରାଜ୍ୟବାସୀଙ୍କ ଆସ୍ଥାଭାଜକ ହେବାରେ ସଫଳ ନେତୃତ୍ୱ ଦେଇଥିବାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କାର୍ଯ୍ୟକାରିଣୀରେ ଗୃହୀତ ସମସ୍ତ ପ୍ରସ୍ତାବ ଗୁଡ଼ିକୁ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ନିକଟ ଭବିଷ୍ୟତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରି ରାଜଧାନୀ ଭୁବନେଶ୍ୱରରେ ବିଶାଳ ପରିବର୍ତନ ସମାବେଶ କରାଯିବ ବୋଲି ଘୋଷଣା କରିଥିଲେ ।
ଏହି କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଆଗତ କରିଥିଲେ । ରାଜନୈତିକ ପ୍ରସ୍ତାବ ଗଣେଶ୍ୱର ବେହେରା ଆଗତ କରିଥିବା ବେଳେ ସୁରେଶ ମହାପାତ୍ର ସମର୍ଥନ କରିଥିଲେ । ବିଜେଡ଼ି ସରକାରର ଦୁର୍ନୀତି ପ୍ରସ୍ତାବ ନକୁଳ ନାୟକ ଆଗତ କରିଥିବା ବେଳେ ବିଜୟଲକ୍ଷ୍ମୀ ସାହୁ ସମର୍ଥନ କରିଥିଲେ । ଓଡ଼ିଶାରେ କୃଷି ଓ କୃଷକ ପ୍ରସ୍ତାବ ଲଲାଟେନ୍ଦୁ ମହାପାତ୍ର ଆଗତ କରିଥିବା ବେଳେ ରଶ୍ମି ମହାପାତ୍ର ସମର୍ଥନ କରିଥିଲେ । ଶ୍ରମିକ ଓ କର୍ମଚାରୀଙ୍କ ପ୍ରସ୍ତାବକୁ ଅର୍ଚ୍ଚନା ନନ୍ଦୀ ଆଗତ କରିଥିବା ବେଳେ ଅମିତା ବିଶ୍ୱାଳ ସମର୍ଥନ କରିଥିଲେ । ଅନୁରୂପ ଭାବରେ ଅର୍ଥନୈତିକ ପ୍ରସ୍ତାବ ବିଭୁତି ଭୂଷଣ ମିଶ୍ର ଆଗତ କରିଥିବା ବେଳେ ସସ୍ମିତା ବେହେରା ସମର୍ଥନ କରିଥିଲେ । ପ୍ରସ୍ତାବ ଗୁଡିକ ଉପରେ ହୋଇଥିବା ଆଲୋଚନାରେ ବିଧାୟକ ଦଳର ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ବିଜୟ ପଟ୍ଟନାୟକ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶୁଭେନ୍ଦୁ ମହାନ୍ତି, ଜିଆଉଲ ହକ, ସି.ଏସ୍. ରାଜନ ଏକ୍କା, ଅମ୍ବିକା ଭଟ, ପଦ୍ମାକର ଗୁରୁ, ଚିନ୍ମୟ ସୁନ୍ଦର ଦାସ, ମଧୁସ୍ମିତା ସେଠୀ, ଦେବାଶିଷ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ମନୋଜ ମଞ୍ଜରୀ ଦେବୀ, ଆଲୋକ ଲେଙ୍କା, ବିଧୁଭୂଷଣ ତ୍ରିପାଠୀ, ହରଦିପ ସିଂ, ସୁବ୍ରତ ମହାପାତ୍ର ଓ ୟାସିର ନୱାଜ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକାରିଣୀରେ ଶୋକ ପ୍ରସ୍ତାବରେ ଦିବଗଂତ ପୂର୍ବତନ ବିଧାୟକ ରସାନନ୍ଦ ସାହୁ, ଯୁଧିଷ୍ଠୀର ସାମନ୍ତରାୟ, ସନ୍ଧ୍ୟା ମହାପାତ୍ର, ସତ୍ୟସ୍ମିତ ମହାନ୍ତି, ଶୈଳେନ୍ଦୁ ମଜୁମଦାର, ଅବଦୁଲ କୁଦ୍ଦୁସ, ଘିଶାଲାଲ ଶର୍ମା, ପଦ୍ମଚରଣ ରାୟ, ଅଭୟ ମଲ୍ଲିକ, ନିରଞ୍ଜନ ଦାସ ଓ ରାଧା ମୋହନ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରାଯାଇଥିଲା ।
ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସନ୍ତୋଷ ସିଂ ସାଲୁଜା, ରବୀନ୍ଦ୍ର କୁମାର ମଲ୍ଲିକ, ରମାକାନ୍ତ ମିଶ୍ର, ପ୍ରକାଶ ଚନ୍ଦ୍ର ଦେବତା, ପଂଚାନନ କାନୁନ୍ଗୋ, ଭୂଜବଳ ମାଝୀ, ସୁରେଶ କୁମାର ମହାପାତ୍ର, ବନ୍ଦିତା ପରିକ୍ଷା, ମାନସ ଚୌଧୁରୀ, ସୁଚରୀତା ମହାନ୍ତି, ବେଣୁଧର ପାତ୍ର, ଲିଙ୍ଗରାଜ ଚୌଧୁରୀ, ହିମାଂଶୁ ଦାସ, ହେମନ୍ତ ଦାସ, ଜୟଦେବ ନାୟକ, ଲାଲାଟେନ୍ଦୁ ଦାସ, ମଧୁସ୍ମିତା ଆଚାର୍ଯ୍ୟ, ସରସ୍ୱତୀ ହେମ୍ବ୍ରରମ୍, ମମତା ମାଢ଼ୀ, ରାଜେନ୍ଦ୍ର ଛତ୍ରିଆ, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରତିମା ମଲ୍ଳିକ, ବିଶ୍ୱଭୂଷଣ ଦାସ, ରଜତ କୁମାର ଚୌଧୁରୀ, ବିରେନ ସେନାପତି, ଆଲୋକ ମିଶ୍ର, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ପ୍ରକାଶ ମିଶ୍ର, ପ୍ରମୋଦ କୁମାର ଜେନା, ମନୋଜ ବିଶ୍ୱାଳ, ରବୀନ୍ଦ୍ର ମହାପାତ୍ର, ଲିପନ ଦାସ, ରୁପାଦିପ୍ତା ମହାପାତ୍ର, ଦୁଲାଲ ପ୍ରଧାନ, ତରୁଣ ମିଶ୍ର ଓ ପ୍ରବୋଧ ଦାସ ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ ।