ଭୁବନେଶ୍ୱର : ଭଲ ପାଇବାର ପର୍ବ ରଜ।ମେଘୁଆ ପାଗ ସବୁଠି ଖୁସିର ମାହୋଲ। ପିଠା ପଣା ସାଙ୍ଗକୁ ତାସ ଖେଳ, କବାଡି ଖେଳ, ଲୁଡୁ ଖେଳ ଓ ବୁଲାବୁଲି କରିବାର ପର୍ବ ହେଉଛି ପର୍ବ ହେଉଛି ରଜ। ଓଡ଼ିଆ ସଂକୃତି ଓ ପରମ୍ପରାର ଅନନ୍ୟ ପର୍ବ ଏହି ରଜ। ପ୍ରତିବର୍ଷ ଜୁନ ମାସ ଦ୍ୱିତୀୟ ସପ୍ତାହରେ ଏହି ପର୍ବ ପାଳନ କରାଯାଏ। ରଜ ପାଇଁ ଗାଁଠାରୁ ସହର ସବୁଠି ଉତ୍ସବ ମୁଖର। ରଜରେ ଯାହା ହେଉକି ନ ହେଉ ନୂଆ ଡ୍ରେସ ସାଙ୍ଗକୁ ଦୋଳି ଖେଳିବା ଓ ପିଠା ଖାଇବାର ଅନୁଭୂତି ସବୁ ଓଡ଼ିଆଙ୍କର ନିଶ୍ଚିତ ଥିବ। ବୋଧେ ଅନେକଙ୍କ ଭିତରେ କଟକଣା ଭିତରେ ରଜ ପାଳିବା ପ୍ରଥମ । ବର୍ଷ ବର୍ଷ ଧରି ରଜରେ ଯାହା ଦେଖିବାକୁ ମିଳି ନ ଥିଲା ଏଥର ତାହା ଦେଖାଗଲା। ଲକ୍ ଡାଉନ ରଜକୁ ଚାରି କାନ୍ଥ ଭିତରେ ଲକ୍ କରିଦେଲା। ଅଦୃଶ୍ୟ ଭୁତାଣୁ ଭୟରେ ବି ରଜ ପାଳନ କରିଛନ୍ତି ରାଜ୍ୟବାସୀ ।
ତେବେ ପୁରୁଣା ଦିନର ରଜ ମୋ ପାଇଁ ଏମିତି ଥିଲା। ଏକ ଉନ୍ନତ ଗାଁ ଯାଜପୁର ଟାଉନରେ ମୋର ଗାଁ। ସେତେବେଳେ ଏକ ନମ୍ବର ୱାର୍ଡ ପରିସୀମା ଭିତରେ ଥିବା ଆମ କୋଟବସନ୍ତ ପୁର ଏବେ ୧୧ ନମ୍ବର ୱାର୍ଡ ପାଲଟିଯାଇଛି। ଜୀବିକା ପାଇଁ ମୁଁ ଏବେ ରାଜଧାନୀରେ ଜୀବନ ବିତାଉଛି। ହେଲେ ସବୁ ପର୍ବ ଅପେକ୍ଷା ରଜ ପର୍ବ ଆସିଲେ ଘର କଥା ଭାରି ମନେପଡେ।ମନେପଡିବା ବି ସ୍ୱାଭାବିକ । ଆଜି ରଜ ପର୍ବ। ହେଲେ ରଜକୁ ନେଇ ମୋ ମନରେ ଯେମିତି ଉତ୍ସାହ ଥିଲା ଏବେ ଆଉ କାଇଁ ସେମିତି ନାହିଁ। ରଜ ଆସିବାର ସପ୍ତାହେ ପୂର୍ବରୁ ବାପା ଭଉଣୀମାନଙ୍କର ପାଇଁ ନୂଆ ପୋଷାକ ଆଣନ୍ତି। ସେ ସମୟରେ ମୁଁ ଅଳି କରେ। ମୋର ନୂଆ ଡ୍ରେସ କାଇଁ ବୋଲି। ହେଲେ ବାପା ସେହି ସମୟରେ ବୁଝାଇ ଦିଆନ୍ତି ରଜ ଝିଅମାନଙ୍କର ପର୍ବ।ହେଲେ ମୁଁ ବୁଝେନା । ଅବୁଝା ହୁଏ। ଶେଷରେ ବାପା ମୋ ପାଇଁ ଓ ବଡ଼ ଭାଇ ପାଇଁ ନୂଆ ଡ୍ରେସ ଆଣନ୍ତି। ବାପାଙ୍କ ପାଖରେ ଏତେ ପଇସା ବି ନଥାଏ। ତେଣୁ ସେ ଦୋକାନରେ ବାକି କରି ଆମ ପାଇଁ ନୂଆ ପୋଷାକ ଆଣିଥାନ୍ତି। କେବଳ ଆମକୁ ଖୁସି କରିବା ପାଇଁ । ଏହି ରଜ ତିନିଦିନ କେମିତି ହସ ଖୁସିରେ କଟିବ ବାପା ତାକୁ ଦୃଷ୍ଟି ଦେଇଥାନ୍ତି। ରଜ ପୂର୍ବ ଦିନ ମୋ “ମା”ଙ୍କର ପରିଶ୍ରମ ମୁଁ ଦେଖିଛି। ବିରି ଚୋପା ଧୋଇବା ଠାରୁ ଆରମ୍ଭ କରି ଶୀଳରେ ବିରି ବାଟିବା ଢେଙ୍କିରେ ଚୁନା କୁଟିବା । ଏହାସହ ଶେଷରେ ଆମେ ରାତି ଖାଇ ସାରିବା ପରେ ଢେଙ୍କିଶାଳ ଘରେ ପୋଡପିଠା ସହ ଅନ୍ୟ ପିଠା କରିବାର ପରିଶ୍ରମ । ଆମେ ନୂଆ ଡ୍ରେସ ପିନ୍ଧୁ ,ଦୋଳି ଖେଳୁ , ପିଠା ଖାଉ , ବୁଲା ବୁଲି କରୁ। ହେଲେ ଆମ ଖୁସି ପାଇଁ ମା- ବାପା ଅନେକ ପରିଶ୍ରମ କରିଥାନ୍ତି। ଆମକୁ ଖୁସି ଦେବା ପାଇଁ ତାଙ୍କ ଏହି ପ୍ରୟାସ ଆଜି ବି ମୋର ମନେପଡେ। ଆଜି ମୁଁ ସେମାନଙ୍କଠାରୁ ଦୂରରେ, ସେମାନେ ଯାଜପୁର ଆଉ ମୁଁ ଭୁବନେଶ୍ୱରରେ । ପିଲା ବେଳେ ଆଁମ ଖୁସି ମା ବାପାଙ୍କ ପରିଶ୍ରମ ବହୁତ ମନେ ପଡୁଛି। ରଜ ଦିନର ଗୁଡ଼ ତିଆରି ପୋଡ଼ ପିଠା , ପଣସ ମଞ୍ଜି ତରକାରି, ମଟର ତରକାରୀ ଏହାସହ କଦଳୀ ଆମ୍ବ ପଣସ ସହ ମିଠା ଖାଇବାର ମଜା ଟିକେ ଅଲଗା । ତା ସହ ମିଠା ପାନ ଟିକେ ଖାଇଦେଲେ କେତେ କଣ। ମୋଟା ମୋଟି କହିଲେ ରଜ ହେଉଛି ଏକ ସ୍ନେହ ପ୍ରେମ ଓ ଭଲ ପାଇବାର ପର୍ବ । ଯେଉଁଥି ପାଇଁ ମା ସାରା ରାତି ପରିଶ୍ରମ କରି କରିନ୍ତି l ପରଦିନ ମାମୁ ଘରେ, ପିଉସୀ ଘରେ, ପଡୋଶି ଘରେ ,ଦାଦା ଘରେ ବାଣ୍ଟିବାକୁ ବେଶ ଭଲ ଲାଗେ। ଅବଶ୍ୟ ମୁଁ କି ଭାଇ ଯିବାକୁ ରାଜି ହେଉନା, ବାପା ସବୁ ବାଣ୍ଟନ୍ତି l ଆଜି ରାଜଧାନୀରେ ସେ ରଜର ଅନୁଭୂତି ମୋ ପାଖରେ ନାହିଁ। ପାଖରେ ଥିବା ପଡୋଶି ମୋତେ ଯେତେବେଳେ ପିଠା ଖାଇବାକୁ ଦେଲେ ସେତେବେଳେ ମୋ ପରିବାର, ମୋ ଗାଁ ସବୁ କିଛି ମନେ ପଡେ।