() ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା। ଜ୍ୟେଷ୍ଠ ମାସର ଅମାବାସ୍ୟା କୁ ସାବିତ୍ରୀ ଅମାବାସ୍ୟା ରୂପରେ ପ୍ରତ୍ୟେକ ସାଧବ ନାରୀ ମାନେ ପାଳନ କରନ୍ତି। ଏହି ବ୍ରତ ପାଳନ କରିବା ଦ୍ୱାରା ପ୍ରତ୍ୟେକ ସାଧବ ନାରୀ ତା ସ୍ବାମୀ ର ଦୀର୍ଘ ଆୟୁଷ କାମନା କରିବା ସହ ନିଜର ଶଙ୍ଖା ଓ ସିନ୍ଦୂର ର ସୁରକ୍ଷା ପାଇଁ ଏହି ପୂଜା କରିଥାଏ। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମଦ୍ରଦେଶ ରାଜା ଅଶ୍ୱପତିଙ୍କ ଏକ ମାତ୍ର କନ୍ୟା ସାବିତ୍ରୀ। ରାଜା ଅଶ୍ୱପତି ଦେବୀ ସାବିତ୍ରୀ ଙ୍କୁ ପୂଜାଆରାଧନା କରି ତାଙ୍କ ପ୍ରସାଦ ରୁ ହିଁ ସେ ଏହି କନ୍ୟା ସନ୍ତାନ କୁ ପାଇଥିଲେ। ସେଥିପାଇଁ ତାଙ୍କ ନାମ ସେ ସାବିତ୍ରୀ ରଖିଥିଲେ। ସାବିତ୍ରୀ ଯେତେବେଳେ ଯୌବନ ଅବସ୍ଥା ରେ ପଦାର୍ପଣ କଲେ ସେତେବେଳେ ତଙ୍କ ପିତା ଅଶ୍ଵପତି ତାଙ୍କ ପାଇଁ ଉପଯୁକ୍ତ ପାତ୍ରର ସନ୍ଧାନରେ ଲାଗିଲେ। କିନ୍ତୁ ସେ ସାବିତ୍ରୀଙ୍କ ପାଇଁ ଉପଯୁକ୍ତ ପାତ୍ରର ଖୋଜିବାରେ ଅସଫଳ ହେଲେ। ତେଣୁ ପିତାଙ୍କ ଅନୁମତି ନେଇ ସାବିତ୍ରୀ ନିଜେ ପତି ଅନ୍ୱେଷଣ ରେ ବାହାରିଲେ। ବହୁତ ଅନୁସନ୍ଧାନ କରିବା ପରେ ସାବିତ୍ରୀ ଶାଲ୍ୱ ଦେଶର ରାଜା ଦ୍ଵିମତସେନ ଙ୍କ ପୁତ୍ର ସତ୍ୟବାନ ଙ୍କୁ ଜଙ୍ଗଲରେ ଭେଟିଲେ। ସତ୍ୟବାନଙ୍କ ଗୁଣ ଓ ରୂପ ରେ ଆକର୍ଷିତ ହୋଇ ତାଙ୍କୁ ପତି ରୂପରେ ବରଣ କଲେ। ଜଙ୍ଗଲରୁ ଫେରି ସାବିତ୍ରୀ ପିତା ଅଶ୍ୱପତିଙ୍କୁ ସବୁ କଥା କହୁଥିଲେ। ସାବିତ୍ରୀଙ୍କ କଥା ଶୁଣି ପିତା ଅଶ୍ୱପତି ସତ୍ୟବାନଙ୍କ ସହିତ ବିବାହ କରିବାକୁ ପ୍ରସ୍ତୁତି ଆରମ୍ଭ କଲେ। କିନ୍ତୁ ଦେବର୍ଷି ନାରଦ ମୁନି ଆସି ତାଙ୍କୁ ଜଣାଇଲେ ଯେ ସତ୍ୟବାନ ଙ୍କ ଆୟୁଦ୍ଧ ମାତ୍ର ଗୋଟିଏ ବର୍ଷ ତେଣୁ ତାଙ୍କ ସହ ବିବାହ କରନ୍ତୁ ନାହିଁ। ଏହା ଶୁଣି ସାବିତ୍ରୀ କହିଲେ, ମୁଁ ସତ୍ୟବାନଙ୍କୁ ମୋର ପତି ରୂପେ ବରଣ କରିସାରିଛି ତେଣୁ ତାଙ୍କ ବିନା ମୁଁ ଆଉ କାହାକୁ ବି ବିବାହ କରିବି ନାହିଁ। କିଛି ଦିନ ପରେ ସାବିତ୍ରୀ ଙ୍କ କଥା ଅନୁସାରେ ଠିକ୍ ତାହା ହିଁ ହେଲା। ସାବିତ୍ରୀ ସବୁକିଛି ତ୍ୟାଗ କରି ସତ୍ୟବାନଙ୍କ ସହିତ ଜଙ୍ଗଲରେ ବସବାସ କରିବାକୁ ଲାଗିଲେ। ସ୍ବାମୀ, ଶାଶୁ ଓ ଶ୍ୱଶୁର ଙ୍କ ସେବା କରି ଦିନ ବିତାଇବାରେ ଲାଗିଲେ। ଚାହୁଁ ଚାହୁଁ ଗୋଟିଏ ବର୍ଷ ବିତିବା କୁ ଲାଗିଲା। ବର୍ଷ ପୂରିବା ପାଇଁ ଆଉ ମାତ୍ର ତିନି ଦିନ ବାକି ଥାଏ, ସାବିତ୍ରୀ “ତ୍ରିରାତ୍ର ବ୍ରତ”ଆରମ୍ଭ କଲେ। ଯେଉଁ ଦିନ ଗୋଟିଏ ବର୍ଷ ପୂରିଲା ସେହି ଦିନ ସାବିତ୍ରୀ ଓ ତାଙ୍କ ସ୍ଵାମୀ ସତ୍ୟବାନ ଜଙ୍ଗଲ କୁ ଫଳମୂଳ ଓ ସମଧୀ ପାଇଁ ଯାଇଥିଲେ, ହେଲେ ହଠାଥ୍ ସ୍ବାମୀଙ୍କ ମୁଣ୍ଡ ରେ ଅସହ୍ୟ ଯନ୍ତ୍ରଣା ହେବ କାରଣ ରୁ ସତ୍ୟବାନ ଅଚେତ୍ ହୋଇଗଲେ। ଏହା ଦେଖି ସାବିତ୍ରୀ ଜାଣିପାରିଲେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ସମୟ ପାଖେଇ ଆସିଲା। ସାବିତ୍ରୀଙ୍କ କୋଲରେ ମୁଣ୍ଡ ରଖି ସତ୍ୟବାନ ଅଚେତ୍ ହୋଇ ପଡିଗଲେ। ସ୍ଵାମୀଙ୍କ ଶରୀରରୁ ପ୍ରାଣ ନେବା ପାଇଁ ଯମଦୂତ ମାନେ ଆସି ପହଞ୍ଚିଗଲେ ହେଲେ କିନ୍ତୁ ସାବିତ୍ରୀଙ୍କ ତେଜକୁ ଦେଖି ଯମଦୂତ ମାନେ ସତ୍ୟବାନଙ୍କୁ ନେବାରେ ବିଫଳ ହେଲେ। ଶେଷରେ ଯମରାଜ ନିଜେ ଆସିଥିଲେ। ତାଙ୍କୁ ଦେଖି ସାବିତ୍ରୀ ଭୟଭୀତ ନହୋଇ ତାଙ୍କର ସ୍ତୁତି କରିବାକୁ ଲାଗିଲେ। ଯେତେବେଳେ ଯମରାଜ କାଲଫାଶ ରେ ସତ୍ୟବାନଙ୍କ ଶରୀର କୁ ବାନ୍ଧି ନେଇ ଯିବାକୁ ବାହାରିଲେ ସେତେବେଳେ ସାବିତ୍ରୀ ତାଙ୍କ ପଛେ ପଛେ ଯାଇଥିଲେ। ସାବିତ୍ରୀଙ୍କ ସତୀତ୍ୱ, ନିଷ୍ଟା ଓ ସ୍ତୁତି ରେ ପ୍ରସନ୍ନ ହୋଇ ଯମରାଜା ତାଙ୍କୁ ଗୋଟେ ପରେ ଗୋଟେ ବର ପ୍ରଦାନ କଲେ ଓ ଶେଷ ବର ରେ ଯମରାଜା ସତ୍ୟବାନ ଙ୍କୁ ପ୍ରାଣଦାନ ଦେବାକୁ ବାଧ୍ୟ ହୋଇଥିଲେ। ମୃତ୍ୟୁ ମୁଖରେ ଥିବା ମଣିଷ ଯେ ନିଜ ନିଷ୍ଠା ବଳରେ ମୃତ୍ୟୁକୁ ଜିତିପାରେ ତାହା ସାବିତ୍ରୀ ପ୍ରମାଣ କରି ଦେଖାଇଛନ୍ତି। ତେଣୁ ପ୍ରତ୍ୟେକ ସଧବା ନାରୀମାନେ ତାଙ୍କ ସ୍ଵାମୀ କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏହି ବ୍ରତ କୁ ପାଳନ କରିଥାନ୍ତି।