{}ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ଆଜି ଆମ ଅଧିକାର ପକ୍ଷରୁ ଆବାହକ ଅମିୟ ପାଣ୍ଡବ ଓ ମହାସଚିବ ଗଣେଶ ଦାଶ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କଙ୍ଗନା ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ କହିଥିଲେ, ୧୯୪୭ ମସିହାରେ ଭାରତ ଯେଉଁ ସ୍ୱାଧୀନତା ପାଇଥିଲା ବୋଲି କୁହାଯାଇଛି, ତାହା ‘ଭିକ’ ଥିଲା । ୨୦୧୪ ମସିହାରେ ମୋଦି କ୍ଷମତାକୁ ଆସିବା ପରେ ହିଁ ପ୍ରକୃତ ସ୍ୱାଧୀନତା ଆସିଛି । ଏହା ନିଜ ଜୀବନ ଯୌବନକୁ କାରାଗାର ଓ ଫାଶିଖୁଣ୍ଟରେ ଉତ୍ସର୍ଗ କରିଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ ଓ ଶହୀଦ ମାନଙ୍କ ପାଇଁ ପ୍ରଚଣ୍ଡ ଅପମାନ । ସେମାନଙ୍କୁ ପରୋକ୍ଷରେ ଭିକାରୀ କହିବା ଦେଶଦ୍ରୋହ ସହ ସମାନ । ତେଣୁ ସମାଜରେ ଶାନ୍ତି ଭଙ୍ଗ କରିବାର ଉଦ୍ୟମ, ମିଥ୍ୟା ପ୍ରଚାର ଓ ଦେଶପ୍ରତି ଅପମାନ ଅଭିଯୋଗରେ ତାଙ୍କ ନାଁରେ ଆଇ.ପି.ସି.ର ଧାରା ୫୦୪, ୫୦୫ ଏବଂ ୧୨୪ (ଏ) ଅନୁଯାୟୀ ମାମଲା ରୁଜୁ କରାଯିବାକୁ ଏତଲା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଆନ୍ଦୋଳନରତ କୃଷକମାନଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଏବଂ ମୁମ୍ବାଇକୁ ମିନି ପାକିସ୍ତାନ କହି ସେ ବାରମ୍ବାର ଏଭଳି ଅପରାଧ କରୁଥିବାରୁ ତାଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଛି ।