() ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି ନଡ଼ାଙ୍କ ଓଡ଼ିଶା ଗ୍ରସ୍ତ ଏବଂ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଲେ ଯେ, ନଡାଙ୍କ ଗସ୍ତ ଓଡ଼ିଶାବାସୀଙ୍କ ଉପରେ ପ୍ରଭାବ ପକାଇବ ନାହିଁ । ବିଜେପିର କେନ୍ଦ୍ର ନେତୃତ୍ୱ ପୂର୍ବରୁ ଓଡ଼ିଶାକୁ ଦଖଲ କରିବା ପାଇଁ ବହୁ ବାହାସ୍ପଟ ଓ ଆସ୍ଫାଳନ କରିଥିଲେ । ମାତ୍ର ତାହା କାର୍ଯ୍ୟ କ୍ଷେତ୍ରରେ ପ୍ରତିଫଳିତ ହୋଇନାହିଁ । ପୂର୍ବରୁ ୧୨୦ ସିଟ୍ ଦଖଲ କରିବା ପାଇଁ ଯେଉଁ ବାହାସ୍ପଟ ମାରିଥିଲେ ତାହା ସମ୍ଭବ ହୋଇପାରିଲା କି? ଦେଶବାସୀ ତଥା ଓଡ଼ିଶାବାସୀ ଅନୁଭବ କରିଛନ୍ତି ଯେ, ବିଜେପିର ପ୍ରତିଶ୍ରୁତି ପାଣିରଗାର । ଜେ.ପି ନଡାଙ୍କର ପାଦତଳେ ଆଉ ମାଟି ନାହିଁ । ତାଙ୍କର ନିଜ ରାଜ୍ୟ ହିମାଂଚଳ ପ୍ରଦେଶର ସରକାର ବର୍ତମାନ କଂଗ୍ରେସ ହାତରେ ଏବଂ ତାଙ୍କ ନେତୃତ୍ୱରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେ ମଧ୍ୟ ଧରାଶୟ ହୋଇଛନ୍ତି ।
ଜେ.ପି ନଡା ଏକ ରାଷ୍ଟ୍ରୀୟ ଦଳର ସଭାପତି ହୋଇ ନିଜର ପଦମର୍ଜ୍ୟଦା ଓ ଶାଳୀନତାକୁ ଭୂଲି ଯାଉଛନ୍ତି । କଂଗ୍ରେସ ଦଳ ସଂପର୍କରେ ସେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ସେଥିରୁ ତାଙ୍କର ବ୍ୟକ୍ତିତ୍ୱର ଅବକ୍ଷୟ ହୋଇଛି । ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜେଡ଼ି ଭାଗୁଆଳ ଭାବେ ୯ ବର୍ଷ ଶାସନ କରିଥିଲେ । ଏବେ ମଧ୍ୟ ସବୁ ନୀତି ନିଷ୍ପତିରେ ୨ ଟି ଦଳ ଏକ । ସାଧାରଣ ଜନତାଙ୍କୁ ଭୂଆଁ ବୁଲାଇବା ପାଇଁ ଭେଳିକି କରାଯାଉଛି । ଗତ ୯ ବର୍ଷର ଶାସନରେ ବିଜେପି ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହାକୁ ପୁରଣ କରିବାର ଅକ୍ଷମ ହୋଇଛି । ଏପର୍ଯ୍ୟନ୍ତ ବର୍ଷକୁ ୨ କୋଟି ନିଯୁକ୍ତି ଦେଇପାରିଲେ ନାହିଁ । କେନ୍ଦ୍ର ସରକାରଙ୍କ ମଞ୍ଜୁରୀପ୍ରାପ୍ତ ସରକାରୀ ପଦରେ ଏବେ ବି ୧୦ ଲକ୍ଷ ପଦବୀ ଖାଲି ପଡ଼ିଛି । ବିଶେଷ କରି କରୋନା ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କର ବିଫଳତା ସାଧାରଣ ଜନତା ଉପଲବ୍ଧି କରିଛନ୍ତି । ମୋଦୀଙ୍କ ଶାସନରେ ୱାର୍ଲଡ଼ ହଙ୍ଗର ଇଣ୍ଡେକ୍ସରେ ଭାରତ ପୃଥିବୀରେ ଏକ ଭୋକିଲା ରାଷ୍ଟ୍ରର ଅପବାଦ ମୁଣ୍ଡାଇଛି । ସାଧାରଣ ଜନତା ମହଙ୍ଗାମାଡ଼ରେ ଆଜି ହନ୍ତସନ୍ତ । ଲୋଙ୍କ ଜମାଖାତାରେ ୧୫ ଲକ୍ଷ ଟଙ୍କା ଜମା କରିବେ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ପେଟ୍ରୋଲ୍, ଡିଜେଲ, ରନ୍ଧନଗ୍ୟାସ ଏପରିିକି ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ତେଲ ଓ ଅଟା ପ୍ରଭୂତିର ଦର ଆଜି ଆକାଶ ଛୁଆଁ । ସ୍ୱାଧୀନତା ପରେ କଂଗ୍ରେସ ଦେଶ ପାଇଁ ଯେଉଁ ସଂପତି ସୃଷ୍ଟି କରିଥିଲା, ବର୍ତମାନ ପ୍ରଧାନମନ୍ତ୍ରୀ ସେହି ସମ୍ପତି ସବୁ ଆଜି ତାଙ୍କର ଅନୁଗତ ଶିଳ୍ପପତିମାନଙ୍କୁ ଶାଗ, ମାଛ ଦରରେ ଦେଉଛନ୍ତି । ରେଳବାଇ, ଏଲ.ଆଇ.ସି. , ବନ୍ଦର, ବ୍ୟାଙ୍କ ଓ ଖଣି ପ୍ରଭୂତି ରାଷ୍ଟ୍ରର ସମ୍ପତି ଆଜି ଘରୋଇକରଣ ହେବାକୁ ଯାଉଛି । ଭାରତର ଏକତାର ଆତ୍ମାକୁ ଧର୍ମ, ଜାତି, ବର୍ଣ୍ଣ ଓ ଭାଷା ଆଧାରରେ ବିଜେପି ଖଣ୍ଡ ଖଣ୍ଡ କରିବାର ଷଡ଼ଯନ୍ତ୍ର କରୁଛି । ମୋଦୀ ମାର୍କା ବିକାଶ କ’ଣ? ତାଙ୍କୁ ଆଜି ସାଧାରଣ ଜନତା ଅନୁଭବ କଲେଣି । ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ଆଜି ନିରପକ୍ଷେ ହୋଇନାହିଁ । ସମ୍ବିଧାନ ଓ ଗଣତନ୍ତ୍ରକୁ ବିପଦଗ୍ରସ୍ତ ହୋଇପଡ଼ିଛି । ଇଡ଼ି, ସିବିଆଇ ପ୍ରଭୂତିର ଅପବ୍ୟବହାରକରି ବିରୋଧି ଦଳର କଣ୍ଠରୋଧ କରାଯାଉଛି । ଭାରତରେ ଗଣତନ୍ତ୍ର ଆଜି ବିପଦଗ୍ରସ୍ତ । ସାଧାରଣ ଜନତା ଭୀତସ୍ତ୍ରତ । ବିରୋଧି୍ଙ୍କ ନିର୍ବାଚିତ ସରକାରକୁ ବିଜେପି ଦଳ କେନ୍ଦ୍ର ସରକାରଙ୍କ ଶକ୍ତି ପ୍ରୟୋଗ କରି ଏବଂ ଅଗଣତାନ୍ତ୍ରିକ ଉପାୟରେ ଭାଙ୍ଗି ଦେଉଛି । କଳା କୃଷି ଆଇନ ଆଣି ଏ ଦେଶର ଚାଷୀଙ୍କୁ ସର୍ବଶାନ୍ତ କରିବା ପାଇଁ ବିଜେପି ସରକାର ଚକ୍ରାନ୍ତ କରିଥିଲା । ସୁତରାଂ କେନ୍ଦ୍ରର ବିଜେପି ସରକାର, ଛାତ୍ର, ଯୁବକ, ମହିଳା ଓ କୃଷକ ଏ ସମସ୍ତଙ୍କର ବିରୋଧ ହୋଇଥିବାବେଳେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ଜେ.ପି. ନଡ୍ଡା କେଉଁ ପ୍ରତିଶ୍ରୁତି ଦେବା ପାଇଁ ଓଡ଼ିଶା ଆସିଛନ୍ତି । ତାଙ୍କର ମିଥ୍ୟା ପ୍ରତିଶ୍ରୁତିରେ ଓଡ଼ିଶାବାସୀ ଆଉ ଭାସିଯିବେ ନାହିଁ । କର୍ଣ୍ଣାଟକର ବିଜୟ ପରେ ଏ ଦେଶକୁ ବିଜେପିର ଅଧୋପତନର ବାର୍ତା ଦେଇଛି । ଆଗାମୀ ଦିନରେ ଛତିଶଗଡ଼,ହରିୟାନା, ମଧ୍ୟପ୍ରଦେଶ ଓ ରାଜସ୍ତାନ ପ୍ରଭୁତିରେ ଯେଉଁ ବିଧାନସଭା ନିର୍ବାଚନ ହେବ ସେଥିରେ କଂଗ୍ରେସର ବିଜୟ ସମ୍ଭାବନା ଉଜ୍ଜଳ ରହିଛି ।