ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବାନ୍ଧି ରଖିବାର ମାଧ୍ୟମ ହେଉଛି ‘ପଖାଳ’ : ସୋଆ ଉପସଭାପତି

- Advertisement -

ଭୁବନେଶ୍ୱର, ଏପ୍ରିଲ ୯: ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍ ) ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ପଖାଳ ଉତ୍ସବକୁ ଉଦ୍‌ଘାଟନ କରି ଏହା କହିଛନ୍ତି ଶ୍ରୀମତି ଦାସ ।
ଓଡ଼ିଶାର ଜନଜାତି ସଂପ୍ରଦାୟର ଇତିହାସ, ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ଏହି ପଖାଳ ଉତ୍ସବର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏସ୍‌ଏଚ୍‌ଏମ୍ ପକ୍ଷରୁ ଏପ୍ରିଲ୍ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି ।
ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଗ୍ରାମୀଣ ପରିବେଶର ଏକ ଝଲକ ଏହି ପଖାଳ ଉତ୍ସବର ଆୟୋଜନରେ ଦେଖିବାକୁ ମିଳିଛି ।
ଅତିଥିମାନଙ୍କୁ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀମାନେ ହିଁ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି ।
ଏହି ୫ ଦିନିଆ ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ପ୍ରଭୃତି ପରଷା ଯିବାର ବ୍ୟବସ୍ଥା ହେବ । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି – ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ପୋହଳା ମାଛ ଭଜା, ଅଣ୍ଡା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ପରିବା ଭଜା, ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ , ପଣସ ପିଠଉ ଭଜା, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ସହିତ କାକୁଡି, ପିଆଜ, ଲଙ୍କା ଓ ଲେମ୍ବୁ ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles