ଭୁବନେଶ୍ୱର : ଗ୍ରୀଷ୍ମ ଶେଷ ଆଷାଢ଼ ଶେଷରେ ରଜ ଆସେ। ଧରାରେ ବର୍ଷାର ପ୍ରଥମ ସ୍ପର୍ଶର ସୁଗନ୍ଧରେ ମାଟିରୁ ଆକାଶ ଯାଏଁ ମହକାଇ ଦିଏ। ଜମିରେ ସୁନାର ଫସଲ ଫଳାଇବାର ସ୍ୱପ୍ନରେ ବିଭୋର ହୁଏ ଚାଷୀ। ସେଥିପାଇଁ ତ ଏ ଧରାକୁ ଦେଇଥାଏ ଵିଶ୍ରାମ । ଏହି କୃଷି ଭିତ୍ତିକ ପର୍ବ ‘ରଜ’ରେ। ମା ମାଟିର ଭାବକୁ ସୁଦୃଢ କରିବା ସହ ଭାଇଚାରାକୁ ସୁଦୃଢ କରିଥାଏ ଏହି ରଜ ପର୍ବ।
ଚାଷ ପାଇଁ ରଜ ପୂର୍ବରୁ ବିଲ ସବୁକୁ ପ୍ରସ୍ତୁତ କରି ରଖାଯାଇଥାଏ। ତେଣୁ ଧରିତ୍ରୀକୁ କୌଣସି ପ୍ରକାର ଆଘାତ ଦିଆଯାଏ ନାହିଁ। ଏପରିକି ଗଛରୁ ଫୁଲ ପତ୍ର ମଧ୍ୟ ତୋଳାଯାଏ ନାହିଁ। ଓଡ଼ିଶାର ପୁରପଲ୍ଲୀରେ ବେଶ ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳନ କରାଯାଏ। ମୁଖ୍ୟତଃ କୁଆଁରି ଝିଅମାନେ ଏହି ଦିନ ସଜବାଜ ହୋଇ ରଜକୁ ପାଳନ କରିଥାନ୍ତି। ତିନିଦିନ ପାଳନ କରାଯାଇଥାଏ ରଜ ପର୍ବକୁ। ପ୍ରଥମ ଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଓ ତୃତୀୟ ଦିନ ଭୂଇଁ ଡହଣ ଭାବେ ପାଳନ କରାଯାଏ। ରଜର ପ୍ରଥମ ଦିନ କୁଆଁରୀ ଝିଅ ଓ ନୂଆବହୁମାନେ ସଜବାଜ ହୋଇଥାନ୍ତି। କାରଣ ଏହି ତିନି ଦିନ ମହିଳାମାନଙ୍କୁ କାମ କରିବା ମନା। ଧରଣୀକୁ କଷ୍ଟ ହେବ ବୋଲି ଛେଚା ,କୁଟା , ବଟା ଆଦି କାମ ବନ୍ଦ କରାଯାଇଥାଏ। ଏପରିକି ଚାଷୀମାନେ ମଧ୍ୟ ଚାଷକାମ ବନ୍ଦ ରଖିଥାଆନ୍ତି।
ପୋଡ଼ ପିଠା ପାଚିଲା ଆମ୍ବ ପନସର ସମ୍ଭାର ଓ ରଜପାନର ଆସର ଭିତରେ ରଜ ପର୍ବ ପାଳନ ହୋଇଥାଏ। ଏହାସହ ଗାଁ ଆମ୍ବ ତୋଟାରେ ଦୋଳି ଖେଳିବା ଏହି ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିଥାଏ।ନୂଆ ପୋଷାକ, ପାଦରେ ଅଳତାରେ ସଜେଇ ହୋଇ ଛୋଟରୁ ବଡ଼ ଝିଅମାନେ ବାହାରି ଥାଆନ୍ତି ଦୋଳି ଖେଳିବାକୁ। ଦୋଳି ଖେଳିବା ସମୟରେ ହାଲକା ହାଲକା ବର୍ଷା ପରିବେଶକୁ ଆହୁରି ମନୋରମ କରିଥାଏ। ଏହାସହ ରଜ ଗୀତ ପରିବେଶରେ ଭରିଦିଏ ମଧୁରତା।