() ନିଜ ଲୋକଙ୍କ ପାଇଁ ହସଖୁସି ବୟସରେ ଲୁହ ଝରେ ଆଖିରୁ । ସେଦିନ ରାତିରେ ଚୁଲବୁଲି, ସରଳି, ହସ,ଖୁସି, ମିଜାଜ ସରିତା ଆଖିରୁ ଝରିଥିଲା ଏମିତି ଲୁହ । ସୁନ୍ଦରୀ ସରିତାର ପାଖେ କିଛି ଅଭାବ ନାହିଁ । ସେ ପାଠ ପଢିଛି, ଅନେକ ଗୁଣରୁ ଅଧିକାରୀ , ଚାକରି ବି କରିଛି , ସମ୍ଭ୍ରାନ୍ତ ପରିବାର ଝିଅ ହୋଇନଥିଲେ ମଧ୍ୟ ତାହାର କିଛି ଅଭାବ ନାହିଁ । ସବୁ ଥାଇ ବି ଯେମିତି କିଛି ନଥିଲା ପରି ବେଳେ ବେଳେ ସେ ଭାବେ । ବହୁ ବନ୍ଧନରେ ଯୋଡ଼ି ହୋଇଥିବା ସରିତା ନିଜକୁ ଏକୁଟିଆ ଭାବେ ।
ବେଳେବେଳେ ଗହଳି ଓ ଜନ ସମୁଦ୍ର ଭିତରେ ଥିଲେ ମଧ୍ୟ ମଣିଷ ନିଜକୁ ଏକୁଟିଆ ମନେ କରେ । କିନ୍ତୁ ଏକାନ୍ତ ସମୟର ସାଥି ହୋଇଥାଏ କେହି ଜଣେ ମନର ମଣିଷ । ଯିଏ ଜୀବନର ଅଙ୍କାବଙ୍କା ପଥରେ ଚାଲୁଚାଲୁ ହଠାତ ମିଳିଯାଏ । ନା ତାକୁ ଖୋଜାଯାଏ ନା ତା ସହିତ କୃତିମ ସମ୍ପର୍କ ରଖାଯାଇଥାଏ । ଆରେ କଥାରେ ଅଛି ପରା ସର୍ମ୍ପକ ସ୍ୱର୍ଗରୁ ହୋଇଥାଏ । ଆଉ ଆଜିର ଦୁନିଆ ଅଯଥାରେ ସମ୍ପର୍କକୁ ବୋଝ ପରି ଲଦି ଦେବାକୁ ସରିତା ହୁଏତ ଗ୍ରହଣ କରିପାରୁନାହିଁ । ଯେଉଁଥି ପାଇଁ ସବୁ ଥାଇ ବି ସେ ଆଜି ଏକୁଟିଆ । କାହାକୁ କହିବ ଏକଥା, କିଏ ବା ଶୁଣିବ । କେବଳ ମନର କଥାକୁ ଡ଼ାଏରୀରେ ଲେଖିବା ଛଡ଼ା ଆଉ କିଛି ଉପାୟ ନାହିଁ ତା ପାଖରେ ।
ଝିଅ ଘର ଥିଲେ ହସଖୁସି ପରିଉଠେ । ସେ ଲକ୍ଷ୍ମୀ । କହନ୍ତି ପ୍ରଥମେ ଯଦି ଝିଅଟିଏ ହୁଏ ତେବେ ଘରକୁ ଲକ୍ଷ୍ମୀ ଆସିବା ସହ ବାପା-ମାଆଙ୍କ ଆୟୁଷ ବଢେ । ହେଲେ ବୟସ ବଢିବା ସହ ଝିଅ ଯେମିତି ଘରର ବୋଝ ହୋଇଯାଏ । ଏପରି ଚିନ୍ତାଧାରାରୁ ଆଜି ବି ଆମ ସମାଜ ମୁକୁଳି ପାରିନାହିଁ । ଯେଉଁଥି ପାଇଁ ବାପା-ମାଆମାନେ ଝିଅ ବେଶୀ ଦିନ ଘରେ ନରହି କିପରି ଜଲଦି ବାହା ହେବ ସେ ଚିନ୍ତାରେ ଥାଆନ୍ତି । ଖାଲି କଥାରେ କୁହାଯାଏ ଝିଅ-ପୁଅ ସମାନ । ହେଲେ ବାସ୍ତବରେ ଝିଅଟିଏ ଆଜି ବି ଅବହେଳିତ, ଶୋଷିତ । ମୁକ୍ତ ବିହଙ୍ଗ ପରି ହୁଏତ ସେ ସବୁକିଛି କରିପାରେ ନାହି । ହିଁ ଏକଥା ସତ ଯେ ସମାଜର କେତେକ ଘଟଣା ପାଇଁ ଏମିତି କିଛି ଘଟୁଛି ଆଜି । ହେଲେ ଏବେ ଚିନ୍ତା କରିବାର ସମୟ । ଝିଅକୁ ଅଧିକ ସ୍ୱାଧୀନତା ଦେଲେ କଣ ସମାଜ ଭିନ୍ନ ଦିଗରେ ଯିବ ନାଁ ଗୋଟେ ନୂଆ ସମାଜ ଗଠନ କରିବ । ସରିତା ଶ୍ରାବଣୀ ପାଖରେ ଯାହା କହୁଥିଲା ସେଥିରୁ ଗୋଟେ କଥା ଏହାହିଁ; ବୁଝାପଡ଼ୁଛି ନୂଆ ଚିନ୍ତାଧାରା, ନୂଆ ଭାବନା ଓ ଆଶା ନେଇ ସେ ଜୀବନ ବିତାଇବା ଚାହୁଛି । ଏଥିରେ ସମାଜ ଓ ପରିବାର ଲୋକଙ୍କର ମାନସିକତାର ପରିବର୍ତ୍ତନ ହେବା କଥା । ତାହାଲେ ସେଦିନ ପରି ସବୁ କଥା କହି ସାରି ସରିତା ପରି ଝିଅମାନଙ୍କୁ ଆଉ ସରି କହିବାକୁ ପଡ଼ନ୍ତାନି । …