ତୋର କଣ ବଢା ଯିବ l ମୋର ତ ରସାବଳି, ମୋର ଛେନାପୋଡ଼ ମୋର ସେଓ, ମୋ ଭାଇର ରସଗୋଲା, ବଡ ନାନୀର କ୍ଷୀର ସାଗର, ସାନ ନାନିର ଛେନା ଗଜା, ବାପାଙ୍କର ଆଳୁ ଚଟଣୀ, ପଖାଳ ଭାତ ଆଉ ବଡ ବାପାଙ୍କର ବିରିବରା ଆଳୁଦାମ l ଆଉ ଜେଜେଙ୍କର କଣ ବଢ଼ାଯାଏ ଜାଣିଛୁ ; ତାଙ୍କର ପା ଦାଣ୍ଡ ଧୂଳି ଓ ବରକୋଳି l ବାବୁନି ଆଗରେ ଶାମ୍ବ ଦଶମୀର ପୂର୍ବ ଦିନ ଆଲୋଚନାରେ ଏମିତି ଗପି ଚାଲିଲା ଟୁନା l କହିଲା ବେଳେ ପାଟିରୁ ନାଳ ଗଡି ଯାଉଥିଲା l ସେଥିପାଇଁ ତ ଆମର ୧୨ବର୍ଷରେ ୧୩ପର୍ବ ପାଳନର ପରମ୍ପରା l ସବୁ ପର୍ବରେ ବିଶେଷତ୍ଵ ରହିଛି ଓ ଆନନ୍ଦ ମଧ୍ୟ ରହିଛି l ଏ ଯେମିତି ଶାମ୍ବ ଦଶମୀ l ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ l ଭଗବାନ ଶ୍ରୀକୃଷ୍ଣଙ୍କ ପୁଅ ଶାମ୍ବ ସୂର୍ଯ୍ୟ ଆରୋଧନା କରି ରୋଗ ମୁକ୍ତ ହୋଇଥିଲେ l ଶାମ୍ୱ ଦଶମୀ ଦିନ ପିଲାମାନଙ୍କ ମଙ୍ଗଳ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା ପାଇଁ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ l ପିଲାଙ୍କ ଖୁସି ପାଇଁ କାହିଁ କେଉଁ ଯୁଗରୁ ଏହି ଖାଦ୍ୟ ବଢ଼ାବଢ଼ି ପରମ୍ପରା ରହିଛି l ଆଉ ଏହି ଦିନ ପରିବାରର ସମସ୍ତ ସଦସ୍ୟଙ୍କ ମନରେ ଥାଏ ଆନନ୍ଦ ଆଉ ଉଲ୍ଲାସ l ସତ କହିବାକୁ ଗଲେ ଯଦି ତମର ଜିଲାପି ଓ ତମ ଭାଇର ଟିକେ ରସମଲାଇ କି ରସାବଳି ହୋଇଥିବ ତମେ ନିଶ୍ଚିତ ତମ ବାପା ଓ ମାଙ୍କୁ କହିବ ମୋର ବି ରସାବଳି କି ଛେନାପୋଡ଼ ଅବା ଷ୍ଟିମ୍ ବଢ଼ା ଯାଉ l ଏଥିପାଇଁ ପୂର୍ବ ଦିନ କେତେ ଅଳି କରିଥିବ ଓ ଗାଳି ବି ଖାଇଥିବ l ହେଲେ ଏବେ କିନ୍ତୁ ପିଲାଙ୍କ ଭିତରେ ସେ ପ୍ରତିଯୋଗିତା ଆଉ ନାହିଁ l କାରଣ ଆମେ ଯୌଥ ପରିବାର ନୁହେଁ, ସମସ୍ତଙ୍କ ଠାରୁ ଦୁରରେ ରହି ଏକା ରହୁଛନ୍ତି l ତେଣୁ ଶାମ୍ବ ଦଶମୀ ପାଇଁ ଆଉ ଭାଇ ଭାଇ କି ଭଉଣୀ ମଧ୍ୟରେ କାହାର କଣ ବଢ଼ା ଯିବ ସେ କଳି ଆଉ ନାହିଁ l ପୂଜା ଥାଳିରେ ଛେନାପୋଡ଼, ରସମଲେଇ, ଛେନା ମୁଡୁକି, ଗଜା ଠାରୁ ଆରମ୍ଭ କରି ୫୦ ପ୍ରକାର ଖାଦ୍ୟ ବଢ଼ା ଯାଉଛି l ପରମ୍ପରା ବଞ୍ଚିଚି ସତ l ହେଲେ ଜେଜେ ବାପାଙ୍କ ଦାଣ୍ଡ ଧୂଳି ଓ ବରକୋଳି ଶାମ୍ବ ଦଶମୀ ସୂର୍ଯ୍ୟପୂଜାରେ ଯେଉଁ ପ୍ରେମ, ସେହ୍ନ, ବନ୍ଧନ, ଭଲ ପାଇବା ଓ ମିଠା ପଣ ଭରିଥିଲା ତାହା ଆଜି କାହିଁ? ସହରରେ ତ ଏ ପୂଜା କଣ, ଅନେକ କହିଲେଣି l ସେ ଯାହା ହେଉ ସଂପୂଣ୍ଣ ହେଉ କି ଅଧା ଅଧୀ ହେଉ ପରମ୍ପରା ବଂଚି ରହିବା ଦରକାର l ତାହାର ମାଧ୍ୟମ ନାଚଗୀତ ହୋଇପାରେ ନହେଲେ ଖାଦ୍ୟ l ଶାମ୍ବ ଦଶମୀ କହିଲେ ତ ଖାଦ୍ୟ ହିଁ ଖାଦ୍ୟ l