ସପ୍ତାହ ଆଗରୁ ବୁଢି ମା ପୁରୀରେ ହବିଷ୍ୟାଳି କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତ କରିଥାଏ । ପୁରୁଣା ବାକ୍ସରେ ନିଜର ଜିନିଷ ସାଇତି କରି ରଖୀବା ସହ ମାସ ଯାକ ତା ପୂଜା କରିବା ପାଇଁ ଯାହା ଆବଶ୍ୟକ ତାହାର ଏକ ଲିଷ୍ଟ କରି ସାନବାପାଙ୍କୁ ଏକ ଲମ୍ବା ତାଲିକା ଧରେଇ ଦେଇଥାଏ । ହେଲେ ସାନ ବାପା ଏହି ତାଲିକାରୁ କିଛି ଆଣିଥାଏ ଓ କିଛି ଆଣି ନଥାଏ । ବୁଢିମା,ବାପା ଅନ୍ୟ ଦାଦା ମାନଙ୍କୁ କହି ସେ ସବୁ ଜିନିଷ ମଗାଇଥାଏ । କାର୍ତିକ ମାସର ଦିନକୁ ପୂର୍ବରୁ ୨ଟା ବେଳେ ବସରେ ପୁରୀ ସିଧା ବାହାରିପଡ଼େ । କେବଳ ବୁଢି ମା କାହିକିଁ ତାହା ସହ ବୟସର ଅପରାହ୍ନରେ ପହଞ୍ଚିଥିବା ଗାଁର ଏକ ବୁଢିମା ଯାଆନ୍ତି । ଟୁନା କିନ୍ତୁ ବୁଝି ପାରେନା କାହିକିଁ ବୁଢି ମା ପୁରୀ ଯାଉଛି ଓ କଣ ଧର୍ମ କରିବ । କାର୍ତ୍ତିକ ମାସ । ଧର୍ମର ମାସ । ସବୁଠି କାର୍ତ୍ତିକ ମାସର ବାସ୍ନା ମହମହ ବାସେ । ମାସକ ଯାକ ହବିଷ୍ୟାଳିମାନେ ନିଷ୍ଠାର ଶହ ପୂଜାଅର୍ଜନା କରନ୍ତି, ଚୋଉରା ମୂଳେ ପୂଜା ବି କରନ୍ତି । ରାଧାମୋହନ ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ମାସର ଶେଷ ଦିନ ଡଙ୍ଗା ଭଷା ହୁଏ । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ନିଷ୍ଠାର ଶହ ଏହି ବ୍ରତ କରି ବିଶ୍ୱାସ ଅନୁୂସାରେ ମଣିଷ ପୂଣ୍ୟ ଅର୍ଜନ କରିଥାଏ ।
ଟୁନା ତ ମେଟ୍ରୋ ସିଟିରେ ରହୁଛି । ଆଧୁନିକତା ଛାପ ତା ଦେହ ସାରା । ଧର୍ମ, ବର୍ଷ,ମାସ , ପାପ,ପୂଣ୍ୟର କଣ ସେ ବୁଝେନା । ବୁଝେ ଅଏସ ଜୀବନ ଓ ଖୁସିରେ ରହେ । ହେଲେ ହଠାତ କିଏ ଜଣେ ଅଫିସ ଷ୍ଟାଫ କହିଲେ ଆରେ କାଲିଠାରାୁ କାର୍ତ୍ତିକ ମାସ ଆରମ୍ଭ ହେଉଛି । ଆଉ ଘରେ ଆମିଷ ଖୁଆଇ ଦେବେନି । ଛାଡ଼ ଏବେ ବାହାରେ ଖାଇବା ଓ ଆଉ ସହକର୍ମୀ ମହିଳା କର୍ମଚାରୀ କହିଲେ ଛାଡ଼ ମ କି କାର୍ତ୍ତିକ , ମାସ ସାରା କଣ ଆମିଷ ଛାଡ଼ିହେବ , ପଞ୍ଚୁକ ପାଂଚଦିନ ଆମିଷ ଛାଡ଼ିବା । ଏକଥା ଚୁପଚାପ ଶୁଣୁଥାଏ ଟୁନା । ଆଉ ତାହାର ମନେ ପଡ଼ିଯାଇଛି ପୁରୁଣା ଦିନ । କେମିତି କାର୍ତ୍ତିକ ମାସ ଆସିଲେ ଚାରିଆଡେ ମହମହ ଧାର୍ମକ ବାସ୍ନା ଆସେ । ଗାଁ ମନ୍ଦିର ଠାରୁ ଆରମ୍ଭ କରି ପୁରା ପରିବେଶ । ଟିକେ ଟିକେ ଶୀତ ସହ ଭଜନ , କିର୍ତ୍ତନ ଓ ଭୋଜନରେ ମନ ଆନନ୍ଦ ହୋଇଯାଏ । ତାଠାରୁ ବେଶୀ ଖୁସି ମାସ ଶେଷ ଦିନ ଡ଼ଙ୍ଗା ଭସାର ମଜା । ଭୋରରୁ ଉଠି ପାଖ ନଦୀ ଓ ନିଜ ପୋଖରୀରେ କଦଳୀ ବାଉଙ୍ଗାରେ ତିଆରୀ ହୋଇଥିବା ଡ଼ଙ୍ଗା ପାଣିରେ ଭଷାଇ ଆ-କା-ମା ବୋଇ ମାସକ ଧର୍ମ ତୋର , ଦିନକ ଧର୍ମ ମୋର କହିବାର ଶାନ୍ତି । ଯିଏ ପାଇଛି ସେ ଜାଣିଛି ।
ହେଲେ ଏବେ ସମୟ ବଦଳିଛି । ସମୟ ସହ ମଣିଷ ସମାଜ ବି ବଦଳିଛି । କାର୍ତ୍ତିକ ମାସ ଜମାରୁ ପାଳିନଥିବା ମହାନ୍ତି ବାବୁ କହୁଛନ୍ତି ଏଥର ଛାଡ଼ଖାଇରେ କେନ୍ଦୁଝର କି ମୟୁରଭଞ୍ଜର ଦେଶୀ ଖାସି ମାଂସ ଝୋଳ କରିବା । ଏମିତି କେତେ କଣ । ଆରେ କିଏ କିଏ ତ ଏସବୁ ମାୟା ବୋଲି କହୁଛନ୍ତି । ଟୁନା କିନ୍ତୁ କହେ ମାୟା ଭିତରେ ବି କର୍ମ ରହିଛି , ସେ କର୍ମକୁ ସମସ୍ତେ ବୁଝିପାରନ୍ତି ନାହିଁ । ଆମିଷ ଖାଇବା ନ ଖାଇବା , ପୂଜା ପାଠ କରିବା ନକରିବା ଅଲଗା କଥା । ହେଲେ ସକାଳ ପାଇଁ ଯେମିତି ରାତିର ଆବଶ୍ୟକ । ସେମିତି ଜୀବନ ପାଇଁ ଧର୍ମ ଓ ଆଧ୍ୟାତ୍ମକ ସଂସ୍କାର ଆବଶ୍ୟକ । ତେଣୁ ତ ଆମ ସଂସ୍କୃତି ଓ ପରମ୍ପରାରେ ୧୨ ମାସରେ ତେର ପର୍ବ ପାଳନ କରାଯାଏ ।
ଆମେ ବିଜ୍ଞାନ ଯୁଗର ପିଲା । ୧୨ ମାସ ନା ବି କହିପାରୁନୁ l କେବେ ବୁଝିନାହାନ୍ତି ବୟସର ଅପରାହ୍ନରେ ବୁଢି ମାଉସୀ କାହିକଁ କାର୍ତ୍ତିକ ବ୍ରତ କରେ । କାହିକିଁ ଭଗବାନଙ୍କ ଶରଣରେ ଯାଏ । କାରଣ ସେ ଲୋଭ , ମୋହ,ମାୟାରୁ ବାହାରି ଜବୀନ କଣ ବୁଝିଛି । ତେଣୁ ତ ସେ ଏବେ ଏସବୁ କରୁଛି । ଏବେ ତ ପ୍ରତ୍ୟେକ ବ୍ୟକ୍ତି ନିଜକୁ ବୁଝୁୁନାହାନ୍ତି, ସେ ଜୀବନକୁ କଣ ବୁଝିବେ । ଯେଉଁଥି ପାଇଁ ପୁରୁଣା ମହକ ଯେତେ ମହମହ ହୋଇ ବାସିଲେ ବି ତାଙ୍କୁ ସେ ବାସ୍ନା ବାସୁନାହିଁ । ହେଲେ ବେଳେ ବେଳେ ଏକୁଟିଆ ସମୟରେ କିନ୍ତୁ ସେ ଏ ମହକ ପାଇବା ପାଇଁ ବହୁତ ଚେଷ୍ଟା କରେ । ତାହାହିଁ ସତ୍ୟ ।