ରଜର ସେ ମହକ…

- Advertisement -

() ସକାଳୁ ସକାଳୁ ମହାପାତ୍ର ବାବୁଙ୍କଧର୍ମପତ୍ନୀ କହିଲେ କଣ ସବୁ ବୋହିକି ନେଇ ଆସିଲ । ସକାଳ ହୋଇନି । ମହାପାତ୍ର ବାବୁ କହିଲେ ତୁ କଣ ଜାଣିବୁ କେଇଟା ଦିନ ପରେ ପା ରଜ । ସବୁ ଜିନିଷ ଦାମ ବଢିଯିବ । ତେଣୁ ଆଗୁଆ ନେଇଆସିଛି । ଆଉ କୁଆଡ଼େ ଯିବାକୁ ପଡ଼ିବନି । ସେସବୁ ତୁ କଣ ଜାଣିବୁ । ଏମିତି କେତେ କଥା । ଆଉ ତାପରେ ରଜ ପାଇଁ ଆମ୍ବ,ପଣସ, ପଣସ ମଞ୍ଜି, ମାଟିହାଣ୍ଡି ଗୁଡ଼, ବିରି , ଅରୁଣା ଚାଉଳ, ନଡ଼ିଆ, ସହ କେତେ କଣ ଅତ୍ୟାବଶ୍ୟକ ଜିନିଷ । ତା ସହ ୫ ଝିଅଙ୍କ ପାଇଁ ନୂଆ ଡ୍ରେସ ଓ ପ୍ଲାଷ୍ଟିକ ରଜ ଦୌଡ଼ି । କହିବାକୁ ଗଲେ ଦରମା ପଇସା ସହ କିଛି ବାକି ରଖ୍‌ô ରଜର ସପ୍ତାହ ପୂର୍ବରୁ ଏପରି ପ୍ରସ୍ତୁତିି ହୋଇଛି ମହାପାତ୍ରଙ୍କ ପରିବାରରେ । ସହରରେ ରହିଲେ ମଧ୍ୟ ଓଡ଼ିଶାର ଗଣ ପର୍ବ ରଜକୁ ଖୁସିରେ ପରିବାର ସହ ପାଳନ କରିବାକୁ ଗୋଟେ ସପ୍ତାହ ପୂର୍ବରୁ ଏପରି ପ୍ରସ୍ତୁତ ହୋଇଥାଏ ।
ରଜ ପାଇଁ ସବୁ ଜିନିଷ ମହାପାତ୍ର ବାବୁ ଆଣିବା ପରେ ଏବେ ପରିବାର ଲୋକଙ୍କ ଦାୟିତ୍ୱ ବଢିଗଲା । ରଜକୁ ଧମୁଧାମରେ ୩ଦିନ ପାଳିବା ପାଇଁ ପ୍ରଥମେ ଅରୁଆ ଚାଉଳ ଚୁନା କରିବା, ଢିଙ୍ଗିରେ କୁଟି ପ୍ରସ୍ତୁତ କରିବା, ବିରି ପାଣିରେ ଭେଦାଇବା ଯାଏ । କୋଠାଘର ଛାତରେ ଥିବା ରଡ଼ରେ ପିଲା ଖେଳିବା ପାଇଁ ଦୋଳି ଲଗାଇବା । ଏପରି କେତେ କଣ କାମ । ରଜ ପୂର୍ବଦିନ ସଜବାଜ । ସେଦିନ କହିଲେ ବେଶୀ କାମ । ଏମିତି ଅଧରାତି ପର୍ଯ୍ୟନ୍ତ କାମ ଚାଲେ । କାଠଚୂଲି ଦ୍ୱାରା ମାଟି ହାଣ୍ଡିରେ ଏଣ୍ଡୁରୀ, ଇଟିଲି, ମୁଆ ପିଠା, ପୁଣି ଗୁଡ଼ ନଡ଼ିଆ ପକା ପୋଡ଼ପିଠା ବି ତିଆରି ହୁଏ । ଏଥିପାଇଁ ମହାପାତ୍ର ବାବୁ ସ୍ତ୍ରୀ ରାତି ଅଧଯାଏ ପିଠା ପ୍ରସ୍ତୁତିରେ ଲାଗିଥାନ୍ତି । ଅନ୍ୟପଟେ ଝିଅମାନେ ସଜବାଜ ବି ହୁଅନ୍ତି । ମୁଣ୍ଡ ଧୋଇବା ସହ ପାଦରେ ଅଳତା, ହାତରେ ମେହେଦି, ନଖରରେ ନକ୍‌ପାଲିସ ଲଗାଇବାରେ ସହ ସଜବାଜ ସବୁ କାମ ସାରିଦିଅନ୍ତି । ଘରର ବଡ ମା କି ବୁଢି ବୋଉ ବସୁମାତା ଗାଧେଇବା ପାଇଁ ଶୀଳ, ଶୀଳୁପୁଆ ଓ ପୂଜାସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏମିତି କେତେ କଣ ପୂର୍ବ ପ୍ରସ୍ତୁତି ହୁଏ ଓଡ଼ିଶାର ଗଣପର୍ବ ରଜକୁ ପାଳିବା ପାଇଁ ଘରେ ଘରେ । ଯେମିତି ରଜ ଆସିବା ସହ ଏସବୁ ସାଙ୍ଗରେ ନେଇକି ଆସେ ଟିକେ ତିନିଦିନ ମହକିବା ପାଇଁ ।
ରଜରେ ପୋଡ଼ପିଠା, ପଣସ , ନଡ଼ିଆ ପଡ଼ିଥିବା ତରକାରୀ, ମଟର ତଳକାରୀ, ତାସହ ଆମ୍ବ ଦୁଇଫାଳ, ପାଚିଲା ପଣସ, ମିଠା ଗୋଟେ ଖାଦ୍ୟ ଥାଳିରେ ରହିବା ଯେମିତି ଏକ ବିଧି ହୋଇଥାଏ । ଆପଣ ଯାହା ଘରକୁ ଯାଆନ୍ତୁ ନିଶ୍ଚିତ ଏତକ ଥିବ । ଖାଇ ସାରିବା ପରେ ଖୁସିରେ ପାନ ଖଣ୍ଡେ ବି ଆପେଆପେ ମିଳିଯାଏ ପ୍ରାୟ । ୩ଦିନ ଧରି ସବୁ କାମ ବନ୍ଦ କରି ଲୋକମାନେ ମଉଜରେ ମାତନ୍ତି । ପୁରୁଷ , ମହିଳା, କୁନିକୁନି ପିଲାମାନେ ସମସ୍ତେ । ମୋଟାମୋଟି କହିଲେ ହସ ଖୁସିରେ କର୍ଟିଯାଏ ୩ଦିନ । ସବୁଠାରୁ ବଡ଼ କଥା ହେଉଛି ଏ ପର୍ବ ଭଲପାଇବା ଓ ଭାଇଚାରାର ବଡ଼ ପ୍ରତୀକ । ରଜରେ ପରସ୍ପର ଘରକୁ ପିଠା, ତରକାରୀ ଦେବା ଓ ଆପଣାର କି ପର ସଭିଁଙ୍କୁ ନିଜର କରି ସଜେଇ ଦେବାର ପର୍ବ ବି ରଜ ।
ଅଧିକାଂଶ ସମୟ ରଜ ପ୍ରଥମ ଦିନ ସୋମବାର ପଡ଼େ । ତେଣୁ ପ୍ରଥମ ଦିନ ଆମିଷ ଖାଇବା ସମ୍ଭବ ନୁହେଁ । ତେଣୁ ମଝି ରଜ ଓ ଶେଷ ରଜରେ ଦେଶୀ ମଟନ ଝୋଳରେ ପିଠା ଲଗେଇକି ଖାଇବାର ମଜା ଟିକେ ନିଆରା ।
ରଜରେ ବିଭିନ୍ନ ବର୍ଗର ଲୋକ ଭିନ୍ନଭିନ୍ନ ଉପାୟରେ ରଜ ମୋଉଜ କରନ୍ତି । ଝିଅମାନେ ନୂଆ ଡ଼୍ରେସ ସହ ଦୋଳି,ପୁଞ୍ଜି ଲୁଡ଼ୁ ଖେଳିବା ସହ ପିଠା ଖାଇ ବୁଲିବାକୁ ଭଲପାଆନ୍ତି । ପୁଅମାନେ କବାଡ଼ି, ତାସ ସହ ସିନେମା ହଲରେ ପଡ଼ିଥିବା ନୂଆ ସିନେମା ବ୍ଲାକରେ ଟିକେଟ କାଟି ଦେଖିବାକୁ ପସନ୍ଦ କରନ୍ତି । ଆଉ କିଏ କିଏ ଦୂର ଜାଗାକୁ ବୁଲିବାକୁ ଭଲ ପାଆନ୍ତି ତ କିଏ ଦେଶ ଓ ବିଦେଶରୁ ଫେରିଥିବା ବନ୍ଧୁଙ୍କ ସହ ଗପସପରେ ମାତିଥାନ୍ତି । ଘରର ସ୍ତ୍ରୀ ଲୋକମାନେ ଗପସପ , ବନ୍ଧୁବାନ୍ଧବ, ପଡ଼ୋଶୀଙ୍କକୁ ପିଠା ଦେଇ ନିଜର ଅନୁଭୂତି ବାଣ୍ଟନ୍ତି । ସେହିପରି ବୟସ୍କମାନେ ଗାଁ ଦାଣ୍ଡରେ କିମ୍ବା ଘର ପିଣ୍ଡାରେ ବସି ନାତି , ନାତୁଣୀଙ୍କୁ ଦୋଳି ଖେଳକୁ ପ୍ରାୟ ଜଗିଥାନ୍ତି । ପୁରା ୩ଦିନ ମଉଜରେ କଟିଥାଏ ସମସ୍ତଙ୍କର ।
ହେଲେ ଯୁଗ ବଦଳିବା ସହ ସବୁକିଛି ବଦଳିଯାଇଛି । ରଜର ମହକ ବି ବଦଳିଯାଇଛି । ଆଉ ରଜ ପୂର୍ବରୁ ସେତେଟା ପ୍ରସ୍ତୁତ ଦେଖିବାକୁ ମିଳୁନି ଗାଁ ଓ ସହରରେ । ପିଠା ତିଆରି କରିବା ପାଇଁ ସପ୍ତାହ ଆଗରୁ ପ୍ରସ୍ତୁତ ନୁହେଁ, ବରଂ ବଜାରରୁ ଆଣି ଖିଆଯାଉଛି । ରଜରେ ସହରରେ ରହୁଥିବା ପୁଅ, ଝିଅମାନେ ଗାଁକୁ ଯିବାକୁ ବ୍ୟାକୁଳ ନହୋଇ ସହରରେ ରଜ କାଟିବାକୁ ଆଗଭର ହେଉଛନ୍ତି । ରଜରେ ମଖି ନାନି ହାତରୁ କି ମାମୁଁ ଘରୁ ସେହ୍ନ ଓ ଭଲପାଇବା ଥିବା ଦେଶୀ ପାନ ଖାଇବାକୁ ନୁହେଁଁ , ବରଂ ସହରରେ ବିଭିନ୍ନ ରାସାୟନିକ ଦ୍ରବ୍ୟ ପଡ଼ିଥିବା ବହୁତ ପଇସା ଦେଇ ପାନ ଖାଇବାକୁ ଇଚ୍ଛା କରୁଛନ୍ତିି ସବୁ ବର୍ଗର ଲୋକମାନେ । ପୁଅମାନେ ବି ଗାଁରେ କବାଡ଼ି, କି ତାସ ଖେଳି ସାଙ୍ଗ ସାଥିରେ ଗପିବାକୁ ନୁହେଁ, ବରଂ ସହରରେ ଦିନରାତି ଚିକେନ କଷା ସହ ମଦପିଇ ରୁମରେ ମାତାଲ ହୋଇ ଶୋଇବାକୁ ପସନ୍ଦ କରୁଛନ୍ତି । ମହିଳାମାନେ ତ ଝିଅ, ପୁଅକୁ ସଜେଇଦେବା ବଦଳରେ ନିଜେ କିପରି ସଜେଇ ହୋଇ ଫେସବୁକ ଓ ସୋସିଆଲ ମିଡ଼ିଆରେ ଫଟୋ ଛାଡ଼ିବେ ସେଥିରେ ମାତିଛନ୍ତି । କେବଳ ସହରରେ ନୁହେଁ, ଗାଁରେ ବି ସମାନ ପରିସ୍ଥିତି । ଗାଁ ଆମ୍ବଗଛ ମୂଳେ ଆଉ ଗାଁର ଝିଅମାନେ ମିଶି ଦୋଳି ଖେଳୁ ନାହାନ୍ତି କି ବୋଉ ଆଉ ମାଣ୍ଡିହାଣ୍ଡିରେ ସୁଆଦିଆ ପୋଡ଼ପିଠା କରୁନାହିଁ । ସେ ସ୍ଥାନ ଏବେ ନେଇଛି ପ୍ରେସର କୁକୁରର ସିଝା ପିଠା । ଲେଖିଲେ ଏମିତି କେତେ କଣ ପରିବର୍ତ୍ତନ ଲେଖିହେବ ତାହା ପ୍ରତ୍ୟେକ ମଣିଷ ନିଜେ ଏବେ ଅନୁଭବ କରିପାରୁଥିବେ ।
ଗାଁ ଝିଅଙ୍କ କଣ୍ଠରେ ବନସ୍ତେ ଡ଼ାକୁଛି ଗଜ, ବରଷକ ଥରେ ଆସିଛି ରଜ ଲୋ.. ଗୀତ ଆଉ ଶୁଭୁନାହିଁ । ରଜ ଦିନ ତ ମୋବାଇଲରେ ଅନେକ ଏହି ଗୀତକୁ ଏବେ ବି ଷ୍ଟାଟସରେ ରଖୁଛନ୍ତି । ସମୟ ସହ ପରିବର୍ତ୍ତନ ହୋଇଯାଇଛି ମଣିଷ ଓ ସମାଜ । ହେଲେ ପ୍ରକୃତି କିନ୍ତୁ ଯେମିତି ଥିଲା ସେମିତି ରହିଛି । ରଜରେ କୋହଲା ପାଗ ସହ ମଝିରେ ମଝିରେ ବର୍ଷା ହୁଏ । ପୁଣି ମାଟିର ମହକ ବି ଥାଏ । ପ୍ରକୃତି ମାତା ବି ପୁରା ସଜେଇ ହୋଇଥାଏ ।
ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ହୋଇଥ୍‌ôଲେ ମଧ୍ୟ ରଜ ପର୍ବର ରହିଛି ସ୍ୱତନ୍ତ୍ରତା । ତିନିଦିନ ଧରି ମନଭରି ପାଳନ କରନ୍ତି ସଭିଁଏ । ପ୍ରକୃତି ଯେମତି ନ ବଦଳି ଆମକୁ ବଂଚିବାରେ ପ୍ରେରଣା ଦେଉଛି , ଚାଲଆମେମାନେ ମଧ୍ୟ ନବଦଳି ଯିଏ ଯେଉଁଠି ଅଛନ୍ତି ରଜର ସେହି ମହକକୁ ଉପଭୋକ କରିବା ନିଜ ନିଜ ଢଙ୍ଗରେ ।
ଆଉ ଠିକ ଏମିତି ବେଳେ ମହାପାତ୍ର ବାବୁ ନିଜ ସ୍ତ୍ରୀକୁ କହୁଛନ୍ତି ହେଇଟି ଆଜି ପା ପହିଲି ରଜ । ମହାନ୍ତି ବାବୁଙ୍କ ଘରେ କେତେବେଳେ ପିଠା ଦେବ କି ? ..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles