() ହସିବାକୁ କାହାକୁ ବା ଭଲ ନଲାଗେ । ହେଲେ ସହରୀ ଜୀବନର ଜାଲରେ ଛନ୍ଦିହୋଇ, ସହରୀ ଜୀବନର ବ୍ୟସ୍ତବହୁଳତାକୁ ପାଥେୟ କରି ଆମେ ଅନେକ ଆଜି ହସିବାକୁ ଭୁଲି ଯାଇଛେ । ନହସିଲେ ଆପଣ ସୁସ୍ଥ ବି ରହିପାରିବେ ନାହିଁ । ଏ କଥା ଡାକ୍ତର କହୁଛନ୍ତି । ହେଲେ ଦେଶର କୋଟି କୋଟି ଲୋକଙ୍କୁ ହସ୍ ଯୋଗାଉଥିବା ଲୋକଟି ଆଜି ନାହିଁ । ସେପ୍ଟେମ୍ବର 21 ତାରିଖ ସକାଳ ସମୟରେ ଏମ୍ସରୁ ଖବର ଆସିଲା ରାଜୁ ଶ୍ରୀବାସ୍ତବ ଆଉ ନାହାଁନ୍ତି । ହଠାତ କେମିତି ଗୋଟେ ଖାଲି ଖାଲି ଲାଗିଲା । ଦେଶର କୋଟି କୋଟି ଲୋକଙ୍କୁ ହସେଇ ହସେଇ ବେଦମ କରିବାକୁ ନିଜ ଭିତରେ ଜୋସ୍ ରଖି କାମ କରୁଥିବା ଲୋକଟି ଆହୁରି ଅନେକ ହସ ପାଖରେ ରଖିଥିଲା । ଆହୁରି ଅନେକ ହସ ସେ ତା ହସ ଫ୍ୟାକ୍ଟ୍ରିରୁ ଦେବାର ଥିଲା । ଏମିତି ଅଚାନକ ରାଜୁ ଶ୍ରୀବାସ୍ତବଙ୍କ ଅକାଳ ବିୟୋଗ ହସ ସବୁକୁ ହଜେଇ ଦେଲା । ଏ ହସ ସବୁକୁ ଆଉ ଖୋଜି ପାଇବା କଷ୍ଟକର । 1963ରୁ 2022 ଯାଏଁ ଥିଲା ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା । 80 ଦଶକରୁ କମେଡିକୁ ନେଇ ସେ କମ୍ ପରିଶ୍ରମ କରିନାହାନ୍ତି । ମାୟାନଗରୀ ମୁମ୍ବାଇରେ ଟିକେ ସୋ କରିବାକୁ ଲୋକଙ୍କୁ ହସେଇବାକୁ ରାଜୁଶ୍ରୀବାସ୍ତବଙ୍କୁ ଅନେକ ଝାଳ ବୁହାଇବାକୁ ପଡ଼ିଥିଲା । ରାଜୁ ଶ୍ରୀବାସ୍ତବ ବି-ଟାଉନର ବେଶ୍ ଜଣାଶୁଣା କମେଡି ଷ୍ଟାର୍ ଥିଲେ। ସେ ଅନେକ ଫିଲ୍ମ ଆଉ ଟିଭି ଶୋ’ରେ କାମ କରିଛନ୍ତି। ରିଆଲିଟି ଶୋ’ରେ ମଧ୍ୟ ରାଜୁ ଭାଗ ନେଇଥିଲେ। କମେଡି ଶୋ’ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫଟର୍ ଚ୍ୟାଲେଞ୍ଜ’ରେ କିନ୍ତୁ ରାଜୁକୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ।
ଏହି ଶୋ’ରୁ ମିଳିଥିବା ସଫଳତା ପରେ ରାଜୁ ଆଉ କେବେବି ପଛକୁ ବୁଲି ଚାହିଁନଥିଲେ। ରାଜୁ ଶ୍ରୀବାସ୍ତବ 1980ରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିଲେ। ବାପା ମା’ ପୁଅ ଆଇପିଏସ ଅଫିସର ହେଉ ବୋଲି ଚିନ୍ତା କରିଥିଲେ କିନ୍ତୁ କମେଡି ତାଙ୍କୁ ମାୟାନଗରୀ ଆଡକୁ ଟାଣି ଆଣିଥିଲା । ପଚାଶ ଟଙ୍କାରୁ କ୍ୟାରିୟର ଆରମ୍ଭ କରିଥିବା ରାଜୁ ପାଲଟିଗଲେ ବଲିଉଡର କମେଡି ଷ୍ଟାର । ମୈନେ ପ୍ୟାର କିଆରୁ ଅଭିନୟ ଜୀବନ ଆରମ୍ଭ କଲେ ,ବମ୍ବେ ଟୁ ଗୋଆ ତାଙ୍କୁ ପରିଚୟ ଦେଲା ଆଉ କପିଲ୍ ଶର୍ମାଙ୍କ ସହ ଶେଷ ଫିଲ୍ମ ଫିରଙ୍ଗୀରେ ଦେଖିବାକୁ ମିଳିଥିଲେ ରାଜୁ । ଷ୍ଟାଣ୍ଡ ଅଫ କମେଡି ସହ ସାଧାରଣ ଲୋକଙ୍କ ଶୈଳୀକୁ ନେଇ କମେଡି ତାଙ୍କୁ ଆହୁରି ପରିଚିତ କରାଇଥିଲ।। ଆଜି ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅନେକ ନେତା ତଥା ବଲିଉଡ୍ ଜଗତର ଅନେକ କଳାକାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସମସ୍ତଙ୍କ ପ୍ରିୟ ‘ଗଜୋଧର ଚାଚା’ ଓରଫ୍ ଫେମସ୍ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବଆଉ ଫେରିବେନି। ହୃଦ୍ଘାତ ପରେ ଅଗଷ୍ଟ ୧୦ ତାରିଖରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। ୪୧ ଦିନ ଧରି ଭେଣ୍ଟିଲେଟର୍ରେ ରହିବା ପରେ ବି ରାଜୁଙ୍କ ଚେତା ଫେରୁନଥିଲା। ଶେଷରେ ସମସ୍ତଙ୍କୁ ହସାଉଥିବା ମଣିଷଟି ଏବେ ସମସ୍ତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଛି।
ଗଭୀର ମାନସିକ ଚାପ ସମୟରେ ଟିକିଏ ହାଲକା ହେବାକୁ ଆମେ ସମସ୍ତେ ୟୁଟ୍ୟୁବରୁ ରାଜୁ ଶ୍ରୀବାସ୍ତବଙ୍କ ଭିଡିଓଟିଏ ଖୋଲିଦେଲେ ବାସ୍, କିଛି ସେକେଣ୍ଡରେ ହଜିଯାଇଥିବା ହସ ଗୁଡିକ ପୁଣି ଆମ ଚାରିପଟେ ପସରା ମେଲାଇ ବସିଯାନ୍ତି । କ୍ଳାନ୍ତମ୍ଳାନ ଦିଶୁଥିବା ମୁହଁ ହଠାତ୍ ପୁନେଇ ଚାନ୍ଦ ପରି ଚହଟି ଉଠେ । ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହସ ଦୁନିଆରେ ଏକ ବଡ ଶୂନ୍ୟ ସ୍ଥାନସୃଷ୍ଟି କରିବ । ଏୟା ନୁହଁ ଯେ ରାଜୁ ଶ୍ରୀବାସ୍ତବ ଚାଲିଗଲେ, ଭାରତର ବଲିଉଡ ଜଗତର , କମେଡି ଜଗତର ଶେଷତାରକା ଚାଲିଗଲେ । କିନ୍ତୁ ଦେଶର ଖଟିଖିଆ, ଗରିବ, ସାଧାରଣ ଲୋକର ଜୀବନ କାହାଣୀକୁ ନେଇ ମଞ୍ଚରେ ସାବଲୀଳ ଢଙ୍ଗରେ ପରସି ଦେବାର ସେ ଯେଉଁ ପରସମଣି ଟି ରଖିଥିଲେ, ତାହା ସମସ୍ତଙ୍କ ହୃଦୟରେ ଘର କରି ନେଉଥିଲା । ସେ ରାଜନେତା ହୁଅନ୍ତୁ, ମନ୍ତ୍ରୀ, ଅଫିସର, ତାରକା ଅବା ଖେଳାଳି, କାହାକୁ ସେ ବାଦ୍ ଦେଇନଥିଲେ । ସେଇଥିପାଇଁ ତ 58 ବର୍ଷ ବୟସରେ ତାଙ୍କର ଏମିତି ଅକାଳ ବିୟୋଗ ସାତରୁ 70ବର୍ଷ ବୟସ୍କଙ୍କୁ ଦୁଃଖ ଦେଇଛି । ସମସ୍ତେ ହୋଇଛନ୍ତି ମର୍ମାହତ । ଗଜୋଧର ଚାଚାଙ୍କ ଶୂନ୍ୟ ସ୍ଥାନକୁ ହୁଏତ ଆଉ କିଏ ନେଇପାରେ, କିନ୍ତୁ ହସ ବଜାରରେ ରାଜୁଶ୍ରୀବାସ୍ତଙ୍କ ସ୍ଥାନ ଚିରକାଳ ଅକ୍ଷୂର୍ଣ୍ଣ ରହିବ । ଅଲବିଦା ରାଜୁଶ୍ରୀବାସ୍ତବ । ତୁମେ ପୁଣି ଥରେ ଏ ପୃଥୀବିକୁ ଆସ, ଚେନାଏ ହସ ପାଇଁ ପାଗଳ ପାଲଟୁଥିବା ମଣିଷକୁ ତୁମ ହସରେ ଆଉଥରେ ବିନ୍ଦାସ କରିଯାଅ ।
ଶ୍ରୀ ଅଶ୍ବିନୀ କୁମାର ସାହୁ,ଭୁବନେଶ୍ବର