ସମ୍‌ ହସ୍ପିଟାଲରେ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ (ଫେଜ୍‌-୩) ପରୀକ୍ଷଣ

- Advertisement -

ଭୁବନେଶ୍ୱର : କୋଭିଡ 19 ଟୀକା ଶେଷ ପର୍ଯ୍ୟାୟରେ ପହଁଚିଛି l  ଫେବୃୟାରୀ ସୁଦ୍ଧା ଟୀକା ଆସିବାର ସମ୍ଭllବନା ଅଛି l ସେପଟେ କରୋନା ଟିକା ‘କୋଭାକ୍ସିନ୍‌’ ପାଇଁ କସରତ ଜୋର୍‌ଦାର ହୋଇଛି । ସମ୍‌ ହସ୍ପିଟାଲରେ ଏହାର ତୃତୀୟ ପର୍ଯ୍ୟାୟ (ଫେଜ୍‌-୩) ପରୀକ୍ଷଣ ଆରମ୍ଭ ହୋଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟ ପରୀକ୍ଷଣ ସରିଥିବାବେଳେ ସବୁଠୁ କଠିନ ତଥା ଗୁରୁତ୍ୱପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ପରୀକ୍ଷଣରୁ ଟିକା ମଣିଷ ଶରୀରରେ ସଫଳ ଭାବେ କାମ କରିବ କି ନା, ତାହା ସ୍ପଷ୍ଟ ହେବ । ସମ୍‌ ହସ୍ପିଟାଲର ପ୍ରିଭେଣ୍ଟିଭ୍‌ ଆଣ୍ଡ ଥେରାପିଉଟିକ୍‌ କ୍ଲିନିକାଲ ଟ୍ରାଏଲ୍‌ ୟୁନିଟ୍‌(ପିଟିସିଟିୟୁ)ରେ ଦୁଇ ଜଣ ସ୍ୱେଚ୍ଛାସେବୀଙ୍କଠାରେ ଏହି ପରୀକ୍ଷଣ କରାଯାଇଛି । ତୃତୀୟ ପର୍ଯ୍ୟାୟରେ ଦୁଇଟି ଡୋଜ୍‌ ପ୍ରୟୋଗ କରି ପରୀକ୍ଷଣ କରାଯିବ ।

ପ୍ରଥମ ଡୋଜ୍‌ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍‌ ଦିଆଯିବ । ପରେ ୭ ମାସ ଯାଏ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରାଯିବ । ପ୍ରତି ମାସରେ ସେମାନଙ୍କ କୋଭିଡ୍‌ ପରୀକ୍ଷା ହେବ । ପରେ ୫ ମାସ ଯାଏ ସେମାନଙ୍କୁ ଫୋନ୍‌ କରି ସ୍ୱାସ୍ଥ୍ୟାବସ୍ଥା ବାବଦରେ ପଚରାଯିବ ବୋଲି ଓଡ଼ିଶାରେ କୋଭାକ୍ସିନ୍‌ର ମୁଖ୍ୟ ପରୀକ୍ଷକ (ପ୍ରିନ୍ସପାଲ ଇନଭେଷ୍ଟିଗେଟର) ତଥା ସମ୍‌ ହସ୍ପିଟାଲ କମ୍ୟୁନିଟି ମେଡିସିନ୍‌ ବିଭାଗ ପ୍ରଫେସର ଡା. ଇ ଭେଙ୍କଟା ରାଓ ସୂଚନା ଦେଇଛନ୍ତି ।

ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୦୦୦ ସ୍ୱେଚ୍ଛାସେବୀଙ୍କଠାରେ ପରୀକ୍ଷଣ ହେବ । ୫୦୦ଜଣଙ୍କଠାରେ ଟିକା ଦିଆଯିବ । ବାକି ଆଉ ୫୦୦ ଜଣଙ୍କ ଶରୀରରେ ପ୍ଲାସେବୋ (ନାମକୁ ମାତ୍ର) ପରୀକ୍ଷଣ ହେବ । ୭ ମାସ
ଯାଏ ମାସକୁ ଥରେ ସମସ୍ତଙ୍କ କୋଭିଡ୍‌ ପରୀକ୍ଷା ହେବ । ଟିକାର ଦୀର୍ଘକାଳୀନ ପ୍ରଭାବ ଓ ପାଶ୍ୱର୍ପ୍ରତିକ୍ରିୟା କରୁଛି କି ନା, ଜାଣିବା ପାଇଁ ୧୨ ମାସ ଯାଏ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ ବୋଲି ଡା. ରାଓ କହିଛନ୍ତି । ସମ୍‌ରେ କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ମଣିଷ ଶରୀର ପାଇଁ ଏହା କେତେ ସୁରକ୍ଷିତ ତାହା ଅନୁଧ୍ୟାନ କରାଯାଇଥିଲା । ପରୀକ୍ଷଣ ପରେ ଶରୀରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ହେଉଛି କି ତାକୁ ଦେଖାଯାଇଥିଲା ।

ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ପରୀକ୍ଷଣ ପରେ ମଣିଷ ଶରୀରର ରକ୍ତରେ ସୃଷ୍ଟି ହେଉଥିବା ଆଣ୍ଟିବଡି ମାତ୍ରା ଓ ଏହା କୋଭିଡ୍‌ ବିରୋଧରେ ଲଢ଼େଇ ପାଇଁ ପର୍ଯ୍ୟାପ୍ତ ହେଉଛି କି ନାହିଁ ତାହା ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଟିକା ପ୍ରୟୋଗ ପରେ ରୋଗ ପ୍ରତିରୋଧକ ଶକ୍ତି କେତେ ବଢୁଛି ତାହା ଜଣାପଡ଼ିଛି । ଏବେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଦୁଇଟି ଭିନ୍ନ ଭିନ୍ନ ଡୋଜ୍‌ ପ୍ରୟୋଗ କରି ଟିକା କେତେ
ପ୍ରଭାବୀ ହେବ ତାହା ପରୀକ୍ଷା କରାଯିବ ।

ଦେଶରେ ପ୍ରାୟ ୨୫ହଜାର ସ୍ୱେଚ୍ଛାସେବୀଙ୍କୁ ନେଇ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଉଛି । ଟିକା ନେଉଥିବା ଲୋକ ପୁଣି ସଂକ୍ରମିତ ହେଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଅପେକ୍ଷା କରାଯିବ । ସେମାନଙ୍କ ଭିତରେ ସଂକ୍ରମଣ ହାର କେତେ ତାହା ଦେଖାଯିବ । ବର୍ଷେ ଯାଏ ଏହାକୁ ଅନୁଧ୍ୟାନ କରାଯିବ । ଏଥିପାଇଁ ଏହି ପର୍ଯ୍ୟାୟ ପରୀକ୍ଷଣ ସମୟ ସାପେକ୍ଷ ବୋଲି ଡା. ରାଓ କହିଛନ୍ତି । ସୂଚନା ଯେ, ଭାରତ ବାୟୋଟେକ୍‌ ଓ ଆଇସିଏମ୍‌ଆର ପକ୍ଷରୁ ଏହି ଟିକାର ବିକାଶ କରାଯାଉଛି । ଦେଶର ବଛା ବଛା ୨୧ଟି ମେଡିକାଲ ପ୍ରତିଷ୍ଠାନରେ ଏହି ଟିକା ପରୀକ୍ଷଣ ହେଉଛି । ଓଡ଼ିଶାର ଏକମାତ୍ର ହସ୍ପିଟାଲ ଭାବେ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲରେ କୋଭାକ୍ସିନ୍‌ର ମାନବ ପରୀକ୍ଷଣ କରାଯାଉଛି । ନିଜ ଶରୀରରେ ତୃତୀୟ ପର୍ଯ୍ୟାୟ ଟିକା ପରୀକ୍ଷଣ ପାଇଁ ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ୭୮୪୯୦୨୧୪୫୦ ନମ୍ବରରେ ଯୋଗାଯୋଗ କରିବାକୁ ଡା. ରାଓ ଅପିଲ୍‌ କରିଛନ୍ତି । ସାଧାରଣ ସୁସ୍ଥ ଲୋକଙ୍କ ସମେତ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ବା ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ ବି ଏହି ପରୀକ୍ଷଣରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ସାରା ଦେଶରେ କୋଭିଡ ପରୀକ୍ଷଣ ଚାଲୁଥିବା ବେଳେ ଓଡିଶାର ଏକମାତ୍ର ହସ୍ପିଟାଲ ଭାବେ ସମରେ ଏହି ଟୀକା ପରୀକ୍ଷଣ ହେଉଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles